’ଭଲ ନ ଖେଳିଲେ ଖାଲିହାତରେ ଫେରିବୁ’

0

ଭୁବନେଶ୍ବର: ୨୦୧୬ ରିଓ ଅଲିମ୍ପିକ୍‌ସ କ୍ବାର୍ଟରଫାଇନାଲ ପରେ ଭାରତୀୟ ପୁରୁଷ ହକି ଦଳ ସବୁଠାରୁ ବଡ଼ ମ୍ୟାଚ୍ ଖେଳିବ ଗୁରୁବାର। ଚଳିତ ପୁରୁଷ ହକି ବିଶ୍ବକପ୍‌ର କ୍ବାର୍ଟରଫାଇନାଲ ଗତ ୨ ବର୍ଷରେ ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଅଗ୍ନିପରୀକ୍ଷା ହେବ। ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ସିଧାସଳଖ କ୍ବାର୍ଟରଫାଇନାଲରେ ପ୍ରବେଶ କରିବା ପରେ ଭାରତୀୟ ଦଳଠାରୁ ବହୁତ ଆଶା ରଖିଛନ୍ତି ଦେଶର ଅଗଣିତ ହକିପ୍ରେମୀ। ଲିଗ୍ ପର୍ଯ୍ୟାୟରେ ୨ଟି ବିଜୟ ଓ ଗୋଟିଏ ଡ୍ର ପରେ ଭାରତକୁ ଅନ୍ୟ ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିନାହିଁ। ପୂର୍ବରୁ ହକି ବିଶ୍ବକପ୍‌ରେ ସିଧାସଳଖ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବା ଭାରତ ପାଇଁ କଷ୍ଟକର ହୋଇଥିବା ବେଳେ ଏଥର କିନ୍ତୁ ଭାରତ ଏହା କରିପାରିଛି।
କାନାଡ଼ା ବିପକ୍ଷରେ ଭାରତର ବିଜୟ ପରେ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଥିଲେ ଯେ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟର ଅନ୍ତଃ ଘଟିଛି ଏବଂ ବିଶ୍ବକପ୍ ଏବେ ଆରମ୍ଭହେବ। ମଙ୍ଗଳବାର ଅଧିନାୟକ ମନପ୍ରୀତ ସିଂହ ଦଳର ସାଥୀ ଖେଳାଳିମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି- ଅାମକୁ ଭଲ ଖେଳିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଅନ୍ୟଥା ଆମକୁ ଖାଲିହାତରେ ଫେରିବାକୁ ପଡ଼ିବ। ପୂର୍ବ ଭାରତୀୟ ଦଳ ଅପେକ୍ଷା ଏହି ଦଳ ଭିନ୍ନ। ଚାପରେ ଥିଲେ ମଧ୍ୟ ଲଢ଼ୁଆ ପ୍ରଦର୍ଶନ କରି ଶୀର୍ଷକୁ ଉଠିବା ଏବଂ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ​‌ଏହି ଦଳର ପ୍ରମୁଖ ଗୁଣ। ତେବେ ଗୁରୁତ୍ବପୁର୍ଣ୍ଣ ମ୍ୟାଚ୍‌ରେ ଝୁଣ୍ଟିବା ମଧ୍ୟ ଏହି ଦଳର ଏକ ଦୁର୍ବଳତା। ଗତ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଏବଂ ଗତ ଏସୀୟ କ୍ରୀଡ଼ା ସେମିଫାଇନାଲରେ; ତାହା ପୁଣି ଦୁର୍ବଳ ମାଲେସିଆଠାରୁ ପରାସ୍ତ ହେବା ଏହାର ପ୍ରମାଣ। ଘରୋଇ ମାଟିରେ ବିଶ୍ବକପ୍ ଜିତିବାର ସୁଯୋଗକୁ ହାତଛଡ଼ା କରିବାକୁ ମନପ୍ରୀତ ଚାହାନ୍ତିନାହିଁ। ତେଣୁ ସେ କହିଛନ୍ତି, ସାଥୀ ଖେଳାଳିଙ୍କୁ ଅଧିକ କିଛି କହିବା ଆବଶ୍ୟକ ନାହିଁ। ସମସ୍ତେ ଜାଣନ୍ତି ଯେ ଏହି କ୍ବାର୍ଟରଫାଇନାଲ ମୁକାବିଲା ସେମାନଙ୍କ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ଗୁରୁବାର ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ କ୍ବାର୍ଟରଫାଇନାଲ ଖେଳିବ। ଏହା ବିଷୟରେ ମନପ୍ରୀତ କହଛନ୍ତି, ଆମେ ଆଶା ରଖିଥିଲୁ ଯେ ନେଦରଲାଣ୍ଡ୍‌ସ କ୍ବାର୍ଟରଫାଇନାଲରେ ପହଞ୍ଚିବ। ଆମେ କାନାଡ଼ା-ନେଦରଲାଣ୍ଡ୍‌ସ ମ୍ୟାଚ୍ ଦେଖିଥିଲୁ ଏବଂ ନେଦରଲାଣ୍ଡ୍‌ସ ଦଳର କ’ଣ ସାମର୍ଥ୍ୟ ରହିଛି; ତାହା ମଧ୍ୟ ଜାଣିପାରିଛୁ। ତେବେ ଭାରତୀୟ ଦଳର ଯୋଜନା କ’ଣ? ଏହାର ଜବାବରେ ମନପ୍ରୀତ କହିଛନ୍ତି, ଆମର ମୁଖ୍ୟ ଶକ୍ତି ହେଉଛି ଆକ୍ରମଣ କରିବା। ଯେତେବେଳେ ଆ​‌େ​‌ମ ରକ୍ଷଣାତ୍ମକ ହକି ଖେଳୁ; ଅତ୍ୟଧିକ ରକ୍ଷଣାତ୍ମକ ହୋଇଯାଉ। ଫଳରେ ବିପକ୍ଷ ଦଳ ଅଧିକ ସୁଯୋଗ ପାଇଥାଆନ୍ତି। ତେଣୁ କ୍ବାର୍ଟରଫାଇନାଲରେ ଆମେ ଆକ୍ରମଣାତ୍ମକ ଖେଳିବୁ ଏବଂ ନେଦରଲାଣ୍ଡ୍‌ସଙ୍କୁ ଚାପରେ ପକାଇବା ଲାଗି ପ୍ରୟାସ କରିବୁ। ମନପ୍ରୀତ ଆହୁରି କହିଛନ୍ତି, ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବା ପୂର୍ବରୁ ଆମେ ଭାବୁଥିଲୁ ଯେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ଭଳି ଦଳଙ୍କ ବିପକ୍ଷରେ ଖେଳିବା ବେଶ୍ କଷ୍ଟକର। ତେବେ ହକି ଇଣ୍ଡିଆ ଲିଗ୍ ଖେଳିବା ପରେ ଆମେ ସେମାନଙ୍କ ବିଷୟରେ ଜାଣି ପାରିଥିଲୁ। ନିକଟରେ ଚମ୍ପିଆନ୍‌ସ ଟ୍ରଫିରେ ଆମେ ଭଲ ପ୍ରଦର୍ଶନ କରିଥିଲୁ ଏବଂ ବିଶ୍ବର ଶ୍ରେଷ୍ଠ ଦଳମାନଙ୍କୁ ପରାସ୍ତକରି ଫାଇନାଲ ଖେଳିଥିଲୁ। ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍ ନେଇ ଭବିଷ୍ୟବାଣୀ କରିବାକୁ କହିବାରୁ ମନପ୍ରୀତ କହିଥିଲେ, ଏହା ବହୁତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହେବ। ଯେଉଁ ଦଳ ସୁଯୋଗର ସଦ୍‌ବ୍ୟବହାର କରିବ; ସେହି ଦଳ ହିଁ ବିଜୟୀ ହେବ।

Leave A Reply