ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ: ୨୬ରେ ପରବର୍ତ୍ତୀ ଶୁଣାଣି, ପ୍ରତିପକ୍ଷଙ୍କୁ ନୋଟିସ

0

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଏବଂ ଶ୍ରୀଜଗନ୍ନାଥଙ୍କ ୧୩ ଶହ ଏକର ଜମି ବେଦାନ୍ତକୁ ଦେବା ଘଟଣାର ସିବିଆଇ ତଦନ୍ତ ପାଇଁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ରେ କରିବାକୁ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବନାକୁ ସମ୍ମାନ ଦିଆଯାଇ ସମସ୍ତ ଘଟଣାକ୍ରମରେ ବିଦ୍ଧିବଦ୍ଧ ତଦନ୍ତ ପାଇଁ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟାର୍ସର ଅଧ୍ୟକ୍ଷ ତଥା ଆଡଭୋକେଟ ଦେବାଷିଶ ମିଶ୍ର ଦାୟର ମାମଲାରେ ଦର୍ଶାଇଛନ୍ତି ଯେ ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରାଯାଇ ଘଟଣାକ୍ରମକୁ ଗୋଳମାଳିଆ କରିଦିଆଯାଇଛି। ପ୍ରକୃତ ସତ୍ୟ କ’ଣ କେହି ଜାଣି ପାରୁନାହାନ୍ତି। ଡୁପ୍ଳିକେଟ ଚାବି ତିଆରି ନେଇ କୌଣସି ବ୍ୟବସ୍ଥା ନଥିଲେ ମଧ୍ୟ ଡୁପ୍ଳିକେଟ ଚାବି ମିଳିବା କଥା ପୁରୀ ଜିଲାପାଳ ଜଣାଇବା ପରେ ସମସ୍ତ ଘଟଣାକ୍ରମ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରେକର୍ଡ ଅନୁଯାୟୀ ଅସଲି ଚାବି ପୁରୀ ଜିଲା ଟ୍ରେଜେରୀରେ ମହଜୁଦ ଅଛି। ତାପରେ ମଧ୍ୟ ଡୁପ୍ଳିକେଟ ଚାବି ପ୍ରସ୍ତୁତ କରାଯାଇ ଦୀର୍ଘ ଦିନ ଧରି ବ୍ୟବହାର କରାଯାଉଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ଚାବି ହଜିବା ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଶ୍ରୀମନ୍ଦିର ଦୈନନ୍ଦିନ ପରିଚାଳନା ସହ ଜଡ଼ିତ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଆଇନ ସଚିବ, ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳଙ୍କୁ ସିବିଆଇ ତଦନ୍ତ ପରିସର ଭୁକ୍ତ କରିବାକୁ ଆଡଭୋକେଟ ଶ୍ରୀ ମିଶ୍ର ନିବେଦନ କରିଛନ୍ତି।
ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ରେ ଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ଜମିକୁ ଅନ୍ୟ କୌଣସି ଅନୁଷ୍ଠାନ, ସଂସ୍ଥା ନାମରେ ହସ୍ତାନ୍ତର କରିବାର ବ୍ୟବସ୍ଥା ନାହିଁ। ଜଗନ୍ନାଥଙ୍କ ନାମରେ ଥିବା ପ୍ରାୟ ୧୩ଶହ ଏକର ଜମିକୁ ବେଦନ୍ତ କମ୍ପାନୀ ହାତରେ ଟେକି ଦିଆଯାଇଛି ବୋଲି ପିଟିସନକାରୀ ଅଭିଯୋଗ କରିଛନ୍ତି। ବେନିୟମ ଭାବେ ଜଗନ୍ନାଥ ଜମି ବେଦାନ୍ତ କମ୍ପାନୀ ପାଇଁ ରାଜ୍ୟ ସରକାର ଅଧିଗ୍ରହଣ କରିଛନ୍ତି। କ୍ଷତିପୂରଣ ବାବଦ ଅର୍ଥ କେଉଁ ଆକାଉଣ୍ଟରେ ଜମା କରାଯାଇଛି ଅଦ୍ୟାବଧି ସରକାର ସ୍ପଷ୍ଟ କରିନାହାନ୍ତି ବୋଲି ପିଟିସନକାରୀ ଆଡଭୋକେଟ ମିଶ୍ର ଅଭିଯୋଗ କରିଛନ୍ତି।

Leave A Reply