ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ପଞ୍ଚମ ବାର୍ଷିକ ଶ୍ରୀଅରବିନ୍ଦ ମହିଳା ସମ୍ମିଳନୀ ରବିବାର ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଚଳିତ ବର୍ଷ ଅଗଷ୍ଟ ୧୫ତାରିଖଠାରୁ ଆରମ୍ଭ ହୋଇଥିବା ବିଂଶସୂତ୍ରୀ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ । ଦିନ ୧୦ଟା ୩୫ରେ ଭଣ୍ଡାରିପୋଖରୀ ବ୍ଲକ ଉନ୍ନୟନ ଅଧିକାରୀ ଦେବଦତ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ । ବ୍ଲକ ଆବାହକ ହୃଷିକେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଡିଓ ଶ୍ରୀ ଦାସ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଯୋଗ ଦର୍ଶନ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକର ଅନ୍ୟତମ ଆବାହକ ରାହାସ ବିହାରୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଭଦ୍ରକ ଜିଲ୍ଲା ଆବାହକ ପ୍ରଦୀପ କୁମାର ଜେନା କେନ୍ଦ୍ର ଶିକ୍ଷା ମନ୍ତ୍ରିଙ୍କର ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ସତବାର୍ଷିକୀ ପାଳନ ସମ୍ପର୍କୀୟ ପତ୍ର ଉପରେ ଆଲୋଚନା କରିଥିଲେ ।

ଏହାପରେ ମାତୃସେବିକା ଡ.ବସନ୍ତ ମଞ୍ଜରୀ ନନ୍ଦ ମୁଖ୍ୟ ଆଲୋଚିକା ଭାବେ “ଦିବ୍ୟଯୁଗ ସ୍ଥାପନାରେ ନାରୀର ଭୂମିକା” ଶୀର୍ଷକ ଆଲୋଚନା କରିଥିଲେ। ତାରାପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଲିନା ଅପା “ବିବର୍ତ୍ତନରେ ମାତୃ ଶକ୍ତିର ଭୂମିକା” ବିଷୟରେ ଆଲୋଚନା କରିଥିଲେ। ତିହିଡି ଶ୍ରୀ ଅରବିନ୍ଦ ପାଠଚକ୍ରର ଆବାହିକା ଅବନ୍ତୀ ପଣ୍ଡା “ଆମ ଜୀବନରେ ମା ହିଁ ସର୍ବସ୍ବ” ଉପରେ ଆଲୋକପାତ କରିଥିଲେ।  ତିହିଡିର ହୃଷିକେଶ ପଣ୍ଡା ଉକ୍ତ ବିଷୟ ଉପରେ ସମୀକ୍ଷା କରି ସାରାଂଶ ପ୍ରଦାନ କରିଥିଲେ। ହୃଷିକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ତାରାପୁର ଯାଜପୁରର ଅରୋଭାଇ ଆଧ୍ୟାତ୍ମିକ ପତାକା ଅବତରଣ କରିଥିଲେ।

Comments are closed.