ରାଫେଲ ନିର୍ମାଣ ପାଇଁ ହାଲ୍‍କୁ ପ୍ରସ୍ତାବ ଆସି ନ ଥିଲା

0


 ବଲାଙ୍ଗିର: ରାଫେଲକୁ ନେଇ ସାରା ଦେଶରେ କଂଗ୍ରେସ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଥମିନାହିଁ। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନରେ ରାଫେଲ ସମ୍ପର୍କିତ ଅନେକ ତଥ୍ୟ ପଦାକୁ ଆସିଛି। ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରି ଅଭିଜ୍ଞତା ସମ୍ପନ୍ନ ହାଲ୍‍କୁ ଉପେକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି।
ଶ୍ରୀ ପଣ୍ଡା ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ରାଫେଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମୋଦି ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଆଣି ନିଜ ସ୍ୱରକୁ ଶାଣିତ କରିଛି। ପ୍ରଚୁର ଅଭିଜ୍ଞତା ସମ୍ପନ୍ନ(ହାଲ୍‍) ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡକୁ ରାଫେଲ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିବା ହାଲ୍‍ର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ଶ୍ରୀ ପଣ୍ଡା ହାଲ୍‍ର ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ହାଲ୍‍ ପକ୍ଷରୁ ପ୍ରଦାନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ହାଲ୍‍ରେ ୪୧୦୦ରୁ ଊର୍ଦ୍ଧ୍ବ ବିମାନ
ଓ ହେଲିକପ୍ଟର ତିଆରି କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ଏଚ୍‍ଟି-୨, ପୁଷ୍ପକ, କ୍ରିଷକ, ମାରୁତ ଏମ୍‍କେ-୧/୧ଏ(ଏଚ୍‍ଜେଟି ୧୬), ବସନ୍ତ, ଅଜିତ୍‍, କିରନ ଏମ୍‍କେ- ୨ (ଏଚ୍‍ଜେଟି ୧୬), ଏଚପିଟି ୩୨, ଏଚ୍‍ଟିଟି ୩୪, ଏଏଲ୍‍ଏଚ୍‍, ଲକ୍ଷ୍ୟ (ପିଟିଏ), ଏଲ୍‍ସିଏ, ଏଚ୍‍ଟିଟି -୪୦, ଏଲ୍‍ସିଏଚ୍‍, ଏଲ୍‍ୟୁଏଚ୍‍, ମାରୁତ ଟ୍ରେନର, ଅଜିତ ଟ୍ରେନର ନିର୍ମାଣ କରାଯାଇଛି। ବିଦେଶୀ ଜ୍ଞାନକୌଶଳରେ ପ୍ରେଣ୍ଟସ୍‍, ଭେମ୍ପାୟାର ଫାଇଟର୍‍, ଜିନାଟ, ଏଚ୍‍ଏସ୍‍-୭୪୮/ଏମ୍‍, ଚେତକ, ମିଗ୍‍-୨୧ଏଫଏଲ୍‍, ଚିତାହ, ମିଗ୍‍-୨୧ଏମ୍‍, ମିଗ୍‍-୨୧ବିଆଇଏସ୍‍, ଜାଗୁଆର, ମିଗ-୨୭ଏମ୍‍, ଡୋରନିଏର୍‍-୨୨୮, ଏସ୍‍ୟୁ-୩୦ଏମକେଆଇ, ହକ, ଭେମ୍ପାୟାର ଟ୍ରେନର, ଚିତଲ ନାମକ ବିମାନ ଓ ହେଲିକପ୍ଟର ସିରିଜ ନିର୍ମାଣ କରାଯାଇଛି। ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହାଲ୍‍ରେ ସମୁଦାୟ ୨୮,୬୧୬ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏହାସହ ଏସ୍‍ୟୁ-୩୦ ଏମ୍‍କେୟୁ, ଡିଓ-୨୨୮, ହକ୍‍, ଏଲ୍‍ସିଏ ବିମାନ ଏବଂ ଏଏଲ୍‍ଏଚ୍‍, ଚିତଲ, ଚେତକ, ଚିତା ହେଲିକପ୍ଟର ନିର୍ମାଣ ଚାଲିଥିବା ଅନୁଷ୍ଠାନ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Leave A Reply