ପ୍ରଥମ ମହିଳା ଟି୨୦ରେ ଭାରତ ପରାସ୍ତ

0

ୱେଲିଙ୍ଗ୍‌ଟନ: ପୁରୁଷ ଦଳ ଭଳି ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଟ୍ବେଣ୍ଟି୨୦ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି। ବୁଧବାର ୱେଲିଙ୍ଗ୍‌ଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୨୩ ରନରେ ଭାରତକୁ ପରାସ୍ତ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୫୯ ରନ କରିଥିଲା। ଜବାବରେ ଭାରତ ୧୯.୧ ଓଭରରେ ୧୩୬ ରନରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡର ଲିଆ ତାହୁହୁ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଏହି ବିଜୟ ଫଳରେ ନ୍ୟୁଜିଲାଣ୍ଡ ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଆସନ୍ତା ୮ରେ ସିରିଜର ଦ୍ବିତୀୟ ଟ୍ବେଣ୍ଟି୨୦ ଅକ୍‌ଲାଣ୍ଡରେ ଖେଳାଯିବ।
ଭାରତୀୟ ଅଧିନାୟିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡକୁ ଆମନ୍ତ୍ରଣ କରିଥିଲେ। ୧୧ ରନରେ ଦଳ ଓପନର ସୁଜି ବେଟ୍‌ସଙ୍କ (୭) ୱିକେଟ ହରାଇଥିଲା। ଅନ୍ୟତମ ଓପନର ସୋଫି ଡିଭାଇନ ୬୨, ଅଧିନାୟିକା ଆମି ସାଟର୍ଥୱେଟ୍‌ ୩୩ ଓ କ୍ୟାଟି ମାର୍ଟିନ ୨୭ ରନ କରିବା ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୫୯ ରନ କରିଥିଲା। ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡି, ରାଧା ଯାଦବ, ଦୀପ୍ତି ଶର୍ମା ଓ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।
୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୪ ରନରେ ଓପନର ପ୍ରିୟା ପୁନିଆଙ୍କ (୪) ୱିକେଟ ହରାଇଥିଲା। ତେବେ ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ବେଜ୍‌ ୨ୟ ୱିକେଟ ପାଇଁ ୯୮ ରନ ଯୋଗକରି ଦଳୀୟ ସ୍ଥିତିକୁ ମଜଭୁତ କରିଥିଲେ। ୭ଟି ଚୌକା ଓ ୩ଟି ଛକା ସହାୟତାରେ ୫୮ ରନ କରି ମାନ୍ଧାନା ଆଉଟ ହେବାଫଳରେ ଏହି ଯୋଡି ଭାଙ୍ଗିଯାଇଥିଲା। ଏକ ରନ ବ୍ୟବଧାନରେ ଜେମିମା ବ୍ୟକ୍ତିଗତ ୩୯ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ମାନ୍ଧାନା ଓ ଜେମିମାଙ୍କ ପ୍ରସ୍ଥାନ ପରେ ଭାରତୀୟ ଇନିଂସ ଏକପ୍ରକାର ଭୁଶୁଡି ଯାଇଥିଲା। ଫଳରେ ଭାରତ ୧୯.୧ ଓଭରରେ ୧୩୬ ରନରେ ଅଲଆଉଟ ହୋଇଥିଲା। ୩୪ ରନ ମଧ୍ୟରେ ଶେଷ ୮ଟି ୱିକେଟ ହରାଇବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଧିନାୟିକା ହରମନପ୍ରୀତ କୌର ୧୭ ରନ କରିଥିବାବେଳେ ଦଳର ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲିଆ ତାହୁହୁ ୩ଟି, ଲି କାସ୍‌ପର୍କ, ଆମେଲିଆ କେର୍‌ ପ୍ରତ୍ୟେକ ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ଆମି ସାଟର୍ଥୱେଟ୍‌, ସୋଫି ଡିଭାଇନ ଓ ରୋଜମେରୀ ମେୟାର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Leave A Reply