ଭିକ୍ଷାମାଗି ଜଗନ୍ନାଥଙ୍କୁ ୫୦ହଜାର ଅର୍ପଣ

0

ପୁରୀ: ଦାନ କରିବାକୁ ଅର୍ଥନୁହେଁ, ଇଚ୍ଛାଶକ୍ତି ଦରକାର। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତ ଧନ ମାଗନ୍ତି କିନ୍ତୁ ଦିଅନ୍ତି ନାହିଁ। ଏହାକୁ ଭୁଲ ପ୍ରମାଣିତ କରି ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା। ଭିକ୍ଷାମାଗି ସଞ୍ଚୟ କରିଥିବା ୫୦ହଜାର ଟଙ୍କା ଶ୍ରୀଜୀଉଙ୍କ ସେବାପୂଜା ପାଇଁ ଦାନ କରିଛନ୍ତି। ତାଙ୍କ ନାମ ସରୋଜିନୀ ଦାସ। ବୟସ ୬୦ ପାଖାପାଖି ହେବ। ତାଙ୍କ ଘର କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଜାଗୁଳିଆଇପଡା ଗ୍ରାମରେ। ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି। ଯାହାକୁ ଧର୍ମପୁଅ କରିଥିଲେ ସେ ମଧ୍ୟ ଧୋକା ଦେଇଛି। ତେଣୁ ଭିକମାଗି ପେଟ ପୋଷୁଛନ୍ତି ସରୋଜିନୀ। ମୁଣ୍ଡ ଗୁଞ୍ଜିବା ପାଇଁ ଗ୍ରାମର କିଛି ଯୁବକ ଯୋଗାଇ ଦେଇଥିବା ଘର ଖଣ୍ଡିକ ଛପର ହୋଇନପାରି ଭାଙ୍ଗି ଯାଇଛି। ମାସକୁ ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଏବଂ ୫କି.ଗ୍ରା ଚାଉଳରେ ପେଟକୁ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧିବା ସମ୍ଭବପର ନୁହେଁ। ତେଣୁ ଆଖପାଖ ଅଞ୍ଚଳରେ ସେ ଭିକ୍ଷାବୃତ୍ତି କରୁଥିବା ଜଣାପଡିଛି। କାଳିଆ ଠାକୁରଙ୍କ ଡୋରି ଗତ ୨୧ତାରିଖ ଦିନ ସରୋଜିନୀଙ୍କୁ ଟାଣି ଆଣିଥିଲା ଶ୍ରୀକ୍ଷେତ୍ରକୁ। ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ଆଖିପୁରାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ସେ। ଶ୍ରୀମନ୍ଦିରରୁ ଫେରିବା ପରେ ବଡ଼ଦାଣ୍ଡରେ ଛିଡାହୋଇ ନୀଳଚକ୍ରକୁ ଚାହିଁ କଇଁ କଇଁ ହୋଇ କାନ୍ଦିଲେ ସେ। କହିଲେ ‘କାଳିଆରେ ! ଯାହାକୁ ହାତଧରି ସଂସାର କରିଥିଲି ସେ ଅଧାବାଟରେ ଛାଡି ଚାଲିଗଲା। ଧର୍ମପୁଅ ବି ଧୋକା ଦେଲା। ଏ ସଂସାରରେ ତୋବିନା ଆଉ ମୋର ନିଜର ବୋଲି ଆଉ କେହିନାହିଁ। ଭିକମାଗି ଯାହା କିଛି ସଞ୍ଚିଥିଲି ଆଜି ତୋତେ ଦେଇ ଯାଉଛି। ମୋ ଝୁମ୍ପୁଡି ଘରପରି ତୋ ମନ୍ଦିର ଭାଙ୍ଗି ନଯାଉ। ଆଜିଠୁ ମୋକଥା ତତେ ଲାଗିଲା। ରଖିଲେ ରଖିବୁ ନହେଲେ ମାରିଲେ ମାରିବୁ।’ ଏହାପରେ ସରୋଜିନୀ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଭିକ୍ଷାରୁ ସଞ୍ଚିତ ଧନ ଶ୍ରୀଜୀଉଙ୍କ ଉଦେଶ୍ୟରେ ଦାନ କରିଥିଲେ।

Leave A Reply