ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ

0

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଲେଖକ କୁଲଦୀପ ନାୟାରଙ୍କ ପରଲୋକ ଘଟିଛି। ଆଜି ସକାଳୁ ଦିଲ୍ଳୀସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।
ପାକିସ୍ତାନ ଅନ୍ତର୍ଗତ ସିଆଲକୋଟଠାରେ ୧୯୨୩, ଅଗଷ୍ଟ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା କୁଲଦୀପ୍‍ ଲାହୋରରୁ ଆଇନ୍‍ରେ ଡିଗ୍ରୀ ପାସ୍‍ କରିବା ପରେ ଏକ ଉର୍ଦ୍ଦୁ ପତ୍ରିକାରୁ ସାମ୍ବାଦିକତା ଆରମ୍ଭ କରିଥିଲେ। ବିଭାଜନ ସମୟରେ ସେ ଭାରତ ଚାଲି ଆସିଥିଲେ। ଭାରତରେ ଦୀର୍ଘ ଦିନ ଧରି ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ‘ଅଞ୍ଜାମ’ରୁ ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିବା କୁଲଦୀପ ସମ୍ବାଦ ସରବରାହ ସଂସ୍ଥା ୟୁଏନ୍‍ଆଇର ମୁଖ୍ୟ ପଦବୀ ଅଳଂକୃତ କରିଥିଲେ। ୧୯୭୧ରେ ପାକିସ୍ତାନ ସହିତ ଯୁଦ୍ଧ, ୧୯୭୫ରେ ଜରୁରିକାଳୀନ ସ୍ଥିତି, ତତ୍କାଳୀନ ଭାରତୀୟ ରାଜନୀତିରେ ଅସ୍ଥିରତା ପ୍ରସଙ୍ଗରେ ତାଙ୍କ ଲେଖନୀ ଚାଳନା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ‘ବିଟ୍‍ୱିନ୍‍ ଦ ଲାଇନ୍‍’ ତାଙ୍କର ପ୍ରଭାବଶାଳୀ ପୁସ୍ତକ ମଧ୍ୟରୁ ଅନ୍ୟତମ। ୧୯୯୦ରେ ସେ ବ୍ରିଟେନ୍‍ରେ ଭାରତ ପକ୍ଷରୁ ହାଇକମିଶନର ଭାବେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୨ରେ ତାଙ୍କର ଆତ୍ମଜୀବନୀ ପ୍ରକାଶ ପାଇଥିଲା।
କୁଲଦୀପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍‍୍ୟ ବ୍ୟକ୍ତି, ସାମ୍ବାଦିକ ଓ ରାଜନେତା ଶୋକବ୍ୟକ୍ତ କରିଛନ୍ତି। କୁଲଦୀପଙ୍କୁ ଜଣେ ବୁଦ୍ଧିଜୀବୀ ଭାବେ ବର୍ଣ୍ଣନା କରି ଏକ ଟ୍ୱିଟ୍‍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତାଙ୍କ ସାମ୍ବାଦିକତା ସ୍ପଷ୍ଟ ଓ ନିର୍ଭୀକ ଥିଲା। ଜରୁରିକାଳୀନ ସ୍ଥିତିରେ ତାଙ୍କର ଦୃଢ଼ ଲେଖନୀ ଚାଳନା, ସାମ୍ବାଦିକତା ଜରିଆରେ ଲୋକଙ୍କ ସେବା ଓ ଦେଶ ଗଠନରେ ତାଙ୍କ ଭୂମିକା ପାଇଁ ସେ ଚିରସ୍ମରଣୀୟ ରହିବେ। ଦୀର୍ଘ ଦଶନ୍ଧି ଧରି ସେ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସାମ୍ବାଦିକତାକୁ କୁଲଦୀପଙ୍କ ଅବଦାନ ଚିରସ୍ମରଣୀୟ। ଏଥିସହିତ କୁଲଦୀପଙ୍କ ଶୋକ ସନ୍ତପ୍ତ ପରିବାରକୁ ଶ୍ରୀ ସିଂହ ସମବେଦନା ଜଣାଇଛନ୍ତି। ଦକ୍ଷିଣ ଦିଲ୍ଲୀର ଲୋଧିଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply