ଶେଷ ପର୍ଯ୍ୟାୟରେ ଚିଟଫଣ୍ଡ କମିସନ୍‍ଙ୍କ ନୋଟିସ ପ୍ରେରଣ

0

କଟକ: ଚିଟଫଣ୍ଡ ତଦନ୍ତ କମିସନ ଜଷ୍ଟିସ୍‍ ମଦନ ମୋହନ ଦାସ ଖୁବଶୀଘ୍ର ଷଷ୍ଠ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। କାରଣ କମିସନଙ୍କ ପକ୍ଷରୁ ବିଭିନ୍ନ କମ୍ପାନୀକୁ ନୋଟିସ ପଠାଇବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ଜୋରଦାର ଚାଲିବା ସହ କିଛି କମ୍ପାନୀର ଠିକଣା ପ୍ରଦାନ ପାଇଁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ଲେଖାଯାଇଛି। ଏହି ଚିଠି ହାସଲ ପରେ କମିସନ କମ୍ପାନୀମାନଙ୍କୁ ନୋଟିସ ଜାରି କରିବା ସହ ଶୁଣାଣିକୁ ତ୍ୱରାନ୍ୱିତ କରିବେ। ଅନ୍ୟପକ୍ଷରେ କମିସନଙ୍କ ନୋଟିସ ପାଇ କିଛି କମ୍ପାନୀ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରୁଥିବା ଜଣାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରି କମିସନ୍‍ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍‍ ଜାରି କରୁଛନ୍ତି। ସେଥିମଧ୍ୟରେ କମିସନ୍‍ ପ୍ରଥମେ ସି-ସୋର ଗ୍ରୃପକୁ ୪ ହଜାର ୨୨୯ ଜଣ ଓ ଅର୍ଥତତ୍ତ୍ୱ ସଂସ୍ଥାର ୧ ହଜାର ୬୦୭ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ନୋଟିସ୍‍ ଜାରି କରିଥିଲେ। ଏହାପରେ ଆଞ୍ଜେଲ ଏଗ୍ରିଟେକ୍‍ ଗ୍ରୁପକୁ ୬ ହଜାର ୪୪୧, ଆଦର୍ଶ ମଲ୍ଟିପରପୋଜକୁ ୧ ହଜାର ୯୪୨, ଆସ୍ଥା ଇଣ୍ଟରନ୍ୟାସନାଲକୁ ୨ ହଜାର ୧୮୬, ବାସିଲ ଇଣ୍ଟରନ୍ୟାସନାଲ ଲିମିଟେଡ୍‍ ଓ ଆପେଲଇନ କସମେଟିକ୍ସ ଆଣ୍ଡ୍‍ ଟଏଲେଟ୍ରିଜକୁ ୧୩ ହଜାର ୧୭୭, ପ୍ରୟାଗକୁ ୪ ହଜାର ୧୯୪, ରିୟଲ ଭିଜନ ଇଣ୍ଟରନ୍ୟାସନାଲ ଲିମିଟେଡକୁ ୧ ହଜାର ୧୮୪ ଜଣ କ୍ଷୁଦ୍ର ଜମାକରୀଙ୍କ ପ୍ରସଙ୍ଗରେ କମିସନ ନୋଟିସ୍‍ ଜାରି କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟ ବାହାରର ମହାରାଷ୍ଟ୍ର, ଗୁଜରାଟ, କେରଳ, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ ରାଜ୍ୟର କେତେକ ସ୍ଥଂସ୍ଥାକୁ ମଧ୍ୟ କମିସନ୍‍ ନୋଟିସ୍‍ ଜାରି କରିସାରିଛନ୍ତି। ଅଦ୍ୟାବଧି ଶହେରୁ ଅଧିକ ସଂସ୍ଥାର କ୍ଷୁଦ୍ର ଜମାକରୀଙ୍କୁ କମିସନ ଚିହ୍ନଟ କରି ସାରିଲେଣି। ତେବେ କମିସନଙ୍କ ଶୁଣାଣି ସମୟରେ ଅଧିକାଂଶ ସଂସ୍ଥାର ପଦାଧିକାରୀ କମିସନଙ୍କ ନିକଟରେ ହାଜର ହେଉ ନଥିବା ଜଣା ଯାଇଛି।

Leave A Reply