ଷ୍ଟେଟମେଣ୍ଟସ ଅଫ କ୍ଲେମସ ଦାଖଲ କରିବାରେ ଛତିଶଗଡ଼ ସରକାର ବିଫଳ; ୩ ମାସ ମହଲତ ଲୋଡ଼ିଲା

0

ନୂଆଦିଲ୍ଲୀ,୧୨।୧୨(ନି.ପ୍ର): ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ଷ୍ଟେଟମେଣ୍ଟସ ଅଫ କ୍ଲେମସ ଦାଖଲ କରିବାରେ ଛତିଶଗଡ଼ ସରକାର ବିଫଳ ହୋଇଛନ୍ତି। ଟ୍ରାଇବୁନାଲରେ ଷ୍ଟେଟମେଣ୍ଟସ୍‌ ଅଫ କ୍ଲେମସ ଦାଖଲ କରିବା ପାଇଁ ଛତିଶଗଡ଼ ସରକାର ଏକ ପିଟିସନ ଦାଖଲ କରି ଅଧିକ ତିନି ମାସ ମହଲତ ଲୋଡ଼ିଛନ୍ତି।
ପିଟିସନ ତଥ୍ୟ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ମିଳିବାରେ ଡେରି କାରଣରୁ ଷ୍ଟେଟମେଣ୍ଟସ୍‌ ଅଫ କ୍ଲେମସ ଦାଖଲରେ ବିଳମ୍ବ ହେଉଛି। ମହାନଦୀ ଅବବାହିକାରେ ବୃଷ୍ଟିପାତ, ଜଳ ପ୍ରବାହ, ଜଳ ବ୍ୟବହାର ଓ ଜଳ ଉପଯୋଗ ଆଦି ତଥ୍ୟ ଦେବା ପାଇଁ ବିଭିନ୍ନ ବିଭାଗକୁ କୁହାଯାଇଛି ବୋଲି ଛତିଶଗଡ଼ ପିଟିସନରେ ଦର୍ଶାଯାଇଛି।
ଅପରପକ୍ଷେ ଟ୍ରାଇବୁନାଲଙ୍କ ନିର୍ଦେଶ ଅନୁଯାୟୀ ଓଡ଼ିଶା ସରକାର ମଙ୍ଗଳବାର ଷ୍ଟେଟମେଣ୍ଟସ୍‌ ଅଫ କ୍ଲେମସ ୍‌ଦାଖଲ କରିଥିବାର ଜଣାପଡ଼ିଛି। ଗତ ଅକ୍ଟୋବର ଶୁଣାଣିରେ ଆଠ ସପ୍ତାହ ମଧ୍ୟରେ ଷ୍ଟେଟମେଣ୍ଟସ୍‌ ଅଫ କ୍ଲେମସ ଦାଖଲ କରିବାକୁ ଟ୍ରାଇବୁନାଲ ଛତିଶଗଡ଼ ସମେତ ସମସ୍ତ ପକ୍ଷଭୁକ୍ତ ରାଜ୍ୟକୁ ନିର୍ଦେଶ ଦେଇଥିଲେ। ଟ୍ରାଇବୁନାଲ ନିର୍ଦେଶନାମା ଜରିଆରେ ଛତିଶଗଡ଼ର ଜଳ ବ୍ୟବହାର ଅଧିକାର ସ୍ପଷ୍ଟ କରିବାକୁ ଓଡ଼ିଶା ସରକାରଙ୍କ ଷ୍ଟେଟମେଣ୍ଟସ୍‌ ଅଫ କ୍ଲେମସରେ ନିବେଦନ କରାଯାଇଛି। ଚଳିତ ମାସ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଛତିଶଗଡ଼ ସହ କଂଗ୍ରେସ ଆଲୋଚନା କରିବ

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବେଆଇନ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶର ତଳମୁଣ୍ଡରେ ଜଳ ସଂଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ବହୁ ଉଦ୍ୟମ ହୋଇଥିଲେ ମଧ୍ୟ ବିବାଦ ଟ୍ରାଇବୁନାଲରେ ରହିଛି। ଛତିଶଗଡରେ ରମଣ ସିଂ ସରକାର ବିଧାନସଭ ନିର୍ବାଚନରେ ହାରିଯିବା ପରେ ସେଠାରେ କଂଗ୍ରେସ ସରକାର ଗଠନ ହେବାକୁ ଯାଉଛି। ଛତିଶଗଡ ସରକାର ଶିଳ୍ପ କରାଖାନାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡ଼ିଶାର ଦାବିକୁ ପ୍ରତ୍ୟାଖାନ କରିଥିଲେ। ତେବେ ସେଠାର ରାଜନୀତିରେ ପରିବର୍ତ୍ତନ ଆସିଥିବାରୁ ରାଜ୍ୟ କଂଗ୍ରେସ ଛତିଶଗଡ ସରକାରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ବାହାର କାରିପାରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ମହାନଦୀ ପ୍ରସଙ୍ଗ ପାଇଁ ବିଜେଡି ସରକାର ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି

Leave A Reply