ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ

0

ଢେଙ୍କାନାଳ ସଦର: ଢେଙ୍କାନାଳ ସଦରବ୍ଲକ ଅନ୍ତର୍ଗତ ବେଲଟିକିରି ଠାରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ସାଲଗାଡ଼ିଆ ହାପି ଆଣ୍ଡ ହୋଲି ହୋମ୍‍ ସୋସାଇଟି ଦ୍ୱାରା ପରିଚାଳିତ ଶିଶୁ ଆଶ୍ରୟ ଗୃହର ବିଦେଶୀ ଅନୁଦାନ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ। ରାଜ୍ୟର ବିଭିନ୍ନ ସ୍ଥାନରେ ସଂସ୍ଥାର ଥିବା ଆଶ୍ରୟ ଗୃହଗୁଡିକୁ କେଉଁ ଠାରୁ ଅନୁଦାନ ଆସୁଥିଲା ସେ ନେଇ ନିର୍ଦେଶାଳୟ ଶନିବାର ଠାରୁ ଖୋଳତାଡ ଆରମ୍ଭ କରିଛିି। ଏହି ସଂସ୍ଥା ବର୍ଷକୁ ପ୍ରାୟ ୧୩/୧୪ କୋଟି ଟଙ୍କା ବିଦେଶୀ ଅନୁଦାନ ପାଇଥିବା ନେଇ ପୁଲିସ ତଥ୍ୟ ପ୍ରଘଟ କରିଥିଲା ବିଦେଶରୁ କେଉଁ ସଂସ୍ଥା ଏତେ ପରିମାଣର ଟଙ୍କା ଦେଇଥିଲା ଏବଂ ତାହା କେଇଁ ବାବଦରେ ଖର୍ଚ୍ଚ ହେଉଥିଲା ତଦନ୍ତ ପରିସରଭୁକ୍ତ ହୋଇଛି। ସାଲଗାଡ଼ିଆ ହାପି ଆଣ୍ଡ ହୋଲି ହୋମ୍‍ ସୋସାଇଟିର ମୁଖ୍ୟ ଫୟାଜ୍‍ ରେହମାନଙ୍କର ରାଜ୍ୟରେ ବେଲଟିକିରି ଭଳି ୨୫ଟି ଆଶ୍ରୟ ଗୃହ ଚାଲିଥିବା ଜଣାଯାଇଛି। ପୁଲିସ ତଦନ୍ତରୁ ଫୟାଜ୍‍ର ଡଲାର ସାମ୍ରାଜ୍ୟ ନେଇ ତଥ୍ୟ ମିଳିଥିଲା। ଆମେରିକାର କାଲିଫର୍ଣ୍ଣିଆରୁ ହାପି ଆଣ୍ଡ ହୋଲି ହୋମ୍‍ ସୋସାଇଟିର ପଶ୍ଚିମବଙ୍ଗ ସାଲଗାଡ଼ିଆ ଅଫିସକୁ ଅନୁଦାନ ଆସିଥାଏ। ବାର୍ଷିକ ୧୩ / ୧୪କୋଟି ଟଙ୍କା ବିଦେଶୀ ଅନୁଦାନ ସଂଗ୍ରହ କରାଯାଇଥାଏ। ଭାରତରୁ ପ୍ରାୟ କୋଟିଏ ଦୁଇକୋଟି ଟଙ୍କା ଦାନ ଆକାରରେ ଏଥିପାଇଁ ଅର୍ଥ ଆସିଥାଏ। ଏହିସବୁ ଅର୍ଥରେ ଶିଶୁମାନଙ୍କର ପାଠପଢ଼ା, ବହିପତ୍ର, ପୋଷାକ, ଡ୍ରିମ୍‍ ସେଣ୍ଟର ପାଇଁ ଜମି କ୍ରୟ, କୋଠା ନିର୍ମାଣ କରିବା ଆଦିରେ
ଖର୍ଚ୍ଚ କରାଯାଇଥାଏ। ପଶ୍ଚିମବଙ୍ଗର ସାଲଗାଡ଼ିଆ ଅଫିସ୍‍ରୁ ଟଙ୍କା ଭୁବନେଶ୍ୱରର ଏକ ବ୍ୟାଙ୍କକୁ ଆସୁଥିଲା ଏବଂ ସେଠାରୁ ରାଜ୍ୟର ବିଭିନ୍ନ ଆଶ୍ରୟ ଗୃହକୁ ଯାଉଥିଲା। ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ ବେଲଟିକିରି-କାଇମାଟି ଶାଖା ମାଧ୍ୟମରେ ବେଲଟିକିରି ଶାଖା ମାଧ୍ୟମକୁ ଅର୍ଥ ଆସୁଥିଲା। ଆଶ୍ରୟ ଗୃହର ଅନ୍ତେବାସୀମାନଙ୍କୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଉଥିଲା। ଏପରିକି ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନଥିବା ବେଳେ ଯୈାନ ନିର୍ଯାତନାର ଅଭିଯୋଗ ଉଠିଛି।
ଢେଙ୍କାନାଳ ସଦରବ୍ଲକ ଅନ୍ତର୍ଗତ ବେଲଟିକିରି ଠାରେ ପ୍ରାୟ ୨.୮୩ ଏକର ପରିମିତ ଜମିରେ ଢେଙ୍କାନାଳ ଡ୍ରିମ୍‍ ସେଣ୍ଟର ନାମରେ ୨୦୧୭ ମସିହାରୁ ଏକ ଶିଶୁ ଆଶ୍ରୟ ଗୃହ ଚାଲୁଥିଲା। ସଂସ୍ଥା ୨୦୧୫ରେ ପ୍ରଥମେ ଷ୍ଟେସନ୍‍ ବଜାର କାଲ୍‍ଟାକ୍ସ ଠାରେ ଏକ ଭଡ଼ା ଘରେ ଡ୍ରିମ୍‍ ସେଣ୍ଟର ଖୋଲିଥିଲା। ତତ୍କାଳୀନ ଜିଲାପାଳ ଡ୍ରିମ୍‍ ସେଣ୍ଟରରେ ଶିଶୁ ମାନେ ରହୁଥିବାରୁ ସଂସ୍ଥା ଜୁଭେନାଇଲ୍‍ ଜଷ୍ଟିସ୍‍ (କେୟାର ଆଣ୍ଡ ପ୍ରୋଟେକ୍ସନ୍‍) ଆକ୍ଟ-୨୦୦୦ ବିରୁଦ୍ଧାଚରଣ କରୁଥିବା ଦର୍ଶାଇ ବନ୍ଦ କରିଦେଇଥିଲେ। ସେତେବେଳେ ସଂସ୍ଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇ ଶିଶୁ ଗୃହ ବଦଳରେ ଶିକ୍ଷା କେନ୍ଦ୍ର ନାମରେ ଏହାକୁ ପରିଚାଳନା କରିବାପାଇଁ ଯୋଜନା କରିଥିଲେ। ବେଲଟିକିରିର ଜଣେ ଅନୁସୂଚିତ ଜାତି ମହିଳାଙ୍କ ଠାରୁ ଜାଗା କିଣି ସେଠାରେ ଡ୍ରିମ୍‍ ସେଣ୍ଟର ସ୍ଥାପନ କରିଥିଲେ। ଡ୍ରିମ୍‍ ସେଣ୍ଟରରେ ହାପି ଆଣ୍ଡ ହୋଲି ହୋମ୍‍ ସୋସାଇଟିର ମୁଖ୍ୟ ଡଃ ଫୟାଜ୍‍ ରେହମାନ୍‍ ଶିଶୁ ଅନ୍ତେବାସୀମାନଙ୍କୁ କୁଣ୍ଢେଇବା, ଚୁମ୍ବନ ଦେବା ଆଦି ସାଙ୍ଘାତିକ ଅଭିଯୋଗ ଆସିଥିଲା। ଏନେଇ ଦୁଇଜଣ ଅନ୍ତେବାସୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାପରେ ହଇଚଇ ସୃଷ୍ଟି ହୋଇଥିଲା। ବେଲଟିକିରି ଘଟଣା ପ୍ରଘଟ ହେବାର ଦିନକ ପରେ ଫୁଲନଖରା ଅନନ୍ତପୁର ଠାରେ ଥିବା ସଂସ୍ଥାର ଆଉ ଏକ ଡ୍ରିମ୍‍ ସେଣ୍ଟର ସାମ୍ନାରେ ସ୍ଥାନୀୟ ଲୋକେ ପୋଡ଼ାଜଳା କରି ପ୍ରତିବାଦ କରିଥିଲେ। ବେଲଟିକିରି କି ଫୁଲନଖରା ନୁହେଁ ରାଜ୍ୟର ଅନେକ ସ୍ଥାନରୁ ଏଭଳି ଅଭିଯୋଗ ଆସୁଛି। ସେଠାକୁ ନିୟମିତ ବିଦେଶୀ ଆସୁଥିବା ଏବଂ ଧର୍ମାନ୍ତରୀକରଣର ଅଭିଯୋଗ ମଧ୍ୟ ଉଠିଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଯାଞ୍ଚ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଆଶା ସଂଚାର ହୋଇଛି।

Leave A Reply