ପୁଣି ଚର୍ଚ୍ଚାରେ ନୀଳଗିରିର ମନ୍ଦିର ମାଳିନୀ ଗାଁ ଅଯୋଧ୍ୟା

0

ନୀଳଗିରି: ସେଠାରେ ମାଟି ଖୋଳିଲେ ମିଳେ ମହାଦେବ। ହାତ ଠାରିଲେ ଦେଖାଯାଏ ଜୈନ, ବୌଦ୍ଧଙ୍କ କୀର୍ତ୍ତିରାଜି। ସେହି ମନ୍ଦିର ମାଳିନୀ ଗାଁ କୁହାଯାଉଥିବା ଅଯୋଧ୍ୟା ଅଞ୍ଚଳ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛି। ଏହାର ଏକ ପାର୍ଶ୍ବବର୍ତ୍ତୀ ଗାଁ ନିକଟରେ ପ୍ରବାହିତ ସୋନ ନଦୀ ଗର୍ଭରୁ ସପ୍ତମ ଶତାବ୍ଦୀ ବା ୧୪ ଶହ ବର୍ଷ ତଳର ଏକ ଜୈନ ମନ୍ଦିରକୁ ଠାବ କରାଯାଇଛି। ସେହିପରି ଗାଁ ହେଲା ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅନ୍ତର୍ଗତ ଅଯୋଧ୍ୟା। ଅଯୋଧ୍ୟା ଅଞ୍ଚଳରେ ମାଟି ଖୋଳିଲେ ବହୁ ପୁରୁଣା କୀର୍ତ୍ତିରାଜି ପୂର୍ବରୁ ମିଳି ଆସିଛି। ସୋନ ଓ ସିନ୍ଧୁ ନଦୀର ସଙ୍ଗମ, ଅଯୋଧ୍ୟା ନିକଟ ଉତ୍ତରାଂଘାଟରୁ ୧୯୦୫ରୁ ୧୯୧୫ ମସିହା ମଧ୍ୟରେ ଏକ ପାର୍ଶ୍ବନାଥ ମୂର୍ତ୍ତି ମିଳିଥିଲା। ସେହିପରି ପୁନ୍ଦାଳରୁ ୨ଟି, କାଠପାଳରୁ ଗୋଟିଏ, ବାଡ଼ିଆରୁ ଗୋଟିଏ ଏବଂ କାଂଶ, ଅଯୋଧ୍ୟା, ଡୁମଗଣ୍ଡିରା ପ୍ରଭୃତି ଅଞ୍ଚଳରୁ ଜୈନ ମୂର୍ତ୍ତିମାନ ମିଳିଛି। କିଛି ବର୍ଷ ପୂର୍ବରୁ ଅଯୋଧ୍ୟାସ୍ଥିତ କୁଣ୍ଡପୋଖରୀ ଦକ୍ଷିଣ ତଳ ଆଡ଼ିରେ ଥିବା କାଣ୍ଡଭାଡ଼ି ନିକଟରେ ଏକ ମନ୍ଦିରର ଭଗ୍ନାବଶେଷ ମାଟି ଭିତରେ ପୋତି ହୋଇ ଯାଇଥିବା ଠାବ କରାଯାଇଥିଲା।
ଅଯୋଧ୍ୟା ନିକଟସ୍ଥ ପଦ୍ମତୋଳା, ସାତଶଗଡ଼ିଆ, ଦେଖଣ୍ଡ, ବୁଦପୁରା ପ୍ରଭୃତି ଅଞ୍ଚଳର ପୂର୍ବରୁ ଜଳବହୁଳ ଅଞ୍ଚଳ ଭାବେ ପରିଗଣିତ ଥିଲା। ସେତେବେଳେ ଏ ସବୁ ସ୍ଥାନରେ ନଦୀବନ୍ଧ ରହିଥିଲା। ଦଶମରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ମୟୂରଭଞ୍ଜ ଜିଲାର ସାଇଁକୁଳା ଅଞ୍ଚଳରୁ ସୋନ ନଦୀଟି ତା’ର ଗତିପଥ ଦକ୍ଷିଣକୁ ବଦଳାଇଥିଲା। ତେଣୁ ଅଯୋଧ୍ୟା, କାଂଶ, ପୁନ୍ଦାଳ, ଡୁମଗଣ୍ଡିରା ପ୍ରଭୃତି ଅଞ୍ଚଳରେ ସୋନ ନଦୀ ପ୍ରବାହିତ ହୋଇଥିବା ଜଣାଯାଏ। ଏହି ଅଞ୍ଚଳରେ ଥିବା ବୌଦ୍ଧ ଓ ଜୈନ କୀର୍ତ୍ତିରାଜି ସବୁ ସୋନ ନଦୀ ଗର୍ଭରେ ପୋତି ହୋଇ ଯାଇଥିବା ଅନୁମାନ କରାଯାଏ। ଗୁରୁବାର ଅପରାହ୍ଣରେ ନୀଳଗିରି ବ୍ଲକର ମିତ୍ରପୁର-କାଂଶ ରାସ୍ତାର କାଠପାଳ ଅଞ୍ଚଳରେ ପ୍ରବାହିତ ସୋନ ନଦୀ ଗର୍ଭରେ ଏକ ଜୈନ ମନ୍ଦିର ବାଲିରେ ପୋତି ଯାଇଥିବା ଠାବ କରାଯାଇଛି। ପାର୍ଶ୍ବରେ ମନ୍ଦିରର ଚୂଳି ମଧ୍ୟ ପୋତି ହୋଇ ପଡ଼ିଥିବା ଦେଖାଯାଇଛି। ସେତେବେଳେ ଚୂନରେ ଇଟା ଓ ପଥରକୁ ଯୋଡ଼ାଯାଇ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ସେହିପରି ସ୍ଥାନୀୟ କେତେକ ଲୋକ ଏହାକୁ ଏକ ପୁରାତନ ଶିବ ମନ୍ଦିର ବୋଲି କହୁଛନ୍ତି। ଅଯୋଧ୍ୟା ଅଞ୍ଚଳର ଗବେଷକ ବଟକୃଷ୍ଣ ଖୁଣ୍ଟିଆ କହିଛନ୍ତି ଯେ ଦଶମରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଏଠାରେ ହୋଇଥିବା ଏକ ବଡ଼ ଭୂମିକମ୍ପ ଯୋଗୁ ସୋନ ନଦୀ ତା’ର ଗତିପଥ ବଦଳାଇ ଦେଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଥିବା ଜୈନ କୀର୍ତ୍ତିରାଜି ସବୁ ମାଟି ତଳେ ପୋତି ଯାଇଥିଲା ଏବଂ ଏହା ୧୪ ଶହ ବର୍ଷର ପୁରୁଣା ଜୈନ ମନ୍ଦିରର ଭଗ୍ନାବଶେଷ ବୋଲି ସେ ଜଣାଇଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅନୁଧ୍ୟାନ କରି ଆବିଷ୍କାର ହୋଇଥିବା ଏହି ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ସାଧାରଣରେ ଦାବି ହୋଇଛି। ଅପରପକ୍ଷରେ ନଦୀ ଗର୍ଭରୁ ମନ୍ଦିର ଠାବ ହେବା ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଞ୍ଚଳ ଲୋକାରଣ୍ୟ ପାଲଟି ଯାଇଛି।

Leave A Reply