ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଦିନିକିଆ ଆଜି

0

ୱେଲିଂଟନ: ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଦର୍ଶନ ପରେ ୪ର୍ଥ ଦିନିକିଆରେ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ମିଳିଥିଲା। ଏହି ୩ଟି ଦିନିକିଆକୁ ସହଜରେ ଜିତି ସିରିଜ୍ ହାତେଇବା ପରେ ହାମିଲ୍‌ଟନ ଦିନିକିଆରେ ଭାରତ ୮ ୱିକେଟରେ ଲଜ୍ଜାକର ପରାଜୟ ଭୋଗିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ରାଜୁତି କରିଥିବା ଭାରତୀୟ ବ୍ୟାଟିଂ ହାମିଲ୍‌ଟନରେ ସ୍ବିଙ୍ଗ୍ ବୋଲିଂ ନିକଟରେ ହାର ମାନିଥିଲା। ୯୨ ରନ୍‌ରେ ଅଲ୍‌ଆଉଟ ହେବା ନିକଟ ଅତୀତରେ ଭାରତୀୟ କ୍ରିକେଟ ଦଳର ବଡ଼ ବ୍ୟାଟିଂ ବିପର୍ଯ୍ୟୟ। ପେସ୍ ବୋଲିଂ ପାଇଁ ଅନୁକୂଳ ପିଚ୍ ଓ ସ୍ବିଙ୍ଗ୍ ବୋଲିଂ ପାଇଁ ଅନୁକୂଳ ବାତାବରଣରେ ଭାରତୀୟ ବ୍ୟାଟିଂ ଛତ୍ରଭଙ୍ଗ ଦେଇଥିଲା। ୩୫ରୁ ଅଧିକ ଓଭର ବାକିଥିବା ବେଳେ ଭାରତ ପରାସ୍ତହୋଇ ସିରିଜ୍ ବିଜୟର ଖୁସି ମନାଇବାର ମଧ୍ୟ ମଉକା ପାଇନାହିଁ। ଏବେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେବାର ସୁଯୋଗ ଭାରତୀୟ ଦଳ ପାଖରେ ରହିଛି। ରବିବାର ଏଠାରେ ୫ମ ତଥା ଅନ୍ତିମ ଦିନିକିଆ ସିରିଜ୍ ଖେଳାଯିବା ଥିବା ବେଳେ ଉଭୟ ଦଳ ଏହି ମ୍ୟାଚ୍‌କୁ ଗୁରୁତ୍ବର ସହ ନେଉଛନ୍ତି। ସିରିଜ୍‌ର ଫଇସଲା ହୋଇ ସାରିଥିଲେ ହେଁ ଉଭୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ପ୍ରାଣପଣେ ପ୍ରୟାସ କରିବେ। ଏହି ମ୍ୟାଚ୍‌କୁ ଜିତି ୪ର୍ଥ ଦିନିିକିଆରେ ବଡ଼ ପରାଜୟକୁ ଭୁଲିଯିବାକୁ ଭାରତ ଚାହେଁ। ଅନ୍ୟପକ୍ଷରେ କ୍ରମାଗତ ୨ୟ ବିଜୟ ହାସଲକରି ସମ୍ମାନ ଫେରି ପାଇବାକୁ ନ୍ୟୁଜିଲାଣ୍ଡ ଲକ୍ଷ୍ୟରଖିଛି।
ପ୍ରଥମ ୩ଟି ମ୍ୟାଚ୍‌ରେ ଭାରତୀୟ ଦଳର ସହଜ ବିଜୟ ପରେ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ଗସ୍ତରୁ ଅବ୍ୟାହତି ନେଇଛନ୍ତି। ତେବେ ୪ର୍ଥ ମ୍ୟାଚ୍‌ରେ ରୋହିତ ଶର୍ମା ନେତୃତ୍ବାଧୀନ ଭାରତ ଯେପରି ବ୍ୟାଟିଂ କରିଥିଲା; ସେଥିରୁ କୋହଲିଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ଯାଉଥିଲା। ପ୍ରମାଣିତ ହୋଇଥିଲା ଯେ କୋହଲିଙ୍କ ଉପରେ ଭାରତୀୟ ବ୍ୟାଟିଂ ଅଧିକ ନିର୍ଭରଶୀଳ। ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ଅଧିକ ଦାୟିତ୍ବବାନ ହୋଇ ଖେଳିବାକୁ ପଡ଼ିବ। କାରଣ ଦୁହେଁ ସବୁଠାରୁ ଅଭିଜ୍ଞ ଏବଂ ମଧ୍ୟକ୍ରମ ସେତେ ମଜ୍‌ଭୁତ ନାହିଁ। ଯୁବ ବ୍ୟାଟ୍‌ସମ୍ୟାନ ଶୁବ୍‌ମାନ ଗିଲ୍ ପୁଣି ଏକ ସୁଯୋଗ ପାଇବା ନିଶ୍ଚିତ। ମହେନ୍ଦ୍ର ସିଂହ ଧୋନି ଫିଟ୍‌ ହୋଇଥିବାରୁ ଦଳକୁ ଦିଗଦର୍ଶନ ଦେବା ସହ ଭଙ୍ଗୁରୀୟ ମଧ୍ୟକ୍ରମ ସମ୍ଭାଳିବା ପାଇଁ ଏହି ମ୍ୟାଚ୍ ଖେଳିବେ। ଫଳରେ ଦିନେଶ କାର୍ତ୍ତିକ ବାହାରେ ବସିବେ। ବୋଲିଂରେ ପରିବର୍ତ୍ତନ ସମ୍ଭାବନା କମ୍। ତଥାପି ବ୍ୟାଟିଂକୁ ଦୃଢ଼ତା ଦେବା ପାଇଁ ଯୁଜବେନ୍ଦ୍ର ଚହଲ କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ଖେଳିପାରନ୍ତି।
୪ର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଜିତିଥିଲେ ହେଁ ତା’ର ବ୍ୟାଟିଂରେ ଏବେ ମଧ୍ୟ ଦୁର୍ବଳତା ରହିଛି। ମାତ୍ର ୫ ଜଣ ବ୍ୟାଟ୍‌ସମ୍ୟାନ୍ ଏବଂ ୨ ଅଲ୍‌ରାଉଣ୍ଡରଙ୍କୁ ନେଇ ନ୍ୟୁଜିଲାଣ୍ଡ ୪ର୍ଥ ଦିନିିକିଆ ଖେଳିଥିଲା। ତେବେ ଅଭିଜ୍ଞ ଓପ୍‌ନର ମାର୍ଟିନ୍ ଗପ୍‌ଟିଲ ଆହତ ହୋଇଥିବାରୁ ଏହି ମ୍ୟାଚ୍‌ରେ ଖେଳିବେନାହିଁ। ଫଳରେ ଫର୍ମରେ ନଥିଲେ ମଧ୍ୟ କଲିନ୍ ମନ୍‌ରୋ ଆଉ ଏକ ସୁଯୋଗ ପାଇବେ। ଇନିଂସ ଓପନ୍‌କରି ବାମହାତି ହେନ୍‌ରି ନିକୋଲ୍‌ସ ୪ର୍ଥ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଶେଷ ମ୍ୟାଚ୍‌ରେ ସେ ପୁଣି ଓପନ୍ କରିବେ। ଭାରତୀୟଙ୍କୁ ନ୍ୟୁଜିଲାଣ୍ଡର ବାମହାତି ଫାଷ୍ଟବୋଲର ଟ୍ରେଣ୍ଟ ବୋଲ୍‌ଟଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ହାମିଲ୍‌ଟନରେ ବୋଲ୍‌ଟ ହିଁ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମ୍ୟାଟ୍‌ ହେନ୍‌ରିଙ୍କ ସହ ଦୁଇ ଅଲ୍‌ରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ୍ ଓ ଜେମ୍‌ସ ନିସାମ୍ ମଧ୍ୟ ଭଲ ବୋଲିଂ କରିଥିଲେ। ତଥାପି ହେନ୍‌ରିଙ୍କ ସ୍ଥାନରେ ଟିମ୍ ସାଉଦିଙ୍କୁ ନ୍ୟୁଜିଲାଣ୍ଡ ସୁଯୋଗ ଦେଇପାରେ। ବାମହାତି ସ୍ପିନର ମିଚେଲ ସାଣ୍ଟନରଙ୍କ ସ୍ଥାନରେ ଡଗ୍ ବ୍ରେସ୍‌ୱେଲ ଖେଳିପାରନ୍ତି। ମ୍ୟାଚ୍‌ରେ ପେସ୍ ବୋଲରଙ୍କୁ ସହାୟତା ମିଳିବାର ଅନୁମାନ କରାଯାଉଛି। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି।
ଆଜି (ରବିବାର)ର ମ୍ୟାଚ୍
ଭାରତ-ନ୍ୟୁଜିଲାଣ୍ଡ (୫ମ ଦିନିକିଆ); ସିଧା ପ୍ରସାରଣ ସକାଳ ୭.୩୦ଟାରୁ; ଚ୍ୟାନେଲ: ଷ୍ଟାର ସ୍ପୋର୍ଟସ-୧।

Leave A Reply