ଭାରତ- ନେଦରଲାଣ୍ଡ୍‍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‍ ଆଜି

0

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାରେ ଘରୋଇ ଭାରତ ପାଇଁ ଅସଲ ପରୀକ୍ଷାର ସମୟ ଆସିଛି। ଗୁରୁବାର ଭାରତ ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ ନେଦରଲାଣ୍ଡ୍‍ସ ବିପକ୍ଷରେ ଖେଳିବ। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ଥିବା ଭାରତ ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଅନ୍ୟତମ ଟାଇଟଲ ଫେବରିଟ୍‍ ଭାବେ ଉଭା ହୋଇଛି। ଲିଗ୍‍ ପର୍ଯ୍ୟାୟରେ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାବେଳେ ବେଲଜିୟମ ବିପକ୍ଷରେ ୨-୨ ଗୋଲ ବରାବର ରଖିଥଲା। ଅନ୍ତିମ ଲିଗ୍‍ ମ୍ୟାଚରେ କାନାଡ଼ାକୁ ୫-୧ଗୋଲରେ ପରାସ୍ତ କରିଥିଲା। ଦଳ ମୋଟ ୧୨ଟି ଗୋଲ ସ୍କୋର କରିଥିବା ବେଳେ ୩ଟି ବରଣ କରିଛି। ମଧ୍ୟମଭାଗ ଖେଳାଳି ସିମ୍ରନଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ହରମାନପ୍ରୀତ ସିଂହ, ମନ୍‍ଦୀପ ସିଂହ,ଆକାଶଦୀପ ସିଂହ, ଅମିତ ରୋହିଦାସ, ଚିଙ୍ଗଲେନସାନା କାଙ୍ଗୁଜାମ୍‍ ପ୍ରମୁଖ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଦଳ ନେଦରଲାଣ୍ଡ୍‍ସକୁ ପରାସ୍ତ କରି ଦୀର୍ଘ ୪୩ ବର୍ଷ ପରେ ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ସେହିପରି ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ନେଦରଲାଣ୍ଡ୍‍ସ ମଧ୍ୟ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଦଳ ପୁଲ-ଡି ର ଲିଗ୍‍ ମ୍ୟାଚରେ ମାଲେସିଆକୁ ୭-୦, ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଥିବାବେଳେ ଜର୍ମାନୀ ନିକଟରୁ ୧-୪ ଗୋଲରେ ପରାଜିତ ହୋଇଥିଲା। କ୍ରସ ଓଭର ମ୍ୟାଚରେ କାନାଡ଼ାକୁ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଜୋରେନ ହର୍ଜବର୍ଗର ୩ଟି ଗୋଲ ଦେଇ ଆଗରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁଜସର ମାର୍କେ, ରୋବର୍ଟ କ୍ୟାମ୍ପମ୍ୟାନ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଅଧିନାୟକ ବିଲି ବେକର ଓ ପ୍ରଶିକ୍ଷକ ମାକ୍ସ କାଲଦାସ ଭାରତକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହେବା ନେଇ ଦୃଢ ଆଶାବାଦୀ ରହିଛନ୍ତି।

Leave A Reply