ବନ୍ୟା ଜଳରେ ବୁଡ଼ି ରହିଛି ୧୭୮୫ ହେକ୍ଟର ଧାନ ଓ ପନିପରିବା ଫସଲ

ତିଗିରିଆ :  ମହାନଦୀ ବନ୍ୟାରେ ତିଗିରିଆ ବ୍ଲକରେ ବ୍ୟାପକ ଧାନଚାଷ ଓ ପନିପରିବା ନଷ୍ଟ ହୋଇଛି। ଗତ ଶନିବାର ଠାରୁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର କୃଷିକ୍ଷେତ୍ରକୁ ବନ୍ୟାଜଳ ବୁଡ଼ାଇ ରଖିଛି। ଗତକାଲି ଠାରୁ ମହାନଦୀ ବନ୍ୟାଜଳ ଅଞ୍ଚଳରେ ହ୍ରାସ ପାଉଥିଲେ ମଧ୍ୟ ଏବେବି କୃଷିକ୍ଷେତ୍ରଗୁଡ଼ିକରୁ ବନ୍ୟାଜଳ ଛାଡ଼ିନାହିଁ । ବ୍ଲକର ୧୦ଟି ପଞ୍ଚାୟତର ୧୭୮୫ ହେକ୍ଟର ଜମିରେ ହୋଇଥିବା ଧାନ ଓ ପନିପରିବା ଚାଷ ବନ୍ୟାଜଳରେ ବୁଡ଼ି ରହିଛି। ବନ୍ୟା ପ୍ରଭାବିତ ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ହାଟମାଳ, ଗଦାଧରପୁର,ପୁରୁଣାତିଗିରିଆ,ସୋମପଡ଼ା,ବିନ୍ଧାଣିମା, ଜେମାଦେଇପୁର, ଭୋଗଡ଼ା,ବାଲିପୁଟ ଏବଂ ସାପୁଆ ବନ୍ୟାରେ ଭିରୁଡ଼ା ପଞ୍ଚାୟତରେ ଧାନଚାଷ ଓ ପନିପରିବା ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଥିବା ତିଗିରିଆ ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଆଗକୁ ଲଘୁଚାପ ଜନିତ ବର୍ଷା ଏବଂ ହିରାକୁଦରୁ ବର୍ଦ୍ଧିତ ସଂଖ୍ୟକ ‘ାଟକର ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଏହି ଅଞ୍ଚଳ ମହାନଦୀ ଦେଇ ପ୍ରବାହିତ ହେଉଥିବା ଯୋଗୁଁ କୃଷିକ୍ଷେତ୍ରଗୁଡ଼ିକରୁ ବନ୍ୟାଜଳ ଅପସରି ଯିବାରେ ବିଳମ୍ବ ଦେଖାଦେଇଛି। ବିଶେଷ କରି ବ୍ଲକର ମହାନଦୀକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ଧାନ ସହିତ ପନିପରିବା ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଏହାଦ୍ୱାରା ଆଗାମୀ ଦିନରେ ଲୋକେ ପନିପରିବାର ଘୋର ଅଭାବୀ ପରିସ୍ଥିତିକୁ ସମ୍ମୁଖୀନ ହେବା ଏକରକମ ସୁନିଶ୍ଚିତ ହୋଇପଡ଼ିଛି। ତେବେ ବନ୍ୟାଜଳ ସମ୍ପୂର୍ଣ୍ଣ ଅପସରିଯିବା ପରେ ଅସଲ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସହକାରୀ କୃଷି ଅଧିକାରୀ କହିଛନ୍ତି।

ଏବେବି ଜଳବନ୍ଦୀରେ ଖଣ୍ଡହତା ସାଇକଲୋନୀ, ଛାତ ଉପରେ ବିପନ୍ନ,ବିଶୋଧକ ଓ ପାନୀୟଜଳ ଯୋଗାଇ ଦେବାକୁ ଦାବି

ମହାନଦୀ ବନ୍ୟାଜଳ ହ୍ରାସ ପରେ ତିଗିରିଆ ବ୍ଲକ ବଡ଼ନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା ସାଇକଲୋନୀର ବାସଗୃହଗୁଡ଼ିକରୁ ଗୁରୁବାର ବନ୍ୟାଜଳ ଅପସରିଯାଇଥିବା ଦେଖାଯାଇଛି। ହେଲେ ଉକ୍ତ ସାଇକଲୋନୀ ଏବେବି ଜଳବନ୍ଦୀରେ ରହିଛି। ଏଠାକୁ ସଂଯୁକ୍ତ ରାସ୍ତାରେ ଗୁରୁବାର ଅପରାହ୍ଣ ସୁଦ୍ଧା ପ୍ରାୟ ସାଢ଼େ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅପସରି ଯାଇଥିଲେ ମଧ୍ୟ ଏଠାରେ ବିପନ୍ନ ଦୁର୍ଦଶା ହଟିନି। ଲୋକେ ଛାତ ଉପରେ ଜରି ଟାଣି ରହିଛନ୍ତି। ପ୍ରାୟ ୫୫ଟି ପରିବାରର ୨୫୦ରୁ ଉଦ୍ଧ୍ୱର୍ ଜନସାଧାରଣ ଏହି କଲୋନୀରେ ରହୁଛନ୍ତି। ଛାତ ଉପରେ ଜରି ଟାଣି ରହିଥିବା ଦେଖିବାକୁ ମିଳିଛି। ତେବେ ଆଜି ବନ୍ୟାଜଳ ଅପସରିଯିବା ପରେ ଲୋକେ ଘରଦ୍ୱାର ସଫାସୁତୁରା କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି। କଲୋନୀ ଚତୁପାଶ୍ୱର୍ରେ ବନ୍ୟାଜଳରେ ବୁଡ଼ି ରହିଥିବା କୃଷିକ୍ଷେତ୍ରରୁ ପଚସଢ଼ା ଗନ୍ଧ ସୃଷ୍ଟି ହେଉଛି। ମଶା,ଡାଆଁଶରେ ବିପନ୍ନ ହନ୍ତସନ୍ତ ହେଉଛନ୍ତି। ସନ୍ଧ୍ୟା ପରେ ସରୀସୃପଙ୍କ ଭୟ ରହିଛି। ସ୍ଥାନୀୟ ବିପନ୍ନଙ୍କ କହିବା ମୁତାବକ ପ୍ରଶାସନ ପକ୍ଷରୁ ତୁରନ୍ତ ସମଗ୍ର କଲୋନୀ ଅଞ୍ଚଳକୁ ବିଶୋଧନ କରାଯିବା ସହିତ ଆବଶ୍ୟକୀୟ ପାନୀୟ ଜଳବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି। ଲୋକେ ବନ୍ୟା ପୂର୍ବରୁ ଆଗୁଆ ବିଭିନ୍ନ ଜଳଉତ୍ସରୁ ଯେଉଁ ପାନୀୟ ଜଳ ସଂଗ୍ରହ କରି ସଂରକ୍ଷିତ ରଖିଥିଲେ ତାହା ସରିବାକୁ ବସିଛି। ବ୍ଲକ ପ୍ରଶାସନ ପକ୍ଷରୁ ଏନେଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।

ଗୃହପାଳିତଙ୍କ ପାଇଁ ଦିଆଗଲା ୬୮ କ୍ୱିଣ୍ଟାଲ ଗୋଦାନା

ତିଗିରିଆ ବ୍ଲକରେ ବନ୍ୟା ବିପନ୍ନ ୪ଟି ପଞ୍ଚାୟତର ଗୃହପାଳିତଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ଶୁଖିଲା ଦାନା ଯୋଗାଇ ଦିଆଯାଇଛି। ବନ୍ୟା ଘେରରେ ରହିଥିବା ଏହି ବ୍ଲକର ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ସହିତ ମହାନଦୀ କୂଳବର୍ତ୍ତୀ ଗଦାଧରପୁର, ହାଟମାଳ ଏବଂ ବଡ଼ନାଉପୁଟ ପଞ୍ଚାୟତର ୧୬ଟି ଗ୍ରାମରେ ଏହି ଦାନା ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସତ୍ୟବ୍ରତ ଦାଶ ସୂଚନା ଦେଇଛନ୍ତି । ବନ୍ୟା ଯୋଗୁଁ ଗୋରୁଗାଇମାନେ ଗତ ପ୍ରାୟ ୩ଦିନ ହେଲା ଚାରଣ ଭୂମିକୁ ଯାଇ ପାରିନଥିବା ବେଳେ ବନ୍ୟାଜଳରେ ଜନବସତିଗୁଡ଼ିକ ରହିଥିବାରୁ ବିପନ୍ନ ଜନସାଧାରଣ ମଧ୍ୟ ଗୋରୁଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରିନାହିଁ। ମହାନଦୀ ବନ୍ୟାଜଳ ଗତକାଲି ଠାରୁ ହ୍ରାସ ପାଇବା ପରେ ଗୋ ସମ୍ପଦ ସହିତ ଉଚ୍ଚ ସ୍ଥାନକୁ ଯାଇଥିବା ବିପନ୍ନମାନେ ଘର ବାହୁଡ଼ା ହୋଇଥିବା ଜଣାପଡ଼ିଛି।
ବିଜେପି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବିଜେପି ପକ୍ଷରୁ ତିଗିରିଆ ବ୍ଲକ ସମ୍ପୂର୍ଣ୍ଣ କୋଇଲକନ୍ୟା ଗ୍ରାମ ଏବଂ ଗଦାଧରପୁରର ଗୋଟିଏ ୱାର୍ଡ଼ରେ ବନ୍ୟାବିପନ୍ନଙ୍କୁ ଗୁରୁବାର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଆଠଗଡ଼ର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ନିଜେ ଉପସ୍ଥିତ ରହି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳୀୟ ଅନ୍ୟ ନେତୃମଣ୍ଡଳୀଙ୍କ ମଧ୍ୟରେ ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରାନନ୍ଦ ଜେନା, ନିର୍ମଳ ପତ୍ରୀ, ଚିନ୍ମୟ ମଲ୍ଲିକ, କାବୁଲି ରାଉତ ଏବଂ ଛବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ କରିଥିଲେ।

Comments are closed.