ଶିକ୍ଷକଙ୍କ ଦାବି, ତେଲ ତାତିରେ କମ୍ପିଲା ବିଧାନସଭା

0

ଭୁବନେଶ୍ୱର: ତୈଳଦର ବୃଦ୍ଧି ଏବଂ ଶିକ୍ଷକଙ୍କ ପ୍ରାପ୍ୟକୁ ନେଇ ବୁଧବାର ବିଧାନସଭା କମ୍ପିଥିଲା। ଅଧିବେଶନର ଦ୍ୱିତୀୟ ଦିବସରେ ତେଲ ଦରବୃଦ୍ଧିକୁ ନେଇ କଂଗ୍ରେସ ଏବଂ ଶିକ୍ଷକଙ୍କ ଦାବିକୁ ନେଇ ବିିଜେପି ସଭ୍ୟମାନେ ହୋ ହଲ୍ଲା କରିବାରୁ ଗୃହକାର୍ୟ୍ୟ ଚଳାଇବା ସମ୍ଭବ ନଥିଲା। ସେଥିପାଇଁ ଆଜି ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଚଳ ହୋଇ ପଡିଥିଲା। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ପର୍ୟ୍ୟନ୍ତ ମୁଲତବୀ ରଖିବାକୁୁ ପଡ଼ିଥିଲା।
ବୁଧବାର ପ୍ରଶ୍ନକାଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଖାଉଟି ସାମଗ୍ରୀର ଚାହିଦା ଆକଳନ ଲାଗି ଥିବା ପଦ୍ଧତି ସଂକ୍ରାନ୍ତରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ରଙ୍କୁ ଡାକିଥିଲେ। ଏହି ସମୟରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହ ମଧ୍ୟଭାଗକୁ ଆସି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଶ୍ରୀ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରୁ କାଗଜପତ୍ର ଛଡ଼ାଇବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ ଚଳାଇଥିବାବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ଅନ୍ୟ ସଦସ୍ୟମାନେ ଶିକ୍ଷକ ସମସ୍ୟା ନେଇ ଗର୍ଜିଥିଲେ।
ଗୁରୁ ଦିବସରେ ଶିକ୍ଷକମାନେ ରାଜରାସ୍ତାରେ ହକ୍‍ ପାଇଁ ଲଢ଼େଇ କରୁଥିବାରୁ ଏଥିନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଗୃହ ଅଶାନ୍ତ ହୋଇପଡ଼ିବାରୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ ହେବାର ମାତ୍ର ଏକ ମିନିଟ୍‍ ପରେ ସାଢ଼େ ୧୧ଟା ପର୍ୟ୍ୟନ୍ତ ମୁଲତବି ରଖିିଥିଲେ। ଏହି ସମୟରେ ବିଧାୟକ ପ୍ରକାଶ ବେହେରା ସାଲେପୁରକୁ ଏନ୍‍ଏସି ମାନ୍ୟତା ଦାବି ନେଇ ଗୃହର ମଧ୍ୟ ଭାଗରେ ଧାରଣା ଦେଇଥିଲେ।
ସାଢ଼େ ୧୧ଟାରେ ଶୂନ୍ୟକାଳରେ ବାଚସ୍ପତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାର ସୁଯୋଗ ଦେଇଥିଲେ। ଶ୍ରୀ ମିଶ୍ର ସାଲେପୁର ପ୍ରସଙ୍ଗକୁ କାହିଁକି ଗୁରୁତର ସହ ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ଏଥିନେଇ କାର୍ୟ୍ୟପନ୍ଥା ଗ୍ରହଣ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେବାକୁ ଦାବି କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଗତ ୪ବର୍ଷ ମଧ୍ୟରେ ତୈଳଦର ମାତ୍ରାଧିକ ବଢ଼ିଛି। ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳଦର ପ୍ରତି ବ୍ୟାରେଲ ପିଛା ୧.୪୭ ଡଲାର ହୋଇଥିବାବେଳେ ଦେଶରେ କାହିଁକି ତୈଳଦର ଅହେତୁକ ବୃଦ୍ଧି ପାଉଛି ତାହା ବୁଝା ପଡୁନାହିଁ। ରାଜ୍ୟ ସରକାର ଏହାକୁ କାହିଁକି ଜିଏସ୍‍ଟି ପରିସରଭୁକ୍ତ କରିବାପାଇଁ କେନ୍ଦ୍ରକୁ କହୁନାହାନ୍ତି ଏବଂ ଭାଟ୍‍ ହ୍ରାସ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଗୋଟିଏ ଦେଶ ପାଇଁ ଏକକ ଟିକସ ପ୍ରଥା ପ୍ରଚଳନ ହେବାକଥା ମାତ୍ର ତାହା ହେଉନାହିଁ, ଫଳରେ ବିଭିନ୍ନ ରାଜ୍ୟରେ ତୈଳ ଦର ୮୦ଟଙ୍କା ଟପିଲାଣି। ସେ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ। କେଉଁଠାରେ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ତ କେଉଁଠି ଶିକ୍ଷକ ନାହାନ୍ତି। ଆଉ କେଉଁଠାରେ ଶିକ୍ଷକ ଥିଲେ ମଧ୍ୟ ତାଙ୍କୁ ଉଚିତ୍‍ ପ୍ରାପ୍ୟ ମିଳୁ ନଥିବାରୁ ସେମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ ମଧ୍ୟ ସରକାର କାର୍ୟ୍ୟକାରୀ କରୁନାହାନ୍ତି। ପ୍ରବଳ ବର୍ଷାରେ ଗୁରୁଦିବସରେ ରାଜରାସ୍ତାରେ ଶିକ୍ଷକମାନେ ଆନ୍ଦୋଳନରେ ବସିବାକୁ ବାଧ୍ୟ ହେଉଛନ୍ତି। ବିଧାନସଭାରେ ଏବେ ବିଭିନ୍ନ ବିଭାଗରେ ବହୁ ପଦ ପଦବି ଖାଲି ପଡିଛି। ଯାହାଦ୍ୱାରା ବିଧାନସଭା କାର୍ୟ୍ୟ ଠିକ୍‍ ଭାବେ ହୋଇପାରୁ ନାହିଁ। ଏ ଦିଗରେ ବାଚସ୍ପତି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଶ୍ରୀ ମିଶ୍ର ରୁଲିଂ ଦାବି କରିଥିଲେ। ବାଚସ୍ପତି ସିଲେକ୍ସନ କମିଟି ବୈଠକ ଡକାଇବା ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରୁଲିଂ ଦେଇଥିଲେ।
ବାଚସ୍ପତି ରୁଲିଂ ଦେବା ପରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ପୁନଶ୍ଚ ଗୃହ ମଧ୍ୟରେ ତେଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ ଜାରି ରଖିଥିଲେ। ସେହିପରି ବିଜେପି ସଦସ୍ୟମାନେ ନିଜ ସ୍ଥାନରେ ଛିଡା ହୋଇ ଶିକ୍ଷକମାନଙ୍କୁ ଉଚିତ୍‍ ପ୍ରାପ୍ୟ ଦାବିରେ ହଟ୍ଟଗୋଳ କରିଥିଲେ। ଅଶାନ୍ତ ପରିବେଶ ଲାଗିରହିବାରୁ ବାଚସ୍ପତି ବାଧ୍ୟହୋଇ ପୁଣିଥରେ ସାଢ଼େ ୧୨ଟା ପର୍ୟ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ। ସାଢ଼େ ୧୨ଟାରେ ବିଲ୍‍ ତାଲିକା, କମିଟି ରିପୋର୍ଟ, ପ୍ରସ୍ତାବ ଆଦି ଉପସ୍ଥାପନ ହୋଇଥିଲା। ପରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବା ସମୟରେ ହଟ୍ଟଗୋଳ ଲାଗିରହିବାରୁ ୧୨ଟା ୩୯ ମିନିଟ୍‍ରେ ବାଚସ୍ପତି ଆସନ୍ତାକାଲି ସାଢ଼େ ଦଶଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

Leave A Reply