ମେଡିକାଲ କଲେଜ ଦାବିରେ ଭଦ୍ରକ ବନ୍ଦ ଆଜି

0

ଭଦ୍ରକ : ଆସନ୍ତାକାଲି, ୨୦୧୮ ମସିହା ନଭେମ୍ବର ୨୯ ତାରିଖ ହେବ ଭଦ୍ରକ ଜିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ମରଣୀୟ ଦିନ। କହିବାକୁ ଗଲେ ଏହା ହେବ ଏକ ଐତିହାସିକ ଦିନ। ଗତ ଦୁଇ ଦଶନ୍ଧି ମଧ୍ୟରେ ଭଦ୍ରକ ଜିଲାରେ ଅନେକ ଥର ବନ୍ଦ ଡାକରା ଦିଆଯାଇଛି। ସବୁ ବନ୍ଦ ପଛରେ ରାଜନୀତି ଅଥବା ରାଜନୈତିକ ଦଳର ହାକିମାତି ଥିଲା। ହେଲେ ପ୍ରଥମ ଥର ଲାଗି ଜିଲାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଦିଆଯାଇଛି ବନ୍ଦ ଡାକରା। ପ୍ରସଙ୍ଗ ହେଉଛି, ଭଦ୍ରକରେ ସରକାରୀ ମେଡିକାଲ କଲେଜ ସ୍ଥାପନ। ଦାବି ଭଦ୍ରକବାସୀଙ୍କର। ଆସନ୍ତାକାଲିର ବନ୍ଦ ବେଶ ସଫଳ ହେବା ସହ ସରକାରୀ ମେଡିକାଲ ପାଇଁ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଦେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗତ ଦେଢ଼ ମାସ ହେଲା ଏହି ଦାବି ନେଇ ଜିଲା ତମାମ ଚାଲିଛି ସଚେତନତା ଅଭିଯାନ ଓ ଶୋଭାଯାତ୍ରା। ଜିଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏ ଦିଆଯାଉଛି ସ୍ମାରକପତ୍ର। ସହରରୁ ମଫସଲ ଯାଏ ସବୁଠି ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସମ୍ପର୍କରେ ଚାଲିଛି ଚର୍ଚା। ସୋସିଆଲ ମିଡିଆରେ ଦୈନିକ ହଜାର ହଜାର ପୋଷ୍ଟ ମେଡିକାଲ କଲେଜ ଦାବି ସପକ୍ଷରେ। ସବୁଆଡେ ବି ଗୋଟିଏ ମତ, ଆମର ଦରକାର ମେଡିକାଲ କଲେଜ। ମେଡିକାଲ କଲେଜ ଦାବି ପ୍ରସଙ୍ଗରେ ଜନମତ ସୃଷ୍ଟି କରିବା ଓ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡରେ ପହଂଚାଇବା ଲାଗି ଯେଉଁ ଅନୁଷ୍ଠାନଗୁଡିକ କାମ କରୁଛନ୍ତି ସେମାନେ ନିହାତି ଧନ୍ୟବାଦାର୍ହ। ଏ ପରିପ୍ରେକ୍ଷୀରେ ଆସନ୍ତାକାଲି ଭଦ୍ରକ ବନ୍ଦକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରି ସାର୍ବଜନୀନ ସ୍ୱାର୍ଥ ସମ୍ବଳିତ ଦାବି ପୂରଣ ପାଇଁ ନିଜ ସ୍ୱର ସରକାରଙ୍କ ନିକଟରେ ପହଞ୍ଚିବାରେ ଉଦ୍ୟମ କରିବେ ବୋଲି ବିଭିନ୍ନ ସଂଗଠନ ନିବେଦନ କରିଛନ୍ତି।
ମେଡିକାଲ କଲେଜ ସଂଗ୍ରାମୀ ସେନା, ଜିଲା ଉନ୍ନୟନ ସଂଘର୍ଷ ସମିତି ଭଳି ଅନୁଷ୍ଠାନ ଜିଲା ସଦର ମହକୁମାରେ ପୃଥକ ଭାବେ ଆନ୍ଦୋଳନକୁ ଆଗକୁ ନେଉଥିଲେ ବି ସେମାନଙ୍କ ଲକ୍ଷ୍ୟ ଗୋଟିଏ ରହିବା ଓ ବାହାବା ନେବା ଲାଗି କୌଣସି ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ବି ପରିଲକ୍ଷିତ ନହେବା ଆନ୍ଦୋଳନ ପାଇଁ ନିହାତି ଶୁଭ ଲକ୍ଷଣ ହୋଇଛି। ପୁଣି ଗ୍ରାମାଂଚଳ ଓ ବ୍ଲକ ସ୍ତରରେ ବହୁ ଅନୁଷ୍ଠାନ ଆପକୁ ଆପେ ଆନ୍ଦୋଳନରେ ଝାସ ଦେଲେଣି। ଏଣୁ ଆଗକୁ ଆନ୍ଦୋଳନ ଦବିବ ନାହିଁ, ଆହୁରି ତୀବ୍ର ହେବାର ଆଭାସ ମିଳିଛି। ଆସନ୍ତାକାଲିର ବନ୍ଦ ସଫଳ ହେବା ପ୍ରାୟ ନିଶ୍ଚିତ। କାରଣ ଆନ୍ଦୋଳନ ସପକ୍ଷରେ ଜନମତ ବେଶ ଜମିଛି। ଏହାକୁ ପରଖୁଥିବା ବିରୋଧୀ ରାଜନୈତିକ ଦଳ ମଧ୍ୟ ‘ବନ୍ଦ’କୁ ଆନୁଷ୍ଠାନିକ ଭାବେ ସମର୍ଥନ ଘୋଷଣା କରିସାରିଛନ୍ତି। ବିଜେପି, କଂଗ୍ରେସ, ବାମପନ୍ଥୀ ଦଳଗୁଡିକ ବନ୍ଦକୁ ସମର୍ଥନ କରିବେ ଓ ପାଳନରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ବାକି ରହିଛି ଶାସକ ବିଜେଡିର ଆଭିମୁଖ୍ୟ। ‘ବନ୍ଦ’କୁ ସମର୍ଥନ କରିବା ନ କରିବା ଜିଲାର ଶାସକ ଦଳର ନେତୃବୃନ୍ଦଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ଶାସକ ଦଳର ନିର୍ବାଚିତ ପ୍ରତିନିିଧିଙ୍କ ବ୍ୟକ୍ତିଗତ ଭୂମିକା। ୫ ଜଣ ଯାକ ବିଧାୟକ, ସାଂସଦ ଶାସକ ବିଜେଡିର। ତହିଁରୁ ପୁଣି ୨ ଜଣ ମନ୍ତ୍ରୀ।
ଏଣୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ଦାବି ହାସଲ ଲାଗି ଏହି ପ୍ରତିନିଧିମାନଙ୍କ ଦାୟିତ୍ୱ ଓ ଭୂମିକା ସବୁଠାରୁ ବେଶି। ସରକାରୀ ସ୍ତରରେ ଦାବି ସପକ୍ଷରେ ଲବି କରିବା, ସରକାରଙ୍କୁ ବାସ୍ତବତା ସମ୍ପର୍କରେ ଅବଗତ କରାଇବା ଓ ମେଡିକାଲ କଲେଜ ଦାବି ସପକ୍ଷରେ ସୃଷ୍ଟ ଜନମତକୁ ସରକାର କିଭଳି ସମ୍ମାନ ଦେବେ ତାହାର ଦାୟିତ୍ୱ ଶାସକ ଦଳର ଏହି ପ୍ରତିନିଧିମାନଙ୍କର। ଏହି ପ୍ରତିନିଧିମାନେ ଯେ ଆଦୌ ତୁଲାଉନାହାଂତି ତାହା କହିବା ମଧ୍ୟ ଭୁଲ ହେବ। କାରଣ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ ଭଦ୍ରକରେ ମେଡିକାଲ କଲେଜ ଦାବି ସପକ୍ଷରେ ମତ ରଖି ସାରିଛନ୍ତି। ବିଧାନସଭାରେ ଏବାବଦରେ ଚର୍ଚା କରି ସାରିଛନ୍ତି। କିନ୍ତୁ ସେମାନଙ୍କ ଉଦ୍ୟମ ସେଇଠି ହିଁ ଅଟକି ଯାଇଛି। କହିବାକୁ ଗଲେ ଆଭିମୁଖ୍ୟ ସକାରାତ୍ମକ ଥିଲେ ବି ସେମାନେ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇନାହାଂତି କି ଦୃଢ ଇଚ୍ଛାଶକ୍ତିକୁ ପ୍ରଦର୍ଶନ କରୁନାହାଂତି। ଦେଢ ମାସ ଭିତରେ ସାଂସଦ, ବିଧାୟକ ଓ ମନ୍ତ୍ରୀଦ୍ୱୟ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଭେଟି ପାରିନାହାଂତି। ମେଡିକାଲ କଲେଜ ସପକ୍ଷରେ ଥିବା ଜନମତ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ନାହିଁ। ଏଥିପାଇଁ କ’ଣ ବାଧକ ରହିଛି ତାହା ସମସ୍ତଙ୍କ ଲାଗି ଅବୁଝା ରହିଯାଇଛି। ଯେଉଁଦିନ ଆମ ମନ୍ତ୍ରୀ,ବିଧାୟକ ଓ ସାଂସଦ ସମସ୍ତ ରାଜନୈତିକ ଆଶଂକା/ଭୟକୁ ପରିହାର କରି ମୁଖ୍ୟମନ୍ତ୍ରୀଙ୍କ ପାଖେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଯୁକ୍ତି ବାଢିବେ ସେଦିନ ହୁଏତ ଆନ୍ଦୋଳନ ନିର୍ଣ୍ଣାୟକ ମୋଡରେ ପହଂଚିଯିବ। ଏହା ମଧ୍ୟ ଅଧିକାଂଶ ଜିଲାବାସୀଙ୍କ ମତ ଓ ଇଚ୍ଛା। ‘ବନ୍ଦ’ ପରେ ହୁଏତ ଜନମତକୁ ସମ୍ମାନ ଜଣାଇ ଜିଲାର ନିର୍ବାଚିତ ପ୍ରତନିିଧିମାନେ ଏହା କରି ଦେଖାଇବେ ବୋଲି ଆଶା।

Leave A Reply