ନ୍ୟାୟପାଳିକାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

0

ଭୁବନେଶ୍ୱର:ପୁଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଗତ ଦେଢମାସ ହେଲା ନ୍ୟାୟିକ ବ୍ୟବସ୍ଥାରେ ଏକପ୍ରକାର ସ୍ଥାଣୁତା ଦେଖାଦେଇଛି। ଏହା ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଏହି ସ୍ଥିତାବସ୍ଥାର ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କ ନିରବତା ଅପାରଗତାର ବଡ ଉଦାହରଣ ଏହାଠାରୁ ଆଉ କ’ଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ ଦଶହରା ପରେ ସମସ୍ତେ ନିଜନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି। ଓକିଲ ଓ ପୁଲିସବନ୍ଧୁମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତା’ର ସମାଧାନ ରାସ୍ତା ଏଯାଏଁ ଆସିନି। ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେଷି ହୋଇଗଲାଣି। ଅନେକ ଲୋକ ଚାକିରି, ଜମିଜମା ବିବାଦ, ସାମାନ୍ୟ ଜାମିନ୍‍ କୋର୍ଟରେ ପାଇପାରୁ ନାହାନ୍ତି। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଭଲ ହେବ। ବିରୋଧୀ ଦଳ ଭାବେ ପ୍ରସଙ୍ଗ ଉଠାଇଲେ ଶାସକ ଦଳ ଚେଙ୍କ ଓ କଷ୍ଟ ଲାଗେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଥିବାବେଳେ ନ୍ୟାୟପାଳିକା ପାଖରେ ତାଙ୍କର ଉତ୍ତର ଦାୟିତ୍ୱ ରହିଛି। ଭୁଲ ଠିକ୍‍ର ତର୍ଜମା ସେ କରିବାକୁ ଚାହୁଁ ନାହାନ୍ତି। ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନର ଦାୟିତ୍ୱ କାହାର। ଏହାର ସମାଧାନ ଯଦି ନହେଉଛି ଏହାକୁ ଅପାରଗତା କୁହାଯିବନି ତ ଆଉ କ’ଣ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଯେତେଶୀଘ୍ର ସମାଧାନ ହେବ ଗରିବଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ, ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ରାଜ୍ୟ ସରକାରରେ ଡିଜି କ’ଣ କରୁଛନ୍ତି, ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ। ସମାଧାନ ପାଇଁ ଦାୟିତ୍ୱ କାହାକୁ ନେବାକୁ ହିଁ ପଡିବ। ନଚେତ୍‍ ସରକାରଙ୍କ ଅପାରଗତା ସମାଜକୁ ଆହୁରି ପଙ୍ଗୁ କରିଦେବ। ସବୁକଥାରେ ଆଗରେ ପଡି ହସ୍ତକ୍ଷେପ କରୁଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଭିଡିଓରେ ଆବେଦନ କରିଛନ୍ତି।

Leave A Reply