ମାର୍ଚ୍ଚ ସୁଦ୍ଧା ସବୁ ସ୍କୁଲରେ ଗ୍ୟାସ୍‌ ସଂଯୋଗ

କରୋନାବେଳେ ୨୦ ହଜାର ବିଦ୍ୟାଳୟରେ ହେଲା ନୂଆ ସଂଯୋଗ l ଏଣିକି ରୋଷେଇ କରିବେ ୧୩ ହଜାର ଏସ୍‌ଏଚ୍‌ଜି ଗ୍ରୁପ୍‌

ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ସ୍କୁଲରେ ଦିଆଯାଇଥିବା ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ବିବିଧ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ବ ଦିଆଯାଇଛି। ବିଭାଗପକ୍ଷରୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ପରେ ବିବିଧ ନିଷ୍ପତ୍ତି ନିଆଯାଇଛି। ୩୦ ଜିଲାର ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନେଇ ବିଭାଗପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାର୍ଚ୍ଚା ସୁଦ୍ଧା ସବୁ ସ୍କୁଲରେ ଗ୍ୟାସ୍‌ ସଂଯୋଗ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କରୋନା ପ୍ରାଦୁର୍ଭାବ ଅଧିକ ଥିବାବେଳେ ସ୍କୁଲର ଭିତ୍ତିଭୂମି ସଜଡ଼ା ଯାଇଛି। ସ୍କ୍ୁଲ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟରୁ ମୁକ୍ତ କରିବାକୁ ରାଜ୍ୟର ୧୩ ହଜାର ୨୬୯ ନୂଆ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି ଗ୍ରୁପ୍‌)କୁ ନିୟୋଜିତ କରାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟର ମୋଟ ୫୫ ହଜାର ୫୨୨ ସ୍କୁଲ ମଧ୍ୟରୁ ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲର ରୋଷେଇ ଦାୟିତ୍ବ ଉକ୍ତ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ବିଭିନ୍ନ ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନ କାଠରେ ରୋଷେଇ କରିବା ଯୋଗୁଁ ଅଘଟଣ ଘଟିବା ସହ ଅସ୍ବାସ୍ଥ୍ୟକର ପରିବେଶ କ୍ୟାମ୍ପସ୍‌ରେ ସୃଷ୍ଟି ହେଉଥିଲା। କରୋନା ଯୋଗୁଁ ବିଦ୍ୟାଳୟରେ ପାଠପଢା ବନ୍ଦ ଥିବା ସମୟରେ ୨୦ ହଜାର ନୂତନ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ରାଜ୍ୟରେ ମୋଟ ୪୨ ହଜାର ସ୍କୁଲକୁ ଗ୍ୟାସ୍‌ ସଂଯୋଗ କରାଯାଇଥିବାବେଳେ ଅବଶିଷ୍ଟ ସ୍କୁଲରେ ଖୁବ୍‌ଶୀଘ୍ର ଗ୍ୟାସ୍‌ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।
ୟୁନିସେଫ ଓ ବିଭାଗର ମିଳିତ ସହଭାଗିତାରେ ମୋଟ ୫ ହଜାର ବିଦ୍ୟାଳୟରେ ହ୍ୟାଣ୍ଡୱାସ୍‌ ଷ୍ଟେସନ୍‌ ଲଗାଯାଇଛି। ଏଥିରେ ଚାରୋଟି ଟ୍ୟାପ୍‌ ଭିନ୍ନ ଦିଗରେ ଥିବାବେଳେ ବିଦ୍ୟାର୍ଥୀ ସହଜରେ ବ୍ୟବହାର କରିବେ। ୩ ହଜାର ମୋବାଇଲ ଭ୍ରାମ୍ୟମାଣ ହାତଧୁଆ ଯନ୍ତ୍ର ମଧ୍ୟ ଲଗାଯାଇଛି। ରାଜ୍ୟର ୪୩ ହଜାର ପାଚେରି ଥିବା ବିଦ୍ୟାଳୟରେ କିଚେନ୍‌ ଗାର୍ଡେନ କରିବାକୁ ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ତେବେ କରୋନା କଟକଣା ସତ୍ତ୍ବେ ମୋଟ ୧୬ ହଜାର ୮୨୩ ବିଦ୍ୟାଳୟରେ କିଚେନ୍‌ ଗାର୍ଡେନ କାର୍ଯ୍ୟକ୍ରମ ସଫଳ ହୋଇଥିବା ଏଯାବତ୍‌ ପ୍ରାୟ ୨୬ ହଜାର ସ୍କୁଲରେ କାମ ଶେଷ ହୋଇନି। ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ୫୫ ହଜାର ୫୨୨ ସ୍କୁଲରେ ଗ୍ୟାସ୍‌ ସଂଯୋଗ କରାଯିବ ନିଷ୍ପତ୍ତି ହୋଇଥିବା ପ୍ରକାଶ।

Comments are closed.