ବାଲି ଚୋରା ଚାଲାଣରେ ନିୟୋଜିତ ୯ ଟ୍ରାକ୍ଟର ଜବତ

0

କଲମପୁର: କଳାହାଣ୍ଡି ଜିଲାର କଲମପୁର ମଧ୍ୟ ଦେଇ ପ୍ରବାହିତ ହେଉଥିବା କମଳ ଏବଂ ହାତୀ ନଦୀ ଏବେ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୁସ୍ୱର୍ଗ ପାଲିଟିଥିବା ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଇଆସୁଛି। ଏପରିକି ଏହି ନଦୀରେ ରାଜସ୍ୱ ବିଭାଗ ତରଫରୁ ୩ ଗୋଟିରୁ ଅଧିକ ବାଲି ସୌରାତ ଘୋଷଣା କରାଯାଇଥିଲେ ମଧ୍ୟ ବିଭାଗୀୟ ଅବହେଳା ତଥା ଇଛା ଶକ୍ତିର ଅଭାବ କାରଣରୁ ଲଘୁ ଖଣିଜ ସମ୍ପଦ ନିୟମ ଅନୁସାରେ ନିଲାମ ହେଇ ପାରିନାହିଁ। ଯେଉଁଥିପାଇଁ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି। କାଁ ଭାଁ ଚଢାଉ କରି କିଛି ଟ୍ରାକ୍ଟର ମାଲିକଙ୍କ ଠାରୁ ସ୍ୱଳ୍ପ କିଛି ଜୋରିମନା ଆଦାୟ କରାଯାଉଥିବା ବେଳେ ବହୁ ବାଲି ଚୋରା ଚାଲାଣ କାରୀ ନିଜର ନିଜର କ୍ଷମତା ତଥା ଅନ୍ୟ କିଛି ନେଟୱାର୍କିଂ ପାଇଁ ଅକ୍ଳେଶରେ ଖସିବାରେ ସକ୍ଷମ ହେଉଛନ୍ତି। ଏଭଳି କିଛି ଅଭିଯୋଗ ପାଇ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁ  ଓ କଲମପୁର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ମିଳିତ ଚଢାଉ ଫଳରେ କଲମପୁର କର୍ମେଲଘାଟ ଠାରୁ ବାଲି ଉତ୍ତୋଳନରେ ନିୟୋଜିତ ଥିବା ୯ଟି ଟ୍ରାକ୍ଟରକୁ ଜବତ କରିବା ସହ କଲମପୁର ପୁଲିସ ଫାଣ୍ଡି ଠାରେ ଜିମା ଦିଆଯାଇଥିଲା। ପରବର୍ତ୍ତି ସମୟରେ ଏହି ଜବତ ହେଇଥିବା ସମସ୍ତ ଟ୍ରାକ୍ଟର ଠାରୁ ୧୦ ଲେଖାଏଁ ଜୋରିମନା ଆଦାୟ କରାଯାଇ ଟ୍ରାକ୍ଟର ସବୁକୁ ମୁକ୍ତ କରାଯାଇଥିଲା।

ନିର୍ମାଣ କାର୍ଯ୍ୟ ପାଇଁ ବାଲିର ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ରାଜସ୍ୱ ବିଭାଗ ବାଲି ସୌରାତର ସୁବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। କେବଳ କଲମପୁର ନୁହେଁ ଏହି ଅଂଚଳରୁ ରିତିମତ ଥୁଆମୁଳ ରାମପୁର ଓ ଜୟପାଟଣା ବ୍ଲକ ଅଂଚଳର ଲୋକ ବାଲି ସଂଗ୍ରହ କରି ନେଉଛନ୍ତି। ରାଜସ୍ୱ ବିଭାଗ ସଠିକ ରାସ୍ତା କରିନଥିବାରୁ ଅନେକ ବାଲି ଚୋରା ଚାଲାଣକାରୀ ହାତୀ ନଦୀର କର୍ମେଲ ପୋଲ ଓ କମଳ ନଦୀର ସାନକୁଟୃ ପୋଲ ନିକଟରୁ ବାଲି ଉଠାଣ କରୁଛନ୍ତି।

ସୂଚନାଯୋଗ୍ୟଯେ ରୋଡ ଓ ଗୃହ ନିର୍ମାଣ ବିଭାଗର ନିୟମାବଳୀ ଅନୁସାରେ କୌଣସି ପୋଲ ନିର୍ମାଣସ୍ଥଳର ଉଭୟ ପାଶ୍ୱର୍ର ୫ଶହ ମିଟର ଦୂରତ୍ୱ ମଧ୍ୟରେ ବାଲି ଉତ୍ତୋଳନ କରାଗଲେ ପୋଲର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି ହେଇଥାଏ। କିନ୍ତୁ କଲମପୁର ଅଂଚଳରେ ଏହି ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଇ ହାତୀ ନୀଦର କର୍ମେଲ ପୋଲ ଓ କମଳନଦୀର ସାନକୁଟୃ ପୋଲ ନିକଟରୁ ରିତିମତ ବାଲି ଉଠାଣ କରାଯାଉଛି। ଯାହା ପୋଲର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ତୁରନ୍ତ ପୋଲର ସୁରକ୍ଷା ପାଇଁ ନଦୀତଟ ସୁରକ୍ଷା ଦାଇତ୍ୱରେ ଥିବା ଜଳ ସମ୍ପଦ ବିଭାଗ ଓ ପୋଲ ନିର୍ମାଣ ଦାଇତ୍ୱରେ ଥିବା ଗ୍ରାମ ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇ ପୋଲର ସୁରକ୍ଷା ପାଇଁ ନଦୀ ତଟରେ ଏକ ସୁରକ୍ଷା ବାଡ ନିର୍ମାଣ କରାଇଲେ ଏହାକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply