ମୁଜାଫରପୁର ଅନାଥାଶ୍ରମ ନିର୍ଯାତନା ଘଟଣା: ପୀଡ଼ିତାଙ୍କ କଙ୍କାଳ ଉଦ୍ଧାର

0

ମୁଜାଫରପୁର: ମୁଜାଫରପୁର ନାବାଳିକା ଅନାଥାଶ୍ରମରେ ଘଟିଥିବା ଅପରାଧ ଓ ନିର୍ଯାତନାର ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚିତ ହେବାରେ ଲାଗିଛି। ସିକନ୍ଦରପୁର ଅଞ୍ଚଳରୁ ଏକ ମାନବ କଙ୍କାଳକୁ ସିବିଆଇ ଉଦ୍ଧାର କରିଛି। ଉକ୍ତ କଙ୍କାଳ ଅନାଥାଶ୍ରମର କୌଣସି ଜଣେ ପୀଡ଼ିତାଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ଡ୍ରାଇଭରର ବୟାନ ଓ ସୂଚନା ଆଧାରରେ ସିବିଆଇ ଉକ୍ତ କଙ୍କାଳ ଠାବ କରିଛି।
ବିହାରର ମୁଜାଫରପୁର ସ୍ଥିତ ନାବାଳିକା ଆଶ୍ରୟସ୍ଥଳରେ ଦୀର୍ଘ ଦିନ ଧରି ୪୦ ଜଣ ଅନ୍ତେବାସିନୀ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସ ଦ୍ୱାରା ଏହି ଘଟଣାର ପର୍ଦ୍ଦା ଫାସ ହେବା ପରେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ନିର୍ଯାତନା ସହି ନ ପାରି ଜଣେ ପୀଡ଼ିତାର ମୃତ୍ୟୁ ଘଟିବା ପରେ ତାର ଶରୀରକୁ ପୋତି ଦିଅଯାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ଜୁଲାଇ ୨୬ ତାରିଖରେ ଘଟଣାର ତଦନ୍ତ ଭାର ସିିବିଆଇକୁ ଦେବା ପାଇଁ ବିହାର ସରକାର ନିର୍ଦେଶ ଦେଇଥିଲେ।
ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ଆଶ୍ରମର ମୁଖ୍ୟ ପରିଚାଳକ ବ୍ରଜେଶ ଠାକୁର ଓ ତାଙ୍କ ଡ୍ରାଇଭରକୁ ସିବିଆଇ ଗିରଫ କରିଛି। ଜଣେ ଅନ୍ତେବାସୀନିଙ୍କ ମୃତ୍ୟୁ ଘଟିଥିବା ଓ ତାକୁ ପୋତି ଦିଆଯାଇଥିବା ଜେରା ବେଳେ ଡ୍ରାଇଭର ସ୍ୱୀକାର କରିଥିଲା। ଡ୍ରାଇଭର ସହିତ ତଦନ୍ତକାରୀ ଓ ଫରେନସିକ୍‍ ଟିମ୍‍ ଘଟଣାସ୍ଥଳକୁ ଯାଇ କଙ୍କାଳ ଉଦ୍ଧାର କରିଛନ୍ତି। ଡିଏନ୍‍ଏ ଟେଷ୍ଟ ପରେ ବ୍ରଜେଶ ଠାକୁରଙ୍କୁ ପୁଣି ରିମାଣ୍ଡରେ ନିଆଯାଇପାରେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ବିହାର ସାମାଜିକ କଲ୍ୟାଣ ବିଭାଗ ସହକାରୀ ନିର୍ଦେଶକ ରୋଜି ରାନି ଓ ତିନି କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି।

Leave A Reply