ଫେଡେରର ପରାସ୍ତ; କ୍ୱାର୍ଟରରେ ଓସାକା ଓ ଜୋକୋଭିକ୍‍

0

ନ୍ୟୁୟର୍କ: ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ନବମ ଦିନରେ ପୁରୁଷ ସିଙ୍ଗଲ୍‍ସରେ ବଡ଼ ବିପର୍ୟ୍ୟୟ ଘଟିଛି। ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ୨ୟ ସିଡ୍‍ ସ୍ୱିଜରଲାଣ୍ଡର ରଜର ଫେଡେରରଙ୍କୁ ପ୍ରିକ୍ୱାର୍ଟରଫାଇନାଲ ପର୍ୟ୍ୟାୟରୁ ବିଦାୟ ନେବାକୁ ପଡିଛି। ସୋମବାର ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଅଣସିଡେଡ୍‍ ଖେଳାଳି ଜନ ମିଲମ୍ୟାନ ୩-୬, ୭-୫, ୭-୬, ୭-୬ ସେଟ୍‍ରେ ଫେଡେରରଙ୍କୁ ପରାସ୍ତ କରିଛନ୍ତି। ୟୁଏସ୍‍ ଓପନରେ ପାଞ୍ଚଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଫେଡେରର ବିଗତ ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଠାରେ କ୍ୱାର୍ଟର ଫାଇନାଲ ପୂର୍ବରୁ ବିଦାୟ ନେଇଛନ୍ତି। କୌଣସି ଗ୍ରାଣ୍ଡସ୍ଲାମରେ ଚତୁର୍ଥ ରାଉଣ୍ଡ ଅତିକ୍ରମ କରିନଥିବା ମିଲମ୍ୟାନଙ୍କ ପାଇଁ ଏହା କ୍ୟାରିୟରର ସବୁଠାରୁ ଉଲ୍ଲେଖନୀୟ ବିଜୟ ବୋଲି ସେ କହିଛନ୍ତି। କ୍ୱାର୍ଟର ଫାଇନାଲରେ ମିଲମ୍ୟାନ ୬ଷ୍ଠ ସିଡ୍‍ ମାନ୍ୟତାପ୍ରାପ୍ତ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ଙ୍କୁ ଭେଟିବେ। ପ୍ରିକ୍ୱାର୍ଟର ମ୍ୟାଚରେ ଜୋକୋଭିକ୍‍ ସିଧାସଳଖ ୬-୩, ୬-୪, ୬-୩ ସେଟ୍‍ରେ ପର୍ତ୍ତୁଗାଲର ଜୋଆଓ ସୌସାଙ୍କୁ ପରାସ୍ତ କରିଛନ୍ତି।
ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ କ୍ରୋଏସିଆର ମାରିନ ସିଲିକ୍‍ ଜାପାନର କେଇ ନିଶିକୋରିଙ୍କୁ ଭେଟିବେ। ସୋମବାର ପ୍ରିକ୍ୱାର୍ଟରରେ ୭ମ ସିଡ୍‍ ସିଲିକ୍‍ ୭-୬, ୬-୨, ୬-୪ ସେଟ୍‍ରେ ୧୦ମ ସିଡ୍‍ ମାନ୍ୟତାପ୍ରାପ୍ତ ବେଲଜିୟମର ଡେଭିଡ ଗୋଫିନଙ୍କୁ ପରାସ୍ତ କରିଥିବାବେଳେ ୨୧ଶ ସିଡ୍‍ ନିଶିକୋରି ୬-୩, ୬-୨, ୭-୫ ସେଟ୍‍ରେ ଜର୍ମାନୀର ଅଣସିଡେଡ୍‍ ଖେଳାଳି ପିଟର କୋଲସ୍କ୍ରାଇବରଙ୍କୁ ପରାସ୍ତ କରିଛନ୍ତି। ୨୦୧୪ରେ ଉଭୟ ନିଶିକୋରି ଓ ସିଲିକ୍‍ ପରସ୍ପରକୁ ୟୁଏସ ଓପନ ସେମିଫାଇନାଲରେ ଭେଟିଥିବାବେଳେ ସିଲିକ୍‍ ବିଜୟୀ ହୋଇଥିଲେ। ଏଥର ଏହି ପରାଜୟର ପ୍ରତିଶୋଧ ନେବାକୁ ନିଶିକୋରି ଉଦ୍ୟମ କରିବେ ବୋଲି ଆଶା କରାଯାଉଛି। ମହିଳା ସିଙ୍ଗଲ୍‍ସରେ ଆମେରିକାର ମାଡିସନ କେୟିସ, ଜାପାନର ନାଓମି ଓସାକା, ସ୍ପେନର କାର୍ଲା ସ୍ୱାରେଜ ନାଭାରୋ ଓ ୟୁକ୍ରେନର ଲେସିଆ ସ୍ୟୁରେଙ୍କୋ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ୧୪ଶ ସିଡ୍‍ କେୟିସ ୬-୧, ୬-୩ ସେଟ୍‍ରେ ୨୯ଶ ସିଡ୍‍ ସ୍ଲୋଭାକିଆର ଡୋମିନିକା ସିବୁଲକୋଭାଙ୍କୁ ପରାସ୍ତ କରିଛନ୍ତି। ୨୦୧୭ରେ ଏଠାରେ ରନର୍ସଅପ୍‍ ହୋଇଥିବା କେୟିସ କ୍ୱାର୍ଟର ଫାଇନାଲରେ ସ୍ପେନର କାର୍ଲା ସ୍ୱାରେଜ ନାଭାରୋଙ୍କୁ ଭେଟିବେ। ପ୍ରିକ୍ୱାର୍ଟରରେ ୩୦ଶ ସିଡ୍‍ ନାଭାରୋ ୬-୪, ୬-୩ ସେଟ୍‍ରେ ୨୨ଶ ସିଡ୍‍ ରୁଷର ମାରିଆ ସାରାପୋଭାଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ ପର୍ୟ୍ୟାୟର ଅନ୍ୟ ଏକ ମୁକାବିଲାରେ ନାଓମି ଓସାକାଙ୍କୁ ଭେଟିବେ ଲେସିଆ ସ୍ୟୁରେଙ୍କୋ। ପ୍ରିକ୍ୱାର୍ଟରରେ ୨୦ଶ ସିଡ୍‍ ଓସାକା ୬-୩, ୨-୬, ୬-୪ ସେଟ୍‍ରେ ୨୬ଶ ସିଡ୍‍ ବେଲରୁଷର ଆରିନା ସେବାସ୍ତୋଭାଙ୍କୁ ପରାସ୍ତ କରିଥିବାବେଳେ ଅଣସିଡେଡ୍‍ ଖେଳାଳି ସ୍ୟୁରେଙ୍କୋ ୬-୭, ୭-୫, ୬-୨ ସେଟ୍‍ରେ ଚେକ୍‍ ରିପବ୍ଲିକ୍‍ର ମାର୍କେଟା ଭୋଣ୍ଡ୍ରୁସୋଭାଙ୍କୁ ପରାସ୍ତ କରିଛନ୍ତି। ନାଭାରେ ଦ୍ୱିତୀୟ ଥର ପାଇଁ ୟୁଏସ ଓପନରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ଓସାକା ଓ ସ୍ୟୁରେଙ୍କୋ ପ୍ରଥମ ଥର ଏହି କୃତିତ୍ୱ ଅର୍ଜନ କରିଛନ୍ତି।

Leave A Reply