ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି,ଖୋଳତାଡ଼ ଆରମ୍ଭ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍‍ର ଆଜୀବନ କଏଦୀ ପୁଷ୍ପେନ୍ଦ୍ରନାଥ ଚୌହାନ ଦେଇଥିବା ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ତଦନ୍ତ କରୁଥିବା ବିଳାସପୁର ପୁଲିସ ରିପୋର୍ଟକୁ ଓଡ଼ିଶା ପୁଲିସ ଅପେକ୍ଷା କରିଛି। ବିଳାସପୁର ଏସ୍‍ପି ଆରିଫ ସେଖ୍‍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‍ପି ଏହି ଘଟଣାର ତଦନ୍ତ କରୁଛନ୍ତି। ଛତିଶଗଡ଼ ପୁଲିସ ମହାନିର୍ଦେଶକ ଏ.ଏନ୍‍. ଉପାଧ୍ୟାୟଙ୍କଠାରୁ ପ୍ରାଥମିକ ରିପୋର୍ଟ ପାଇବା ପରେ ଓଡ଼ିଶା ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କ୍ରାଇମ୍‍ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
ଛତିଶଗଡ଼ ଚମ୍ପା ଜିଲାର ଜାଞ୍ଜଗିରିର ପୁଷ୍ପେନ୍ଦ୍ରନାଥ ୨୦୦୯ରୁ ବିଳାସପୁର ଜେଲ୍‍ରେ ରହୁଛି। ତା’ ବିରୋଧରେ ୪୨ଟି ମାମଲା ରହିଛି। ପୁଷ୍ପେନ୍ଦ୍ର ମାଓବାଦୀ ସମର୍ଥକ ହୋଇଥିବାରୁ ତା’ର ଚିଠିକୁ ଓଡ଼ିଶା ପୁଲିସ ହାଲୁକା ଭାବେ ଗ୍ରହଣ କରୁନାହିଁ ବୋଲି ଅତିରିକ୍ତ ମହାନିର୍ଦେଶକ ଶ୍ରୀ ଉପାଧ୍ୟାୟ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଧମକପୂର୍ଣ୍ଣ ଚିଠି ପହଞ୍ଚିବା ପରେ ଗୃହ ବିଭାଗ ପକ୍ଷରୁ ଏନେଇ ଅନୁସନ୍ଧାନ କରିବାକୁ କ୍ରାଇମ୍‍ବ୍ରାଞ୍ଚକୁ ଦାୟିତ ଦିଆଯାଇଥିଲା। ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ୫୦ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା। ଅତିରିକ୍ତ ମହାନିର୍ଦେଶକ ଶ୍ରୀ ଉପାଧ୍ୟାୟ ଏନେଇ ଗତକାଲି ବିଳାସପୁର ପୁଲିସ ମହାନିର୍ଦେଶକ ଏ.ଏନ୍‍. ଉପାଧ୍ୟାୟଙ୍କ ସହ କଥାବାର୍ତ୍ତା ହେବା ପରେ ବିଳାସପୁର ଏସ୍‍ପି ଜେଲ୍‍କୁ ଯାଇ ଘଟଣାର ଅନୁସନ୍ଧାନ କରିଥିବା ଜଣାପଡିଛି। ବିଳାସପୁର ପୁଲିସର ରିପୋର୍ଟ ପହଞ୍ଚିବା ପରେ ଓଡ଼ିଶା ପୁଲିସ ପଦକ୍ଷେପ ନେବ। ତେବେ ପୁଷ୍ପେନ୍ଦ୍ରଙ୍କ ବିରୋଧରେ ସେଠାରେ ଏକ ମାମଲା ରଜୁ କରାଯିବା ନେଇ ସୂଚନା ମିଳିଛି। ରାଜ୍ୟର ନକ୍ସଲ ପ୍ରଭାବିତ ଜିଲାଗୁଡ଼ିକ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ଓଡ଼ିଶା ପୁଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମିଳିତ ଉଦ୍ୟମରେ ରାଜ୍ୟରେ ନକ୍ସଲ ପ୍ରାଦୁର୍ଭାବ ହ୍ରାସ ପାଇଛି। ପୁଷ୍ପେନ୍ଦ୍ର ଜଣେ ମାଓ ସମର୍ଥକ ହୋଇଥିବାରୁ ଏନେଇ ସେ କ୍ଷୁବ୍ଧ ହୋଇ ଚିଠି ଲେଖିଥାଇପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଦୀର୍ଘ ଦିନରୁ ଜେଲ୍‍ରେ ରହୁଥିବାରୁ ପୁଷ୍ପେନ୍ଦ୍ର ମାନସିକ ସନ୍ତୁଳନ ହରାଇଥିବା କୁହାଯାଉଛି।

Leave A Reply