ବୃଦ୍ଧି ହେବ ନନ୍ଦନକାନନ ପରିସର

0

ଭୁବନେଶ୍ୱର: ଚନ୍ଦକା ଅଭୟାରଣ୍ୟର ବିସ୍ତୃତ ଅଞ୍ଚଳ ଜବରଦଖଲ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଅଞ୍ଚଳକୁ ଜବରଦଖଲକାରୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅଭୟାରଣ୍ୟର ୬୦୪.୦୬ହେକ୍ଟର ଜାଗା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ନିୟନ୍ତ୍ରଣକୁ ଅଣାଯିବ। ଏହି ଅଞ୍ଚଳକୁ ତାରବାଡ଼ ଦ୍ୱାରା ଆବଦ୍ଧ କରାଯାଇ ନନ୍ଦନକାନନ ପରିସୀମା ସହ ମିଶାଯିବ। ସେଠାରେ ହରିଣ, ଠେକୁଆ ଆଦି ଜନ୍ତୁଙ୍କୁ ଛଡ଼ାଯିବ। ସେହିପରି ଭିତରକନିକା ଅଭୟାରଣ୍ୟ ପରିସରରେ ଥିବା ଜନବସତିକୁ ଅଭୟାରଣ୍ୟ ଅଞ୍ଚଳରୁ ଅଲଗା କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ପଞ୍ଚମ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି, ୧୯,୩୩୯ ହେକ୍ଟର ପରିମିତ ଚନ୍ଦକା ଅଭୟାରଣ୍ୟର ୬୦୪.୦୬ ହେକ୍ଟର ଅଞ୍ଚଳ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ରହିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପରିସୀମା ୧୦୦୦ହେକ୍ଟରକୁ ବୃଦ୍ଧି ପାଇବ। ସେଠାରେ ରାଜଭବନରୁ ଯାଉଥିବା ହରିଣ ଏବଂ ଅନ୍ୟାନ୍ୟ ତୃଣଭୋଜୀ ପ୍ରାଣୀଙ୍କୁ ରଖାଯିବ। ଜବରଦଖଲ ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାର ନନ୍ଦନକାନନର ପରିସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଅଧୀନକୁ ଚୂଡ଼ଙ୍ଗ ସଂରକ୍ଷିତ ଜଙ୍ଗଲର ୫୩୧.୭୬ ହେକ୍ଟର ଓ କୃଷ୍ଣନଗରର ସୁରକ୍ଷା ବଳୟରେ ଥିବା ୭୨.୮୪ହେକ୍ଟର ଅଞ୍ଚଳର ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦିଆଯିବ। ସେହିପରି ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ୪୧୦ଟି ଗ୍ରାମ ରହିଛି। ଏସବୁକୁ ଅଭୟାରଣ୍ୟ ଅଞ୍ଚଳରୁ ବାଦ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଗୁରୁତ୍ୱ ଦେଇ ଅଭୟାରଣ୍ୟରୁ ୫୫ ବର୍ଗ କିମି ଜାଗା ବାଦ ଦିଆଯିବ। ଏହାର ପ୍ରତିବଦଳରେ ହେନ୍ତାଳବଣ ଓ ଖାଲିଥିବା ୫୬ବର୍ଗ କିମି ଅଞ୍ଚଳ ଅଭୟାରଣ୍ୟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।
ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପିସିସିଏଫ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply