‘ଶିକ୍ଷକଙ୍କ ହାତରେ ଗଢ଼ା ହୁଅନ୍ତି ଭଲ ମଣିଷ’

0

କଟକ:ଶିକ୍ଷାଦାନର ନିଶା ଶିକ୍ଷକଙ୍କୁ ସଫଳତା ଆଣିଦିଏ। ଶିକ୍ଷକ ହିଁ ଭବିଷ୍ୟତକୁ ନିଜ ଦୃଷ୍ଟିଭଙ୍ଗୀରେ ଦେଖିପାରନ୍ତି। ଜଣେ ଛାତ୍ରର ଭବିଶ୍ୟତ ଗଢିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର କୋଣାର୍କ ନିର୍ମାଣ ସମ୍ଭବ ନୁହେଁ, ସେହିପରି ଜଣେ ଉତ୍ତମ ଶିକ୍ଷକ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଅସମ୍ଭବ। ଶିକ୍ଷକଙ୍କ ହସରୁ ଅନ୍ୟର ହୃତ୍‍ସ୍ପନ୍ଦନ ସୃଷ୍ଟିହୋଇପାରେ। ମଣିଷ ଓ ଅନୁଷ୍ଠାନ ଉଭୟ ଜୀବନ୍ତ। ଉଭୟଙ୍କର ଚରିତ୍ର ନ ଥିଲେ କେବେ ଠିଆ ହୋଇପାରିବେ ନାହିଁ। ଶିକ୍ଷକ ଅନ୍ୟ ଦୁଃଖରେ ଦୁଃଖୀ ରହିବେ। ଶିକ୍ଷକଙ୍କଠାରୁ ନ୍ୟାୟ ମିଳିଥାଏ। ଶିକ୍ଷକ ଅନୁଭବ କରିବା ଦରକାର ସମାଜ ମୋ ପାଇଁ ଅନୁଷ୍ଠାନ, ବୋଲି ଏସିଆନ୍‍ ସ୍କୁଲ ଅଫ୍‍ ବିଜିନେସ୍‍ ମ୍ୟାନେଜ୍‍ମେଣ୍ଟର ଡିନ୍‍ ପ୍ରଫେସର ଡ. ବିଶ୍ୱଜିତ୍‍ ପଟ୍ଟନାୟକ କହିଛନ୍ତି।
ଲୋକସେବକ ମଣ୍ଡଳ କଟକ ଶାଖା ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଗୁରୁ ଗୌରବ ସମ୍ମାନ ପ୍ରଦାନ ସମାରୋହକୁ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ବିଶ୍ୱଜିତ୍‍ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ. କିଶୋ ଚନ୍ଦ୍ର ଦାସ ଯୋଗଦେଇ କହିଲେ, ଶିକ୍ଷକ ବିନା ସମାଜର ପରିକଳ୍ପନା କରାଯାଇପାରେନା। ଶିକ୍ଷକ ବ୍ୟକ୍ତି ତିଆରି କରିପାରିଲେ ସଫଳ ହୁଅନ୍ତି। ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନ ଶୈଳୀ ଛାତ୍ରଛାତ୍ରୀଙ୍କୁ ସ୍ୱାଧ୍ୟାୟ ପାଇଁ ପ୍ରେରଣା ଯୋଗାଇଥାଏ। ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥ ସମାରୋହରେ ଅଧ୍ୟକ୍ଷତା କରି ଶିକ୍ଷକମାନଙ୍କୁ ସମାଜର ଆଲୋକବର୍ତ୍ତିକା ବୋଲି କହିଥିଲେ। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଯାହାଦ୍ୱାରା ସମଗ୍ର ସମାଜର ଉନ୍ନତି ହୁଏ ତାହା କର୍ମ। ଗୁରୁମାନେ ଶିକ୍ଷାଦାନ ମାଧ୍ୟମରେ ଏହି କର୍ମ ସମ୍ପାଦନ କରୁଛନ୍ତି। ‘ସମାଜ’ର କାର୍ୟ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟର ୧୫ ଜଣ ଶ୍ରେଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ‘ଗୁରୁ ଗୌରବ ସମ୍ମାନ-୨୦୧୮’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ବାଲେଶ୍ୱରରୁ ଦୟାନିଧି ଦାଶ ଓ ଅନନ୍ତକିଶୋର ଉପାଧ୍ୟାୟ, ଗଞ୍ଜାମରୁ ରାଧାଶ୍ୟାମ ପଣ୍ଡା ଓ ଡ. ସୁରେଶ ଚନ୍ଦ୍ର ପଣ୍ଡା, କଟକରୁ ଡ. ବିପିନ୍‍ ବିହାରୀ ଶତପଥୀ, ଭବାନୀ ପ୍ରସାଦ ପଣ୍ଡା ଓ ଡ. ଅଜୟ କୁମାର ମହାନ୍ତି, ଯାଜପୁରରୁ ଡ. ଆଶୁତୋଷ ବଳ, ଭଦ୍ରକରୁ ସୁରୁଚିପ୍ରଭା ଦାଶ ଓ କମଳାକାନ୍ତ ଜେନା, ଭୁବନେଶ୍ୱରରୁ କବିତା ଦେବୀ ଓ ଚିନ୍ତାମଣି ଦାଶ, ସୁନ୍ଦରଗଡ଼ରୁ ସୁଜାତା ଦାଶ ଓ ନିଶିକାନ୍ତ ମିଶ୍ର, କୋରାପୁଟରୁ ଡ. କମଳାକୃଷ୍ଣ ତ୍ରିପାଠୀ। କଟକ ନାଗରିକ ସମାଜ ପକ୍ଷରୁ ଚଳଚ୍ଚିତ୍ର ନିର୍ଦେଶକ ବସନ୍ତ ସାହୁ ‘ସମାଜ’ର ମୁଦ୍ରକାର ଓ ପ୍ରକାଶକ ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡଃ ପ୍ରଭାସ ଆଚାର୍ୟ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଲୋକସେବକ ମଣ୍ଡଳ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର ପି. କେ. ମହାପାତ୍ର, ପୂର୍ବତନ ମୁଖ୍ୟ ଶାସନସଚିବ ସଞ୍ଜୟ ପଣ୍ଡା ଓ ଅଧ୍ୟାପିକା ଡ. ଫଲ୍‍ଗୁ ନିରଞ୍ଜନା ଯୋଗଦେଇଥିଲେ। ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ନିରୁପମା ବାରିକ, ବିରାସମୟୀ ସାହୁ, ପ୍ରିୟଙ୍କା ପାଢ଼ୀ, ପିଙ୍କି ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply