ବାଲେଶ୍ୱରରେ ରାଜ୍ୟର ଚତୁର୍ଥ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ

0

ବାଲେଶ୍ୱର: ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ପରେ ରାଜ୍ୟର ଚତୁର୍ଥ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବାଲେଶ୍ୱର ସହରର ରାଜାବଗିଚା ନିକଟରେ ଉଦଘାଟିତ ହୋଇଛି। ମଙ୍ଗଳବାର ରାଜ୍ୟ ଉଚ୍ଚ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ବାଲେଶ୍ୱର ବ୍ରିଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ଦାସ ଉତ୍ତର ଓଡିଶା ତଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଶିକ୍ଷା କ୍ଷେତ୍ରରେ ଅଧିକ ସୁଗମତା ଆଣିବା ନିମନ୍ତେ ଏହି ନିର୍ଦ୍ଦେଶାଳୟ ଖୋଲାଯାଇଥିବା ମତବ୍ୟକ୍ତ କରିଥିଲେ। ଏହାଛଡା ବିଭିନ୍ନ କଲେଜରେ ଖାଲି ପଡିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ପୂରଣ କରିବା ପାଇଁ ସରକାର ଯୋଜନା କରୁଥିବା ସେ କହିଥିଲେ।
ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟବକ୍ତା ଭାବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ସମ୍ମାନିତ ଅତିଥି ଭାବେ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲାପାଳ ରମେଶ ଚନ୍ଦ୍ର ରାଉତ ଓ ଶିକ୍ଷାବିତ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଯୋଗଦେଇଥିଲେ। ତେବେ ଅତିଥିମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ଜେନାଙ୍କୁ ଛାଡ଼ି ଅନ୍ୟମାନେ ମଞ୍ଚାସୀନ ଥିଲେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡା. ସିତାଂଶୁ କୁମାର ସାମଲ ସ୍ୱାଗତ ଭାଷଣ ଓ ସିଦ୍ଧେଶ୍ବର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ସେକ ଗୟାସୁଦ୍ଦିନ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଉତ୍ତର ଓଡିଶାର ୪ଟି ଜିଲାର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବାରବାର ସୁଦୂର ଭୁବନେଶ୍ୱର ଦୌଡ଼ିବାକୁ ପଡୁଥିଲା। ଏଥିପାଇଁ ଅନେକ ସମୟରେ ଏକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ଥାପନ ପାଇଁ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରାଛାତ୍ରୀ ଦାବି କରିଆସୁଥିଲେ। ପରେ ୨୯.୧୨.୨୦୧୭ରେ ଚିଠି ନଂ ୩୫୭୨୫ ଜରିଆରେ ବାଲେଶ୍ୱର ଓ ଜୟପୁରରେ ଦୁଇଟି ଶିକ୍ଷା ନିର୍ଦ୍ଦେଶାଳୟ ଆଞ୍ଚଳିକ ଭାବେ ଖୋଲିବାକୁ ସରକାର ଘୋଷଣା କରିଥିଲେ। ପୂର୍ବରୁ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ସୁବିଧା ଥିବା ବେଳେ ଖୁବଶୀଘ୍ର ଜୟପୁରରେ ମଧ୍ୟ ଖୋଲିବାର ବ୍ୟବସ୍ଥା ରହିଛି। ତେବେ ବାଲେଶ୍ୱରରେ ଏହି ନିର୍ଦ୍ଦେଶାଳୟର ସ୍ଥାପନ ହେବା ଦ୍ୱାରା ୪ଟି ଜିଲାର ଲୋକଙ୍କୁ ପୂର୍ବଭଳି ବାହାରକୁ ନଯାଇ ସହଜରେ କାର୍ଯ୍ୟର ସମାଧାନ କରି ହେବ। ଏହାସହ ଶୈକ୍ଷିକ କାର୍ଯ୍ୟକ୍ରମ, ଦିନକୁ ଦିନ ବଢିଚାଲିଥିବା ମହାବିଦ୍ୟାଳୟର ଶିକ୍ଷାକ୍ଷେତ୍ରରେ ଅଧିକ ମାନ ଅଣାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ନିୟମ ଅନୁଯାୟୀ, ଆଞ୍ଚଳିକ ନିର୍ଦ୍ଦେଶାଳୟରେ ଆଞ୍ଚଳିକ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ସମୀକ୍ଷକ, ସିନିୟର ଷ୍ଟେନୋଗ୍ରାଫର, ଜୁନିୟର ଷ୍ଟେନୋଗ୍ରାଫର, ସିନିୟର ଆସିଷ୍ଟାଣ୍ଟ, ଜୁନିୟର ଆସିଷ୍ଟାଣ୍ଟ, ଡିସପେଚର, ପିଅନ ଓ ଝାଡୁଦାର ତଥା ଚୌକିଦାରଙ୍କୁ ମିଶାଇ ସମୁଦାୟ ୧୨ ଜଣ ନିଯୁକ୍ତ ହେବା କଥା। ତେବେ ସ୍ଥାୟୀ ନିର୍ଦ୍ଦେଶକଙ୍କୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ଅସ୍ଥାୟୀ ଭାବେ ଜଣେ ନିରୀକ୍ଷକ, ଜଣେ ସିନିୟର କିରାଣି, ଦୁଇ ଜଣ ଜୁନିୟର ଟାଇପିଷ୍ଟ ଓ ଜଣେ ଡିସପେଚରଙ୍କୁ ମିଶାଇ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱର ନିର୍ଦ୍ଦେଶାଳୟରୁ ଥିବା ବେଳେ ଜଣେ ବ୍ରହ୍ମପୁର ନିର୍ଦ୍ଦେଶାଳୟରୁ ଆସିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକ ଭିତ୍ତିଭୂମିର ସୁବିଧା ନଥିବାରୁ ନିର୍ଦ୍ଦେଶକ ଡ. ସାମଲ ତାଙ୍କ ବକ୍ତବ୍ୟରେ ମନ୍ତ୍ରୀ, ବିଧାୟକ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଉତ୍ତରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଯଥାଶିଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଡ. ପିକେ ଜେନା, ଡ. ଗୌତମ ନାୟକ, ଡ. ସୁବାସ ପାତ୍ର, ଡ. ମାନସ କୁମାର ଦାସ, ଡ. ସନ୍ତୋଷ କୁମାର ରାଉତ, ସନ୍ତୋଷିନୀ ଆଚାର୍ଯ୍ୟ, ସମର ବଲ୍ଲଭ ସାହୁ ଓ ଆଞ୍ଚଳିକ ନିର୍ଦ୍ଦେଶାଳୟର କର୍ମଚାରୀ ସହଯୋଗ କରିଥିଲେ।
ତେବେ ନିମନ୍ତ୍ରଣପତ୍ରରେ ସାଂସଦ ରବୀନ୍ଦ୍ର ଜେନାଙ୍କ ନାମ ସମ୍ମାନିତ ଅତିଥି ଭାବେ ଥିବାବେଳେ ସଭା ମଞ୍ଚରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇ ନ ଥିବାରୁ ଘଟଣାସ୍ଥଳରେ ସାମ୍ବାଦିକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସେମାନଙ୍କୁ ବୁଝାଇବାରୁ ପରିସ୍ଥିତିରେ ସୁଧାର ଆସିଥିଲା।

Leave A Reply