ପହିଲାରୁ ଉଡ଼ିବନି ଭୁବନେଶ୍ୱର-ଦୁବାଇ ବିମାନ

0

ଭୁବନେଶ୍ୱର: ଭୁବନେଶ୍ୱରରୁ ବିଦେଶକୁ ବିମାନ ଉଡ଼ାଣ ନେଇ ଆଲୋଚନା ଲାଗି ରହୁଥିବା ବେଳେ ଏଥିରେ ଏବେ ନୂଆ ପ୍ରସଙ୍ଗ ଯୋଡ଼ି ହୋଇଛି। ତାହା ହେଉଛି ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ନଭେମ୍ବର ୧ ତାରିଖରୁ ଭୁବନେଶ୍ୱର-ଦୁବାଇ ବିମାନ ଉଡ଼ାଣ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଗତ କିଛିଦିନ ହେଲା ଚର୍ଚ୍ଚା ଚାଲୁଛି। ତେବେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ ହୋଇଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ଖବର ଜୋର୍‍ ଧରିଥିଲା। ଏପରି ହେଲେ ଭୁବନେଶ୍ୱରରୁ ଘରୋଇ ବିମାନ ସେବା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଥିବା ଇଣ୍ଡିଗୋର ଏହା ପ୍ରଥମ ଅନ୍ତର୍ଜାତୀୟ ଉଡ଼ାଣ ହୋଇଥାନ୍ତା। ଗତ କିଛିଦିନ ହେଲା ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବେଶ୍‍ ଚର୍ଚ୍ଚା ମଧ୍ୟ ଚାଲିଛି। କିନ୍ତୁ ଦୁବାଇକୁ ବିମାନ ଉଡ଼ାଣ ଖବରରେ କୌଣସି ସତ୍ୟତା ନାହିଁ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ନଭେମ୍ବର ୧ରୁ ବିମାନ ଉଡ଼ାଣ ନେଇ ଯେଉଁ ଖବର ଆସୁଛି ତାହା ଅମୂଳକ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ ନଭେମ୍ବର ୧ରୁ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ଆରମ୍ଭ ନେଇ କମ୍ପାନୀ ପକ୍ଷରୁ ଏଏଆଇକୁ କୌଣସି ସୂଚନା ନାହିଁ। ତେବେ ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତରେ ଏପରି ହେବାର ସମ୍ଭାବନା ନାହିଁ।

Leave A Reply