ମୁହଁ ଖୋଲିଲେ ଆକବରଙ୍କ ପତ୍ନୀ: କହିଲେ ନିଜ ଇଚ୍ଛାରେ ସମ୍ପର୍କ ରଖିଥିଲେ ଗୋଗୋଇ

0

ନୂଆଦିଲ୍ଲୀ : ‘#ମି ଠୂ’ ଅଭିଯାନ କ୍ରମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‍. ଜେ ଆକବରଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ମଲ୍ଲିକା ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି। ଆକବରଙ୍କ ବିରୋଧରେ ‘ଦି ଏସିଆନ୍‍ ଏଜ୍‍’ର ପୂର୍ବତନ ସମ୍ପାଦିକା ପଲ୍ଲଭୀ ଗୋଗୋଇ ଆଣିଥିବା ବଳାତ୍କାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମଲ୍ଲିକା ଦର୍ଶାଇଛନ୍ତି। ସେ କହିଛନ୍ତି ସ୍ୱାମୀ ଆକବରଙ୍କ ବିରୋଧରେ ଏକାଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ବେଳେ ସେ ନୀରବ ରହିଥିଲେ। ମାତ୍ର ଗୋଗୋଇଙ୍କ ବଳାତ୍କାର ଅଭିଯୋଗ ତାଙ୍କୁ ମୁହଁ ଖୋଲିବାକୁ ବାଧ୍ୟ କରିଛି। ଗୋଗୋଇ ଏବଂ ଅନ୍ୟତମ ଅଭିଯୋଗକାରିଣୀ ତୁଷିତା ପଟେଲ ତାଙ୍କ ସ୍ୱାମୀଙ୍କ ସହିତ ସହମତି ଭିତ୍ତିରେ ସମ୍ପର୍କ ରଖିଥିଲେ। ଉଭୟ ଯୁବତୀ ଅଧିକାଂଶ ସମୟ ତାଙ୍କ ଘରକୁ ଆତଯାତ କରୁଥିଲେ। ମାତ୍ର ସେମାନଙ୍କ ହାବଭାବ ଦେଖି ସେମାନେ ଯୌନନିର୍ଯାତନା ପୀଡ଼ିତା ଭଳି ଆଦୌ ଜଣାପଡୁ ନ ଥିଲା। ଗୋଗୋଇ ନିଜ ଇଚ୍ଛାରେ ଆକବରଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ଯାହାକୁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା ବୋଲି ମଲ୍ଲିକା କହିଛନ୍ତି। ଉଭୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଟେଲିଫୋନରେ କଥା ହେବା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଆକବରଙ୍କ ପ୍ରତି ଗୋଗୋଇ ତାଙ୍କ ଉପସ୍ଥିତିରେ ମଧ୍ୟ ସହୃଦୟତା ପ୍ରଦର୍ଶନ କରିବା ଘଟଣାକୁ ନେଇ ମଲ୍ଲିକା କ୍ଷୁବ୍ଧ ହୋଇଥିଲେ। ଏକଦା ଏସିଆନ ଏଜ୍‍ର ଏକ କାର୍ଯ୍ୟକ୍ରମରେ ଉଭୟ ଖୁବ୍‍ ଅନ୍ତରଙ୍ଗ ଭାବେ ନୃତ୍ୟ କରୁଥିବା ଦେଖି ମଲ୍ଲିକା ପ୍ରଶ୍ନ କରିବାରୁ ଆକବର ନିଜ ପରିବାରକୁ ଗୁରୁତ୍ୱଦେବାକୁ ସ୍ଥିର କରିଥିଲେ। ଏହାକୁ ନେଇ ଗୋଗୋଇ ଉତ୍‍କ୍ଷିପ୍ତ ହେବା ସହିତ ମଲ୍ଲିକା ଏବଂ ତାଙ୍କ ପରିବାର ଲୋକଙ୍କ ସହିତ କଳହ କରିଥିଲେ। ଗୋଗୋଇଙ୍କ ସହିତ ସହମତି ଭିତ୍ତିରେ ଭାବପ୍ରବଣପୂର୍ଣ୍ଣ ସମ୍ପର୍କ ସ୍ଥାପନ ଘଟଣାକୁ ଆକବର ମଧ୍ୟ ସ୍ୱୀକାର କରିଛନ୍ତି।

Leave A Reply