ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପିତ; ତର୍ଜମା କରିବ ୩ଜଣିଆ କମିଟି

0

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ଉପସ୍ଥାପିତ ହୋଇଛି ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ତଦନ୍ତ ରିପୋର୍ଟ। ତାହାକୁ ତର୍ଜମା କରିବା ପାଇଁ ୩ଜଣିଆ କମିଟି ଗଠନ କରାଯାଇଛି। କୌଣସି ସଭ୍ୟଙ୍କୁ ରିପୋର୍ଟ ପଢିବାକୁ ସୁଯୋଗ ଦିଆଯାଇ ନାହିଁ। ରିପୋର୍ଟରେ ୬ଜଣ ସେବକଙ୍କ ନାମ ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨ଜଣ ସେବକ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ସହ ଗୋପନୀୟତା ଭଙ୍ଗ କରିଥିବା କୁହାଯାଇଛି। ଯେଉଁମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନ ବିଳମ୍ବ ହୋଇଥିଲା ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିମନ୍ତେ ରିପୋର୍ଟରେ ସୁପାରିସ କରାଯାଇଛି। ସେଥିରେ ଜଣେ ବରିଷ୍ଠ ଦଇତାପତି ଓ ବିଶ୍ୱକର୍ମା ସେବକଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ବିଧାନସଭାରେ ଏଥିନେଇ ଝଡ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସମ୍ପୂର୍ଣ୍ଣ ପ୍ରଘଟ କରାଯାଇ ନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ତଦନ୍ତ ରିପୋର୍ଟ ନାମକୁମାତ୍ର ଆଗତ କରାଯାଇଛି। ୭ପୃଷ୍ଠା ସମ୍ବଳିତ ରିପୋର୍ଟ ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ନାହିଁ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ପୁଣିଥରେ ଅନ୍ଧକାରରେ ରଖାଯାଇଛି। ଗଜପତି ମହାରାଜା
ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ୧୮୫କୋଟି ୮୦ଲକ୍ଷ ୯୫ହଜାର ୫୨୮ ଟଙ୍କାର ବଜେଟ ଆଗତ କରାଯାଇଛି। ଅର୍ଥ ସବ୍‍କମିଟିକୁ ଆୟବ୍ୟୟ ଅଟକଳ ପଠାଯାଇଛି। ଆଗାମୀ ୨୮ତାରିଖରେ ହେବାକୁ ଥିବା ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ପୁଣିଥରେ ବଜେଟ ଉପରେ ଆଲୋଚନା କରାଯିବ। ଶ୍ରୀମନ୍ଦିର ସଂସ୍କାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ବିମଳ ପ୍ରସାଦ ଦାସଙ୍କ ରିପୋର୍ଟ ସମ୍ପର୍କରେ ଆଲୋଚନା କରାଯାଇଛି। ଛତିଶା ନିଯୋଗ ବୈଠକରେ ତାହାକୁ ଉପସ୍ଥାପନ କରାଯିବ। ଜଷ୍ଟିସ୍‍ ଶ୍ରୀ ଦାସଙ୍କ ୭ଗୋଟି ସୁପାରିସ କାର୍ୟ୍ୟକାରୀ ପୂର୍ବରୁ ସେବକଙ୍କ ମତାମତ ନିଆଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟି ପୁଣିଥରେ ନିଷ୍ପତ୍ତି ଗ୍ରହଣ କରିଛି। ତେବେ କେବେ ଖୋଲାଯିବ ସେଥିନେଇ ଶ୍ରୀମନ୍ଦିର ପ୍ରଶାସକ, ଏଏସ୍‍ଆଇ ଏବଂ କୋର୍‍ କମିଟି ଦିନଧାର୍ୟ୍ୟ କରିବେ। ରତ୍ନଭଣ୍ଡାରରେ ରହିଥିବା ମହଣ ମହଣ ସୁନା, ରୁପା ଓ ହୀରା ଲୀଳାର ତାଲିକା ପ୍ରସ୍ତୁତ କରାଯିବ। ରତ୍ନଭଣ୍ଡାର ଛାତର ସ୍ଥାୟୀତ୍ୱ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଛାତ ଯଦି ବିପଦସଂକୁଳ ଥାଏ ନାଟମଣ୍ଡପ ପୂର୍ବରୁ ପ୍ରଥମେ ତାହାର ମରାମତି କରାଯିବାକୁ ସ୍ଥିର ହୋଇଛି। ଡଃ ଅରବିନ୍ଦ କୁମାର ପାଢୀ ମୁଖ୍ୟ ପ୍ରଶାସକ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିଥିଲା। କେତେକ ସେବକଙ୍କ ବିରୋଧ ଯୋଗୁଁ ତାହା ଏପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରି ନାହିଁ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍‍କମିଟି, ନୀତି ସବ୍‍କମିଟି, ରତ୍ନଭଣ୍ଡାର ସବ୍‍କମିଟି, ଜିଲାପାଳଙ୍କ ଅଧ୍ୟକ୍ଷତାର ପ୍ରକଳ୍ପ, ସେବକ ବିଦ୍ୟାଳୟ ଓ ସେବକ କଲ୍ୟାଣ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ଏବଂ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅଡିଟ୍‍ ସବ୍‍କମିଟି ଗଠନ କରାଯାଇଛି।
ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ସୁରକ୍ଷା) ପ୍ରଫୁଲ ଚନ୍ଦ୍ର ମିଶ୍ର, ପ୍ରଶାସକ (ଉନ୍ନୟନ) ବିଶ୍ୱନାଥ ସାହୁ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ୱର ମଣ୍ଡଳ ଅଧିକ୍ଷକ ଡଃ ହେମସାଗର ଅଭୟ ନାୟକ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ, ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, ଡଃ ସିଦ୍ଧେଶ୍ବର ମହାପାତ୍ର, ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ମହାପାତ୍ର, ଅନନ୍ତ ତିଆଡି, ମାଧବ ପୂଜାପଣ୍ଡା, ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ କୁମାର ସାହୁ ବୈଠକରେ ଉପସ୍ଥିତ ଥିଲେ।

Leave A Reply