ରାଜନୀତି ପଶାପାଲିରେ ‘ଗୋଟି’ ପାଲଟିଛି ଚାଷୀ

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ଚାହୁଁ ନାହାନ୍ତି: ବିଜେପି

ଚାଷୀ ଆନ୍ଦୋଳନରୁ ନଜର ହଟାଇବାକୁ ରାଜନୈତିକ ଡ଼୍ରାମା: ବିଜେଡ଼ି

କେନ୍ଦ୍ର ଉପରେ ୪୮୦୪ କୋଟି ଟଙ୍କା ଧାନକିଣା ସବସିଡ଼ି ବାକି

ଭୁବନେଶ୍ବର: ଚାଷୀଙ୍କ ପାଇଁ ସମସ୍ତେ କାନ୍ଦୁଛନ୍ତି । ଚାଷୀଙ୍କୁ ଲାଗି ହାତୀ, ଘୋଡ଼ା ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଦର୍ଶାଇ ସେମାନଙ୍କର ସମର୍ଥନ ହାସଲ ଲାଗି ପ୍ରୟାସ କରୁଛନ୍ତି । ଚାଷୀଙ୍କ ଆୟ ଦୁଇଗୁଣ କରାଯିବାକୁ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି । ମାତ୍ର ଚାଷୀ ୩ ଦଶନ୍ଧି ତଳେ ଯେଉଁଠି ଥିଲା, ଆଜି ସେଠୁ ବିଶେଷ ଆଗକୁ ଆଗେଇ ପାରିନାହିଁ । ରାଜ୍ୟ ଓ କେନ୍ଦ୍ରର ସାମଗ୍ରିକ ଅଭିବୃଦ୍ଧିରେ କୃଷିର ଅବଦାନ ଦିନକୁ ଦିନ ହ୍ରାସ ପାଉଛି, କୃଷକଙ୍କ ସଂଖ୍ୟା କମୁଛି । ଦିନକୁ ଦିନ ପଡ଼ିଆ ପଡ଼ୁଥିବା କୃଷି ଉପଯୋଗୀ ଜମି ପରିମାଣ ବଢ଼ିବାରେ ଲାଗିଛି । ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ହୁଏତ କୃଷି ଉତ୍ପାଦନ ବୃଦ୍ଧି ପାଇଛି; ମାତ୍ର କୃଷକର ଆୟ ସେପରି ଆଖି ଦୃଶିଆ ବଢ଼ି ପାରିନାହିଁ ।  ଏହି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନକୁ ନେଇ ଉତ୍ତରଭାରତରେ ଆନ୍ଦୋଳନ ଚାଲିଥିବାବେଳେ ଓଡ଼ିଶାରେ କିନ୍ତୁ ବିପରୀତ ପ୍ରତିକ୍ରିୟା ଦୃଶ୍ୟମାନ ହୋଇଛି ।  ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । ଆସନ୍ତା କାଲି ଦଳ ପକ୍ଷରୁ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟ ଘେରାଉ କରାଯିବାକୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।  ଅନ୍ୟପକ୍ଷରେ ବିଜେପିର ଏହି ଘେରାଉ କାର୍ଯ୍ୟକ୍ରମକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛି ବିଜେଡ଼ି ।  କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବାପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ୍‍ ଘେରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ହେଉଛି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଚାହୁଁ ନାହାନ୍ତି । ଲକ୍ଷ ଲକ୍ଷ ଚାଷୀ ଧାନ ସହ ରାଜରାସ୍ତାରେ ବସିଛନ୍ତି, କିନ୍ତୁ ସରକାର ଧାନ କିଣୁ ନାହାନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି  ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି।  କଟନୀ ଛଟନୀରେ ୧୦ କେଜିି ପର୍ଯ୍ୟନ୍ତ ଧାନ କଟାଯାଉଛି ।  ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ଓଡ଼ିଶାର ଚାଷୀ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଅସହଯୋଗ ଯୋଗୁଁ ଲକ୍ଷଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଞ୍ଚିତ ହୋଇଛନ୍ତି।ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ରାଜ୍ୟ ସରକାର ଚାଷୀଙ୍କ ପରିବର୍ତ୍ତେ ମିଲରଙ୍କ ସ୍ବାର୍ଥ ଲାଗି କାମ କରୁଛନ୍ତି । ତେଣୁ ଏହା ବିରୋଧରେ ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ବିଧାନସଭା କ୍ଷେତ୍ର ଏବଂ ବୌଦ୍ଧ ଜିଲାର ୨ଟି ନିର୍ବାଚନ ମଣ୍ଡଳୀର ଚାଷୀମାନେ ସମ୍ବଲପୁରରେ ଆରଡ଼ିସି କାର୍ଯ୍ୟାଳୟ ଘେରିବେବୋଲି ସେ ଚେତାବନୀ ଦେଇଛନ୍ତି ।

ମାତ୍ର ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡ଼ି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ବିଜେପି ରାଜନୈତିକ ଡ଼୍ରାମା କରୁଛି।କେନ୍ଦ୍ରର କୃଷି ଆଇନ୍‍କୁ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି । ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଧ୍ୱନି ମତରେ ବିଲ୍‍ ପାଶ କରାଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବାବେଳେ ସେଥିରୁ ନଜର ହଟାଇବାପାଇଁ ଏବେ ଷଡଯନ୍ତ୍ର ଆରମ୍ଭ ହୋଇଛି ।  ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଆରଡିସି ଅଫିସ ଘେରାଉ ଲାଗି ବିଜେପି ଘୋଷଣା କରିଛି।୨୦୦୩-୦୪ ବେଳକୁ ରାଜ୍ୟରେ ୧୦ରୁ ୧୧ଲକ୍ଷ  ଟନ୍‍ ଧାନ ସଂଗ୍ରହ ହେଉଥିଲା, ଏବେ ୬୫ରୁ ୭୦ଲକ୍ଷ ଟନ୍‍ ଧାନ ସଂଗ୍ରହ ହେଉଛି ।  ଚଳିତବର୍ଷ ଗତବର୍ଷ ତୁଳନାରେ ୨୫% ଅଧିକ ଧାନ ସଂଗ୍ରହ ହୋଇଛି । ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିଛି । ତେଣୁ ଧାନ ଉଠା ଯାଉ ନାହିଁ ବୋଲି ବିଜେପିର ଅଭିଯୋଗ ଅସତ୍ୟ ଏବଂ  ଏକ ରାଜନୈତିକ ଚିନ୍ତା ଧାରାରେ ସରକାରଙ୍କୁ କାଠଗଡାରେ ଛିଡା କରାଇବାପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି ।  ଓଡିଶାରେ ଚାଷୀଙ୍କ ଠାରୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି ବରଂ କେନ୍ଦ୍ରର କୃଷି ଆଇନ୍‍ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାପାଇଁ ଶ୍ରୀ ଦେବ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଚାଷୀଙ୍କୁ ଅବହେଳା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କୃଷି ଆଇନ ସଂଶୋଧନ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବାବେଳେ ରାଜ୍ୟରେ କୃଷକଙ୍କ ସ୍ବାର୍ଥ ହାସଲ କ୍ଷେତ୍ରରେ ଶାସକ ବିଜେଡ଼ି ବାଧକ ହୋଇଛି ବୋଲି ଅଭିଯୋଗ କରିଛି । ଗତ କିଛିଦିନ ହେଲା ରାଜ୍ୟରେ କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ କଟୁ ଭାଷାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି, ବିକ୍ଷୋଭ କରାଯାଇଛି । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏହି ଅବସରରେ ରାଜ୍ୟ ସରକାରଙ୍କୁ କ୍ଷେତକୁ ଜଳସେଚନ ଓ ଧାନ କିଣା ପ୍ରସଙ୍ଗ ନେଇ ଅନେକ ପ୍ରଶ୍ନ ପଚାରି ଅଡ଼ୁଆ ପରିସ୍ଥିତିରେ ପକାଇଛନ୍ତି ।

ଦୁଇ ଦଳ ଧାନ କିଣା ଓ ଚାଷୀ ସମସ୍ୟାକୁ ନେଇ ପରସ୍ପରକୁ ଅଙ୍ଗୁଳି ଦେଖାଉଥିବାବେଳେ ଧାନ କିଣା ସବସିଡ଼ି ବାବଦରେ ୪୮୦୪.୨୭ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ତୃତୀୟ ତ୍ରୟମାସିକ ସବସିଡ଼ି ବାବଦରେ ରାଜ୍ୟ ସରକାର କେନ୍ଦ୍ରଠାରୁ ୩୨୫୦.୮୫ କୋଟି ଟଙ୍କା ଦାବି କରିଥିବାବେଳେ ୪ର୍ଥ ତ୍ରୟମାସିକରେ ଅଗ୍ରୀମ ସବସିଡ଼ି ବାବଦରେ ୧୫୫୩.୪୧ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଛି ।

Comments are closed.