ବକେୟା ମୋଟରଯାନ ଟିକସ ଆଦାୟ ପାଇଁ ଏକକାଳୀନ ଦେୟ ପରିଶୋଧ ଯୋଜନା

0

ଭୁବନେଶ୍ୱର: ସରକାରୀ ହିସାବରେ ରାଜ୍ୟରେ ବିଭିନ୍ନ ଯାନବାହନ ଉପରେ ପ୍ରାୟ ୨୮୫ କୋଟି ଟଙ୍କାର ମୋଟର ଯାନ ଟିକସ ବକେୟା ପଡ଼ିଛି। ବାସ୍ତବରେ ଏହା ୩ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଇଛି। ଏହି ଅର୍ଥ ଆଦାୟ ହୋଇ ପାରୁନଥିବାରୁ ସରକାର ଏକକାଳୀନ ବକେୟା ଟିକସ ଦେୟ ଯୋଜନା କାର୍ଯ୍ୟକାରୀ କରିବେ। ଏକକାଳୀନ ବକେୟା ଟିକସ ପ୍ରଦାନକାରୀଙ୍କୁ ରିଆତି ଦେଇ ସରକାର ଟିକସ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚିନ୍ତା କରୁଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି।
ବକେୟା ଟିକସ ସଂଗ୍ରହ ନେଇ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତା ଆର୍ଥିକବର୍ଷ ଆରମ୍ଭରୁ ଏହା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ଫଳରେ ବର୍ଷବର୍ଷ ଧରି ଅନାଦାୟ ପଡ଼ିଥିବା ଟିକସରୁ ଏକ ବୃହତ ଅଂଶ ରାଜକୋଷକୁ ଆସିପାରିବ।
ସରକାରୀ ତଥ୍ୟ ଅନୁଯାୟୀ ଦୁଇଚକିଆରୁ ଆରମ୍ଭ କରି ତିନିଚକିଆ ଅଟୋ, ଟ୍ରଲି, ଚାରିଚକିଆ ବସ, ଟ୍ରକ ଓ ଟ୍ରାକ୍ଟର ଆଦି ଉପରେ ବକେୟା ଟିକସ ଗଡୁଛି। ବିଶେଷକରି ଗ୍ରାମାଞ୍ଚଳରେ ହଜାର ହଜାର ଟ୍ରାକ୍ଟର ବିନା ଟିକସରେ ଚାଲିଛି। ଏସବୁ ଉପରୁ ବକେୟା ଟିକସ ଆଦାୟ ପାଇଁ ବିଭାଗର ସାଧନ ନଥିବାରୁ ବକେୟା ପରିମାଣ ବଢ଼ିବଢ଼ି ଚାଲିଛି। ଏହା ଆଦାୟ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଉଥିବା ଏବଂ ଯାଞ୍ଚକାରୀ ଦଳ ମାଧ୍ୟମରେ ଟିକସ ଆଦାୟ ପାଇଁ ପଦକ୍ଷେପ ନିଆଯାଉଥିବା ବିଭାଗ କହିଛି। ଏହା ସେତେ ଫଳପ୍ରଦ ହେଉନଥିବା ବେଳେ ଏକକାଳୀନ ବକେୟା ଦେୟ ପରିଶୋଧ ଯୋଜନା କାର୍ଯ୍ୟକାରୀ କରାଯିବ।
ମୋଟରଯାନ ଟିକସ ଆଦାୟ ପରିମାଣ ପ୍ରତିବର୍ଷ ବଢ଼ୁଛି। ତେବେ ବକେୟା ଆଦାୟ ଅାଶାଜନକ ଭାବେ ବୃଦ୍ଧି ପାଉନାହଁି। ୨୦୧୩-୧୪ରେ ଟିକସ ବାବଦରେ ୮୬୯.୬୭ କୋଟି ଟଙ୍କା ଆଦାୟ ହୋଇଛି। ସେହିବର୍ଷ ବକେୟା ଥିବା ଟିକସରୁ ମାତ୍ର ୩୨.୫୩ କୋଟି ଟଙ୍କା ମିଳିଛି। ସେହିପରି ୨୦୧୭-୧୮ରେ ଟିକସ ଆଦାୟ ୧୫୪୪.୫୯କୋଟି ଟଙ୍କା ହୋଇଥିବାବେଳେ ବକେୟା ବାବଦରେ ଆଦାୟ ହୋଇଛି ମାତ୍ର ୮୫.୪୧ କୋଟି ଟଙ୍କା।
ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ଟିକସ ଆଦାୟ ନୋଟିସ ବିରୋଧରେ କୌଣସି ମାମଲା ଅଦାଲତକୁ ଯାଇନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ବକେୟା ଟିକସ ସମ୍ପର୍କିତ ତଥ୍ୟ ପରିବହନ ବିଭାଗ ୱେବସାଇଟରେ ଦିଆଯାଉଛି। ଏକକାଳୀୟ ଦେୟ ପରିଶୋଧ ଯୋଜନାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଟିକସ ପ୍ରଦାନ ନକଲେ ସଂପୃକ୍ତ ଗାଡ଼ିମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଯୋଜନାରେ ଟିକସ ବକେୟା ଥିବା ଯାନବାହନର ମାଲିକମାନଙ୍କ ନିକଟକୁ ନୋଟିସ ପଠାଯିବ। ବକେୟା ଦେୟ ଉପରେ ରିଆତି ସମ୍ପର୍କରେ ସେମାନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇ ଦେୟ ପରିଶୋଧ ପାଇଁ ସମୟ ଦିଆଯିବ। ସେମାନେ ପରିଶୋଧ ନକଲେ ଗାଡିଗୁଡ଼ିକ ଜବତ ସହ ନିଲାମ କରାଯିବ। ଆବଶ୍ୟକସ୍ଥଳେ ସେମାନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ ପାଇଁ ବ୍ୟବସ୍ଥା ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଗତ ମାସରେ କଲକାତା ପୁଲିସ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ବ୍ୟକ୍ତିଙ୍କ ନିକଟରୁ ଜୋରିମାନା ଆଦାୟ ନେଇ ନୂଆ ଯୋଜନା କାର୍ଯ୍ୟକାରୀ କରିଛି। ଜୋରିମାନା ବାବଦ ବକେୟା ଅର୍ଥ ଆଦାୟ ପାଇଁ ୫୦%ରୁ ୬୫% ପର୍ଯ୍ୟନ୍ତ ଜୋରିମାନା ଅର୍ଥ ଛାଡ କରିବାକୁ ନିଷ୍ପତ୍ତି ନେଇଛି।
ଏହାବ୍ୟତୀତ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସି ନମ୍ବର କାହାରିକୁ ଦିଆଯାଇପାରୁନାହିଁ। ଲୋକମାନେ ଅଧିକ ଅର୍ଥ ଦେଇ ନେଉନଥିବାରୁ ସେଗୁଡ଼ିକ ପଡ଼ି ରହୁଛି। ଫ୍ୟାନ୍ସି ନମ୍ବରର ଦେୟ ହ୍ରାସ ନେଇ ପରିବହନ ବିଭାଗ ନିଷ୍ପତ୍ତି ନେବା ସମ୍ଭାବନା ରହିଥିବା ଏହି ସୂତ୍ରରୁ ସୂଚନା ମିଳିଛି।

Leave A Reply