ଫୟାଜଙ୍କୁ ଜାମିନ ମିଳିଲାନି

0

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ବେଲଟିକିରିଠାରେ ବେଆଇନ ଭାବେ ଗଢିଉଠିଥିବା ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ଡ୍ରିମ୍‍ ସେଣ୍ଟରର ଆଶ୍ରୟଗୃହ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଡଃ ଫୟାଜ ରେହମାନଙ୍କ ଜାମିନ୍‍ ଆବେଦନ ଖାରଜ ହୋଇଛି। ବୁଧବାର ଫୟାଜଙ୍କ ଓକିଲଙ୍କ ପକ୍ଷରୁ ଜାମିନ୍‍ ପାଇଁ ସ୍ୱତନ୍ତ୍ର ପୋକ୍ସ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସରକାରୀ ଓକିଲ ଏହାକୁ ଦୃଢ଼ ଭାବେ ବିରୋଧ କରିଥିଲେ। ପୋକ୍ସ କୋର୍ଟ ଫୟାଜଙ୍କ ଜାମିନ୍‍ ଆବେଦନକୁ ଖାରଜ କରିବା ପରେ ତାଙ୍କ ସମର୍ଥକ ନିରାଶ ହୋଇଛନ୍ତି। ଏହି ଘଟଣାରେ ଗୁରୁବାର ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‍ସିପିସିଆର୍‍)ର ଏକ ଟିମ୍‍ ଗୁରୁବାର ବେଲଟିକିରି ଗସ୍ତ କରିବେ। ଟିମ୍‍କୁ ସାମ୍ନା କରିବା ପାଇଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯିବା ସହ ବିଚାର ବିମର୍ଶ ଜାରି ରହିଛି।
ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସ ଅଦାଲତରେ ବୁଧବାର ଅପରାହ୍ନ ୨ଟାରେ ସାଲଗାଡିଆ ହାପି ଆଣ୍ଡ୍‍ ହୋଲି ସୋସାଇଟିର ଅଧ୍ୟକ୍ଷ ଡଃ ଫୟାଜ ରେହମାନଙ୍କ ଶିଶୁ ଯୌନ ନିର୍ଯାତନା ମାମଲାରେ ଜାମିନ୍‍ ଆବେଦନର ଶୁଣାଣି ହୋଇଥିଲା। ଫୟାଜଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ୍‍ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଫୟାଜ ଜଣେ ସାଧାସିଧା ଲୋକ ଏବଂ ତାଙ୍କର ମାମଲାରେ ସଂପୃକ୍ତି ନଥିବାରୁ ସେ ନିର୍ଦ୍ଦୋଷ। ସେ ଜଣେ ହୃଦ୍‍ରୋଗୀ ହୋଇଥିବାରୁ ପୂର୍ବରୁ ଅପରେସନ୍‍ ହୋଇଛନ୍ତି। ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଥିବାରୁ ଜାମିନ୍‍ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ସରକାରୀ ଓକିଲ ସୁଲେମାନ ଖାନ୍‍ ତଦନ୍ତ ପ୍ରକ୍ରିୟା ଚାଲୁରହିଥିବାରୁ ଏହା ଭିତରେ ଜାମିନ୍‍ ଦିଆଗଲେ ଅଭିଯୁକ୍ତ ସାକ୍ଷୀମାନଙ୍କୁ ପ୍ରଭାବିତ, ପ୍ରଲୋଭିତ ଏବଂ ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଛି। ତେଣୁ ତାଙ୍କୁ ଜାମିନ୍‍ ନଦେବା ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରୀ ଓକିଲ ଏବଂ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତିଙ୍କୁ ଶୁଣାଣି କରି ସ୍ୱତନ୍ତ୍ର ପୋକ୍ସ ଜଜ୍‍ କ୍ଷୀରୋଦ କୁମାର ଦାସ ଜାମିନ୍‍ ଆବେଦନକୁ ଖାରଜ କରିଦେଇଥିଲେ। ଫୟାଜଙ୍କ ଜାମିନ୍‍ ଆବେଦନ ଶୁଣାଣି ସମୟରେ ଓଡିଶା ହାଇକୋର୍ଟର କିଛି ଓକିଲ, ମାନବାଧିକାର କର୍ମୀ ଏବଂ ଏନ୍‍ଜିଓ ପ୍ରତିନିଧିଙ୍କୁ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଥର ପାଇଁ ଫୟାଜଙ୍କ ଜାମିନ୍‍ ଆବେଦନ ଖାରଜ ହୋଇଛି। ଗତ ୭ ତାରିଖରେ ଫୟାଜଙ୍କ ପକ୍ଷରୁ ପ୍ରଥମେ ଜାମିନ୍‍ ଆବେଦନ କରାଯାଇଥିଲା। ପୁଲିସ୍‍ କେସ୍‍ ଡାଏରୀ ଦାଖଲ କରିନଥିବାରୁ ଜାମିନ୍‍ ଆବେଦନର ଶୁଣାଣି ନହୋଇ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ବୁଧବାର ଜାମିନ୍‍ ଆବେଦନ ଖାରଜ ହୋଇଯିବାପରେ ଫୟାଜ ଏବଂ ତାଙ୍କ ସମର୍ଥକଙ୍କୁ ଧକ୍କା ଲାଗିଛି।
ଏହି ଘଟଣା ଓଡିଶାର ସୀମା ସରହଦ ଡେଇଁ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିବାରୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‍ସିପିସିଆର୍‍) ଗଭୀର ଉଦ୍‍ବେଗ ପ୍ରକାଶ କରିଥିଲେ। ତଦନ୍ତ କରିବାକୁ ନୂଆଦିଲ୍ଲୀରୁ ଘୋଷଣା କରାଯାଇଥିଲା। ଓଡିଶାରେ ଥିବା ବେଆଇନ୍‍ ସେଲଟର ହୋମ୍‍ଗୁଡିକରେ ଶିଶୁମାନଙ୍କୁ ଯୌନ ଶୋଷଣ କରିବା, ବିଦେଶରୁ ବିପୁଳ ଅନୁଦାନ ଅର୍ଥରେ ଧର୍ମାନ୍ତରିକରଣ କରିବା ଆଦି ସଂଗୀନ ଅଭିଯୋଗ ରହିଥିଲା। ଶିଶୁମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଗୁରୁବାର ଏନ୍‍ସିପିସିଆର୍‍ର ଏକ ଟିମ୍‍ ବେଲଟିକିରି ଗସ୍ତ କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲା ଶିଶୁ ସୁରକ୍ଷା ଶାଖା ଏବଂ ଶିଶୁ ମଙ୍ଗଳ କମିଟି ଟିମ୍‍କୁ ସାମ୍ନା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ପୁଲିସ୍‍ ତଦନ୍ତର ଅଗ୍ରଗତି, ଅଭିଯୋଗ ଅନୁଯାୟୀ ଲାଗିଥିବା ଧାରା, ଉପଧାରା ଉପରେ କମିଟି ତର୍ଜମା କରିବ ବୋଲି ସୂଚନା ମିଳିଛି। କେଉଁଭଳି ପରିସ୍ଥିତିରେ ବେଲଟିକିରି ଆଶ୍ରୟଗୃହରେ ଶିଶୁମାନେ ରହୁଥିଲେ, ସେମାନଙ୍କ ଉପରେ ଚାଲିଥିବା ଯୌନ ନିର୍ଯାତନା ସଂପର୍କରେ ଟିମ୍‍ ତଦନ୍ତ କରିବ।
ଏଠାରେ ସୂଚନା ଯୋଗ୍ୟ ଯେ, ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ବେଲଟିକିରିଠାରେ ସାଲଗାଡିଆ ହାପି ଆଣ୍ଡ ହୋଲି ହୋମ୍‍ ସୋସାଇଟି ପକ୍ଷରୁ ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ଡ୍ରିମ୍‍ ସେଣ୍ଟର ନାମରେ ଏକ ଆଶ୍ରୟଗୃହ ଚାଲୁଥିଲା। ସେଠାରେ ୮୧ ଜଣ ଅନ୍ତେବାସୀ ରହୁଥିଲେ। ଅନୁଷ୍ଠାନର ମୁଖ୍ୟ ଡଃ ଫୟାଜ ରେହମାନଙ୍କୁ ଅନ୍ତେବାସୀମାନେ ଡାଡି ଭାବରେ ସମ୍ବୋଧନ କରୁଥିଲେ। ଡାଡି ଯେତେବେଳେ ଆସନ୍ତି ନାବାଳିକା ଝିଅମାନଙ୍କୁ କୁଣ୍ଢାଇ ଧରି ଗେଲ କରିବା ବାହାନାରେ ଚୁମ୍ବନ ଦେବାଭଳି ସଂଗୀନ ଅଭିଯୋଗ ଉଠିଥିଲା। ଅନୁଷ୍ଠାନର ପ୍ରକଳ୍ପ ନିର୍ଦେଶକ ତଥା ବେଲଟିକିରି ଶାଖା ପରିଚାଳକ ସୀମାଞ୍ଚଳ ନାଏକ ଓ ସହକାରୀ ନିର୍ଦେଶକ ଉଦିତ୍‍ କୁମାର ଲିମା ମଧ୍ୟ ନାବାଳିକାମାନଙ୍କୁ ଏହିଭଳି ଆଚରଣ କରୁଥିବା ଅନ୍ତେବାସୀମାନେ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ଜିଲା ଶିଶୁ ସୁରକ୍ଷା ଶାଖା ଏବଂ ଜିଲା ଶିଶୁ ମଙ୍ଗଳ କମିଟି ଅଭିଯୋଗ କ୍ରମେ ୩ଟି ମାମଲା ରୁଜୁ ହେବା ସହ ସମସ୍ତ ୩ ଅଭିଯୁକ୍ତ ଜେଲ୍‍ ହାଜତରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନୁଷ୍ଠାନର ମୁଖ୍ୟ ଫୟାଜଙ୍କର ଦୁଇଥର ଜାମିନ୍‍ ଆବେଦନ କରାଯାଇଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଏଯାଏଁ ଜାମିନ୍‍ ଆବେଦନ କରିନାହାନ୍ତି।

Leave A Reply