ନେତା ‘ଚଳନ’ର ବେଳ

0

ଓଡ଼ିଶାର ଦୁଇଜଣ ପୁରୁଖାନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ବିଜେପିରୁ ଇସ୍ତଫା ଅପ୍ରତ୍ୟାଶିତ ନୁହେଁ। ଏହି ଦୁଇନେତା ବେଶ୍‌ କିଛିକାଳ ଧରି ବିଜେପିରେ ଥିଲେ ମଧ୍ୟ ଯେଭଳି ଆଚରଣ ପ୍ରଦର୍ଶନ କରୁଥିଲେ ସେଥିରୁ ସ୍ପଷ୍ଟ ସୂଚନା ମିଳୁଥିଲା ଯେ ଯେକୌଣସି ସମୟରେ ସେମାନେ ଦଳ ଛାଡ଼ିବେ। ଉଭୟ ବିଜୟ ଓ ଦିଲୀପ ଅଣ କଂଗ୍ରେସ ରାଜନୀତିରୁ ସାଧାରଣ ଜୀବନକୁ ଆସିଥିଲେ ଏବଂ ବିଜୁବାବୁଙ୍କ ଆଶିଷ ଏବଂ ଆଶୀର୍ବାଦରୁ ପ୍ରତିଷ୍ଠିତ ହୋଇଥିଲେ। ବିଜୁଙ୍କ ଅନ୍ତେ ବିଜେଡି ଗଠନରେ ମଧ୍ୟ ଦୁହେଁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ହେଁ ସମୟକ୍ରମେ ଦଳରେ ଅନାବଶ୍ୟକ ହୋଇପଡ଼ିଥିଲେ। ଉଭୟଙ୍କୁ ଯେଉଁ ସ୍ଥିତିରେ ବିଜେଡି ଛାଡ଼ିବାକୁ ପଡ଼ିଥିଲା ତାହା ଉଲ୍ଲେଖ କରିବା ଅନାବଶ୍ୟକ। ବିଜୟ ଓ ଦିଲୀପ ଦୁଇପ୍ରକାର ସମ୍ବଳର ଅଧିକାରୀ। ବିଜୟ ସାଂଗଠନିକ ଦକ୍ଷତା ଓ ରାଜନୈତିକ ବିଚକ୍ଷଣତାରେ ଧନୀବୋଲି କୁହାଯାଏ। ଅପରପକ୍ଷରେ ଦିଲୀପଙ୍କର ବ୍ୟାବସାୟିକ ପ୍ରତିଷ୍ଠା ଓ ସମ୍ବଳ ରହିଛି। ବିଡ଼ମ୍ବନା ହେଉଛି ବିଜେଡିରୁ ବିଦାହେବା ପରେ ବିଜୟ ତାଙ୍କର ତଥାକଥିତ ରାଜନୈତିକ ବିଚକ୍ଷଣତା ସତ୍ତ୍ବେ ଭୋଟ ରାଜନୀତିରେ ବିଫଳ ହୋଇଛନ୍ତି। ସେ ନୂଆଦଳ ଗଢ଼ିଥିଲେ ମଧ୍ୟ ସେଥିରୁ ତାଙ୍କୁ ଅପଦସ୍ଥ ହୋଇ ବିଦାୟ ନେବାକୁ ପଡ଼ିଛି। ଶେଷରେ ସେ ଯେଉଁ ଆଶାଭରସା ନେଇ ବିଜେପିକୁ ଆସିଥିଲେ​‌େ‌ସଥିରେ ସେ ନିରାଶ ହୋଇଛନ୍ତି। ଅନ୍ୟପକ୍ଷରେ ଦିଲୀପ ବିଜେପିରେ ନିଜକୁ ଚଳାଇନେଇ ବିଧାୟକ ହୋଇପାରିଥିଲେ। ଏବେ ସେ ଯେଉଁ କାରଣ ଦର୍ଶାଇ ବିଧାୟକପଦରୁ ଇସ୍ତଫା ଦେଇଛନ୍ତି ଏବଂ ଦଳରେ ଗତ କିଛିକାଳ ଧରି ଯେପରି ଥିଲେ ସେଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ନିଜର ପ୍ରକୃତ ଅଭିଳାଷ ପୂରଣ ପାଇଁ ବିଜେପି ତାଙ୍କ ପାଇଁ ପ୍ରକୃଷ୍ଟ ଦଳ ସାବ୍ୟସ୍ତ ହୋଇନାହିଁ।
ଏହି ଦୁଇନେତାଙ୍କ ବିଜେପି ତ୍ୟାଗ କେତେକ ପ୍ରସଙ୍ଗ ଉତ୍‌ଥାପନ କରୁଛି ଯାହାର ରାଜନୈତିକ ମହତ୍ତ୍ବ ଅବଶ୍ୟ ରହିଛି। ଏହି ଘଟଣା ପ୍ରଥମ ସନ୍ଦେଶ ଦେଉଛି ଯେ ବୋଧହୁଏ ବିଜେପି ତାହାର କ୍ୟାଡର ବାହାର ନେତାଙ୍କୁ ଥଇଥାନ ଓ ଉତ୍‌ଥାନର ଯଥେଷ୍ଟ ସୁଯୋଗ ଦେଉନାହିଁ। ଦ୍ବିତୀୟ ପ୍ରସଙ୍ଗଟି ହେଲା ଏବେ ଏ ଦୁହେଁ ଯିବେ କୁଆଡ଼େ? ତୃତୀୟ ପ୍ରସଙ୍ଗଟି ହେଉଛି ବିରୋଧୀ ଦଳରେ ଏଭଳି ଘଟଣାବଳୀ ଶାସକଦଳକୁ ସୁହାଉ ଥିବାରୁ ଏହା ପଛରେ ନବୀନବାବୁ ବା ତାଙ୍କ ସହଯୋଗୀଙ୍କର ପ୍ରଚ୍ଛନ୍ନ ହାତ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ଏତେ ଅବୋଧ୍ୟ ନୁହେଁ। ପ୍ରଥମତଃ ବିଜେପି କଥା ଦେଖାଯାଉ। ଏହି ଦଳରେ କ୍ୟାଡର ବାହାରୁ ଆସି ଥଇଥାନ ହୋଇ ରାଜନୈତିକ ସ୍ତରରେ ପ୍ରତିଷ୍ଠିତ ହୋଇଥିବା ନେତାଙ୍କ ଅଭାବ ନାହିଁ। ଯେଉଁମାନେ ବିଜେପିର ସାଂଗଠନିକ ରୀତିନୀତି ଓ ନେତୃତ୍ବସହ ଉତ୍ତମ ସମନ୍ବୟ ଓ ସମ୍ପର୍କ ରକ୍ଷାକରି ଚାଲିଛନ୍ତି ସେମାନଙ୍କର ବିଶେଷ କିଛି ଅସୁବିଧା ହୋଇନାହିଁ। ଅସୁୁବିଧା ହୋଇଛି ସେଇମାନଙ୍କର ଯେଉଁମାନେ ମାତ୍ରାଧିକ ଅଭିଳାଷୀ ଏବଂ ପ୍ରତିଭା ସମ୍ପନ୍ନ।
ବିଜୟ ବାବୁ ସ୍ବଭାବତଃ ନେତୃତ୍ବ ନେବାକୁ ଓ ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିବାକୁ ଭଲ ପାଆନ୍ତି। ତେଣୁ ସେ ଅନ୍ୟର ଛତାତଳେ ରହିବା ଓ ଅନ୍ୟର ନିର୍ଦେଶ ମାନିବା ଲୋକ ନୁହନ୍ତି। ସେ ଦୃଷ୍ଟିରୁ ସେ ବିଜେପି କାହିଁକି, ଅନ୍ୟ ଯେଉଁ ଦଳରେ ରହିବେ ସେ ଦଳ ତାଙ୍କ ପାଇଁ ଭୁଲ ପ୍ରମାଣିତ ହେବ। ଅତଏବ ତାଙ୍କଭଳି ନେତାଙ୍କ ପାଇଁ ରାଜ୍ୟର କୌଣସିିି ବୃହତ୍‌ଦଳ ଆଉ ଲାଲଗାଲିଚା ପକାଇ ଅପେକ୍ଷା କରିବା ସମ୍ଭାବନା କମ୍‌। ତେବେ ଦିଲୀପ ବାବୁଙ୍କ ପାଇଁ ତାଙ୍କର ସାମର୍ଥ୍ୟ ଓ ବିଭିନ୍ନ ଶିବିରର ନେତାଙ୍କସହ ସୁସମ୍ପର୍କ ଦୃଷ୍ଟିରୁ ନିଜପାଇଁ ଥଇଥାନର ଏକ ପନ୍ଥା ଯୋଗାଡ଼ କରିବାରେ ଅସୁବିଧା ନାହିଁ। ଏପରିକି ତାଙ୍କର ବିଜେଡି ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ’ପାରେ।
ଏବେ ରାଜ୍ୟର କିଛି ପୁରୁଣା ଓ ବୟସ୍କ ନେତା ଏକ ନୂଆ ରାଜନୈତିକ ଦଳ ଗଠନ କରିବାସହ ବିଜେଡିର ବିକଳ୍ପ ମଞ୍ଚ ତିଆରି କରିବାକୁ ଉଦ୍ୟମ କରୁଛନ୍ତି। ସେଥିରେ ବିଜେଡିର ପରିତ୍ୟକ୍ତ ନେତାଙ୍କ ସଂଖ୍ୟା ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଲୋକେ ପରଖିଛନ୍ତି। ଏହି ନେତାଙ୍କ ମଧ୍ୟରୁ ରାଜନୈତିକ ଦୃଷ୍ଟିରୁ ଅନେକ ନିଃଶେଷ ଶକ୍ତି। ଏଭଳିର ସମୀକରଣରେ ବିରୋଧୀଦଳର ଟାଣୁଆ ନେତାମାନେ ଯେତେ ଦଳଛାଡ଼ି ଏପଟସେପଟ ହେବେ ନବୀନବାବୁ ସେଥିରେ ସେତେ ଅଧିକ ଆନନ୍ଦିତ ହେବେ। ମଜାର ବିଷୟ ହେଉଛି ଯେ ଗତ ଦୁଇଦଶନ୍ଧି ଧରି ଓଡ଼ିଶାର ଯେତେ ପ୍ରମୁଖ ନେତାଙ୍କର ରାଜନୈତିକ ମୃତ୍ୟୁ ଘଟିଛି ତାହାର ମୂଳକାରଣ ହିଁ ‘ନବୀନ’। ନେତାଙ୍କ ଏହି ପ୍ରାକ୍‌ ନିର୍ବାଚନ ଚଳନ ଓ ଏପାଖ ସେପାଖ ପର୍ବ ଆଗାମୀ ଦିନରେ ଆହୁରି ବଢ଼ିବ। ପାଣିପାଗ ଚାଖି ନେତାଏ ନୂଆ ଶିବିର ଠାବ କରିବେ। ଏହି ଘଟଣା ବିଜେପିକୁ ରାଜ୍ୟରେ ଯେଉଁ ଆଘାତ ଦେଇଛି ସେଥିରୁ ଦଳ ମଧ୍ୟ ଶିଖିବ; କଂଗ୍ରେସ ମଧ୍ୟ ଏଭଳି କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ନିଜକୁ ପ୍ରସ୍ତୁତ କରିବ। ବିଜେଡି ପାଇଁ ଯେ ଏହି ଘଟଣାର ପୁନରାବୃତ୍ତି ହେବନାହିଁ, ତାହା କୁହାଯାଇନପାରେ। କଥାରେ ଅଛି ରାଜନୀତିରେ ବିଚିତ୍ର ଘଟଣା ଘଟେ ଓ କଟର ଶତ୍ରୁ ମିତ୍ର ପାଲଟି ଯାଆନ୍ତି।

Leave A Reply