ଭାରତ ସହିତ ସମକକ୍ଷ ହେବା ଯୋଜନା; ପାକିସ୍ତାନ କିଣୁଛି ୬୦୦ ଟ୍ୟାଙ୍କ

0

ନୂଆଦିଲ୍ଲୀ : ପାକିସ୍ତାନ ସରକାର ଭାରତୀୟ ସୀମାରେ ମୁତୟନ କରିବା ଉଦ୍ଦେଶ୍ୟରେ ୬୦୦ ଟ୍ୟାଙ୍କ କ୍ରୟ କରୁଛନ୍ତି। ଏଗୁଡ଼ିକୁ ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣରେଖାର ଅତି ନିକଟରେ ମୁତୟନ କରାଯିବ; ଯାହାଦ୍ବାରା ଭାରତୀୟ ସୀମାର ତିନି ବା ଚାରି କିଲୋମିଟର ଭିତରକୁ ପାକ୍‌ ସେନା ନିଶାଣ କରିପାରିବେ। ଭାରତ ପାଖରେ ସମ୍ପ୍ରତି ଟି-୯୦, ଟି-୭୨ ଓ ଅର୍ଜୁନ ଭଳି ଶକ୍ତିଶାଳୀ ଟ୍ୟାଙ୍କ ରହିଥିବାରୁ ଏହାର ମୁକାବିଲା କଲାଭଳି ଟ୍ୟାଙ୍କ କିଣିବାକୁ ପାକିସ୍ତାନ ଯୋଜନା କରୁଥିବା ସୂଚନା ମିଳିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ପାକିସ୍ତାନ ସରକାର ରୁଷ୍‌ଠାରୁ ଟି-୯୦ ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଇଟାଲୀଠାରୁ ୨୪୫ଟି ୧୫୦ ଏମ୍‌ଏମ୍‌ ଏସ୍‌ପି ମାଇକ୍‌ ବନ୍ଧୁକ କିଣୁଛି। ଏଥିମଧ୍ୟରୁ ପାକିସ୍ତାନ ଇତିମଧ୍ୟରେ ୧୨୦ଟି ହାତେଇ ସାରିଲାଣି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ପାକିସ୍ତାନ ଗତ କିଛି ବର୍ଷ ହେଲା ରୁଷ୍‌ ସହିତ ମିଳିତ ସମରାଭ୍ୟାସ ଜାରି ରଖିଛି। ୨୦୨୫ ସୁଦ୍ଧା ଦେଶର ସାମରିକ ଶକ୍ତି ବୃଦ୍ଧି ପାଇଁ ପାକ୍‌ ସରକାର ଯେଉଁ ଯୋଜନା କରିଛନ୍ତି, ସେହି ଅନୁସାରେ ବିଭିନ୍ନ ରାଷ୍ଟ୍ରରୁ ୩୬୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ଚୀନ୍‌ ସହାୟତାରେ ୨୨୦ଟି ନିର୍ମାଣ କରୁଛି। ଏହାଛଡ଼ା ୟୁକ୍ରେନ୍‌ ନିର୍ମିତ ଓପ୍‌ଲଡ୍‌-ପି ଟ୍ୟାଙ୍କ, ଚୀନ୍‌ ନିର୍ମିତ ଭିଟି-୪ ଟ୍ୟାଙ୍କ ମଧ୍ୟ ନିଜ ବାହିନୀରେ ସାମିଲ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ଏ ଦୁଇଟି ଟ୍ୟାଙ୍କର ପରୀକ୍ଷାମୂଳକ ବ୍ୟବହାର ପାକିସ୍ତାନ ସେନା କରିସାରିଲାଣି। ପାକିସ୍ତାନ ପାଖରେ ସମ୍ପ୍ରତି ଚୀନ୍‌ ନିର୍ମିତ ଟି-୫୯ ଓ ଟି-୬୯ ଟ୍ୟାଙ୍କର ୧୭ଟି ୟୁନିଟ ରହିଛି। ଏହା ମୋଟ ଟ୍ୟାଙ୍କ ସଂଖ୍ୟାର ୩୦ ପ୍ରତିଶତ। ଏହାଛଡ଼ା ୧୨ ରେଜିମେଣ୍ଟ ୟୁକ୍ରେନ୍‌ ନିର୍ମିତ ଅଲ-ଜରାର ଟ୍ୟାଙ୍କ ରଖିଛି; ଯାହା ହେବ ୨୦ ପ୍ରତିଶତ। ଏଥିରେ ରହିଛି ୟୁ​‌େକ୍ରନ୍‌ ନିର୍ମିତ ଟ-୮୦ୟୁଡି, ଟି-୮୫ୟୁଡି ଓ ଟି-୫୯ର ଅତ୍ୟାଧୁନିକ ଟ୍ୟାଙ୍କ। ପାକିସ୍ତାନ ସେନା ଏହାର ଆଧୁନିକୀକରଣ କରୁଥିବାବେଳେ ଏହା ଯେମିତି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ସେଥିପ୍ରତି ଗୁରୁତ୍ବାରୋପ କରୁଛି। ଭାରତ ସହିତ ତୁଳନାତ୍ମକ ଭାବେ ପାକିସ୍ତାନ ଆଧୁନିକୀକରଣକୁ ଆଗେଇ ନେଉଛି।
ଅପରପକ୍ଷରେ ଭାରତୀୟ ସେନାର ଆଧୁନିକିକରଣ ଅତି ଧୀରମନ୍ଥର ଗତିରେ ଚାଲିଛି। ଭାରତୀୟ ସୈନ୍ୟବାହିନୀକୁ ଆଧୁନିକ ରୂପ ଦେବା ପାଇଁ ୬୦ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛି। ଏଥିମଧ୍ୟରେ ଫ୍ୟୁଚରିଷ୍ଟିକ ଇନ୍‌ଫାଣ୍ଟ୍ରି କମ୍ବାଟ ଭେହିକ୍ଲ ବା ଏଫ୍‌ଆଇସିଭି କିଣିବା ଯୋଜନା ରହିଛି। ଭାରତ ପାଖରେ ୬୭ଟି ସାମରିକ ରେଜିମେଣ୍ଟ ରହିଥିବାବେଳେ ପାକିସ୍ତାନର ୫୧ଟି ରେଜିମେଣ୍ଟ ରହିଛି। ପାକିସ୍ତାନ ପାଖରେ ଥିବା ଟ୍ୟାଙ୍କ ମଧ୍ୟରୁ ୭୦ପ୍ରତିଶତ ରାତିରେ କାର୍ଯ୍ୟକ୍ଷମ ହେବାର ଦକ୍ଷତା ରଖିଛି; ଯାହା ଭାରତ ପାଇଁ ଚିନ୍ତାର କାରଣ। ତେବେ ଆଶ୍ବସ୍ତିର ବିଷୟ ହେଉଛି, ଭାରତ ପାଖରେ ରହିଛି ଏକ ସ୍ବାଧୀନ ଟ୍ୟାଙ୍କ ବ୍ରିଗେଡ଼; ଯାହା ଲଦାଖରେ ମୁତୟନ।

Leave A Reply