ମ୍ୟୁନିକରେ ଓଡ଼ିଶା ହକି ବିଶ୍ୱକପ୍‍ର ପ୍ରଚାର

0

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପର ବ୍ୟାପକ ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସକାଳେ ଓଡ଼ିଶା ସନ୍ଧ୍ୟାରେ ହକି’ ସ୍ଲୋଗାନ ମାଧ୍ୟମରେ ଭାରତ ସମେତ ବିଶ୍ୱରେ ପ୍ରଚାର ଦ୍ରୁତ ଗତିରେ ଆଗେଇ ଚାଲିଛି। ଲଣ୍ଡନ, କୁଆଲାଲୁମ୍ପୁର, ସିଡ୍‍ନୀ ପରେ ଏବେ ଜର୍ମାନୀର ପ୍ରସିଦ୍ଧ ସହର ମ୍ୟୁନିକ୍‍ରେ ଚାଲିଥିବା ବସ୍‍ରେ ବିଶ୍ୱକପ୍‍ ବିଜ୍ଞାପନ ଦେଇ ପ୍ରଚାର ଚଳାଇଛନ୍ତି ଓଡ଼ିଶା ସରକାର। ବସ୍‍ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ-୨୦୧୮ ଲୋଗୋ ସହ ‘ସକାଳେ ଓଡ଼ିଶା ଓ ସନ୍ଧ୍ୟାରେ ହକି’ ଲୋଗୋରେ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇଛି। ମ୍ୟୁନିକ୍‍ ସହରରେ ବର୍ତ୍ତମାନ ଏକ ସ୍ୱତନ୍ତ୍ର ଲୋକଉତ୍ସବ ଚାଲିଛି। ଏହି ଉତ୍ସବରେ ଭାଗନେବାକୁ ବିଶ୍ୱର କୋଣ ଅନୁକୋଣରୁ ପାଖାପାଖି ୬୦ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି। ଏଠାରେ ବର୍ତ୍ତମାନ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିବାରୁ ସେମାନଙ୍କୁ ଓଡ଼ିଶା ହକି ବିଶ୍ୱକପ୍‍ ଆଡକୁ ଟାଣିବା ପାଇଁ ଓଡ଼ିଶା ସରକାର ବସ୍‍ରେ ବିଜ୍ଞାପନ ଦେଇଛନ୍ତି।
କେବଳ ହକିପ୍ରେମୀ ନୁହନ୍ତି; ସେମାନଙ୍କ ସହ ପର୍ଯ୍ୟଟକମାନଙ୍କୁ ବିଶ୍ବକପ୍ ସମୟରେ ଓଡ଼ିଶାକୁ ଆସିବାକୁ ପ୍ରଚାର ଜୋରସୋର୍‍ରେ ଆଗେଇ ଚାଲିଛି। ହକି ବିଶ୍ୱକପ୍‍ ନିମନ୍ତେ ବିଦେଶୀଙ୍କୁ ଆକର୍ଷିତ କରିବା ସହ ଏହି ପ୍ରଚାର ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏ ସଂପର୍କରେ ସୂଚନା ଦେଇ କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି, ମ୍ୟୁନିକ୍‍ରେ ବର୍ତ୍ତମାନ ଏକ ସ୍ୱତନ୍ତ୍ର ଲୋକଉତ୍ସବ ଚାଲିଛି। ଏହି ଉତ୍ସବରେ ଯୋଗଦେବାକୁ ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ମ୍ୟୁନିକ୍‍ରେ ପହଞ୍ଚି ସାରିଛନ୍ତି। ହକି ବିଶ୍ୱକପ୍‍ର ପ୍ରଚାର ନିମନ୍ତେ ଏହା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ମ୍ୟୁନିକ୍‍ ସହରରେ ଚଳାଚଳ କରୁଥିବା ବସ୍‍ରେ ହକି ବିଶ୍ୱକପ୍‍ର ବିଜ୍ଞାପନ ଦିଆଯାଇଛି। ଏପରି କରାଯିବା ଫଳରେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ଓ ହକିପ୍ରେମୀ ବିଶ୍ୱକପ୍‍ ହକି ସଂପର୍କରେ ଜାଣିପାରିବେ। ବିଶ୍ୱକପ୍‍ ହକି ନିମନ୍ତେ ହକିପ୍ରେମୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଆସିବାକୁ ବିଦେଶୀମାନଙ୍କୁ ଏହି ପଦକ୍ଷେପ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

Leave A Reply