ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

0

ନୂଆଦିଲ୍ଳୀ: ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଛି। ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‍ରେ ମଞ୍ଜୁରୀ ମିଳିଛି।
ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଥିଲେ। ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ନାମକରଣରେ ବିଳମ୍ବ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସ୍ମରଣ କରାଇଥିଲେ। ଏଥିସହିତ ଝାରସୁଗୁଡ଼ା ବିମାନବନ୍ଦରକୁ ଉଡ଼ାନ ଯୋଜନାରେ ସାମିଲ କରିବା ଓ ସେଠାରୁ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟବସାୟିକ ବିମାନ ଚଳାଚଳ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। କେନ୍ଦ୍ର କ୍ୟାବିନେଟ୍‍ର ଘୋଷଣା ପରେ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଏଥିସହିତ ଓଡ଼ିଶାର ବୀର ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ମତ ପ୍ରକାଶ ପାଇଛି। କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଏଥିପାଇଁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply