ବିଜେପି ନେତାଙ୍କ ଘର ଉପରେ ମାଓବାଦୀ ଆକ୍ରମଣ; ପଛରେ ରହିଛି ଅର୍ଥ ନେଣଦେଣ ବିବାଦ

0

ପାଟନା : ବିହାର ବିଧାନ ପରିଷଦ ସଦସ୍ୟ ତଥା ବିଜେପି ନେତା ରଞ୍ଜନ କୁମାର ସିଂହଙ୍କ ଘର ଉପରେ ମାଓବାଦୀମାନେ ଆକ୍ରମଣ କରି ତାଙ୍କ ଦାଦାଙ୍କୁ ହତ୍ୟା କରିବା ଘଟଣା ପଛରେ ଅର୍ଥ ନେଣଦେଣ ବିବାଦ ରହିଥିବା ଅଭିଯୋଗ ହୋଇଛି । ମାଓବାଦୀମାନେ ଅଭିଯୋଗ କରିଛନ୍ତି ଯେ ବିମୁଦ୍ରାୟନ ପରେ ସିଂହଙ୍କ ସହ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିଲା । ମାତ୍ର ଏହି ଅଭିଯୋଗକୁ ସିଂହ ଅସ୍ବୀକାର କରିଛନ୍ତି। ପ୍ରାୟ ୨୦୦ ମାଓବାଦୀ ଶନିବାର ରାତିରେ ସିଂହଙ୍କ ଘର ଉପରେ ଆକ୍ରମଣ କରି ତାଙ୍କ ଦାଦା ନରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିସହି ସିଂହ ଘର ଏବଂ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସେଠାରେ ମାଓବାଦୀମନେ ଛାଡ଼ିଯାଇଥିବା ଏକ ପୋଷ୍ଟରରେ ଅର୍ଥ କାରବାର ସମ୍ବନ୍ଧରେ ଉଲ୍ଲେଖ ରହିଛି । ବିମୁଦ୍ରାୟନ ପରେ ଅଚଳ ହୋଇପଡିଥିବା ନୋଟ୍‌ ଅଦଳବଦଳ କରିବା ନିମନ୍ତେ ସିଂହ ଏବଂ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହିତ ଟଙ୍କା କାରବାର ହୋଇଥିଲା। ସିଂହ ୫ କୋଟି ଟଙ୍କା ନେଇଥିବା ବେଳେ ତାଙ୍କ ଭାଇ ୨ କୋଟି ଟଙ୍କା ଅଦଳବଦଳ କରିଥିଲେ। ମାତ୍ର ପ୍ରତିଶ୍ରୁତି ମୁତାବକ ସିଂହ ଟଙ୍କା ପ୍ରଦାନ କରି ନ ଥିବା ମାଓବାଦୀମାନେ ଦର୍ଶାଇଛନ୍ତି। ଫଳରେ ମାଓବାଦୀମାନେ ପ୍ରତିଶୋଧ ମନୋଭାବ ନେଇ ଏହି ଆକ୍ରମଣ କରିଥିବା କୁହାଯାଉଛି। ଅନ୍ୟପଟେ ସିଂହ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହିତ ମାଓବାଦୀ ଆକ୍ରମଣ ପାଇଁ ପ୍ରଶାସନ ଓ ପୁଲିସକୁ ଦାୟୀ କରିଛନ୍ତି। ରାଜ୍ୟ ସରକାର ଓ ପ୍ରଶାସନର ଅବହେଳା କାରଣରୁ ମାଓବାଦୀମାନେ ଗ୍ରାମରେ ଏଭଳି ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ ଦର୍ଶାଇଛନ୍ତି। ଏଥିସହ ଗ୍ରାମ ନିକଟରେ ଏକ ପୁଲିସ ଶିବିର ପ୍ରତିଷ୍ଠା କରିବାକୁ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଡିଜିପିଙ୍କୁ ନିବେଦନ କରିଛନ୍ତି।

Leave A Reply