ନୀରବ ମୋଦୀଙ୍କୁ ପୁଣି ଝଟକା, ଲଣ୍ଡନ କୋର୍ଟରେ ଚତୁର୍ଥ ଥର ଜାମିନ ଆବେଦନ ଖାରଜ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍‍ (ଲଣ୍ଡନ ହାଇକୋର୍ଟ)ରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ ମିଶାଇ ଚତୁର୍ଥ ଥର ନୀରବ ମୋଦୀଙ୍କ ଜାମିନ ଆବେଦନ ଖାରଜ ହୋଇଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ବହୁ କୋଟି ଟଙ୍କା ଠକି ନେଇ ନୀରବ ମୋଦୀ ଦେଶ ଛାଡ଼ି ଲଣ୍ଡନ ପଳାଇଥିଲେ। ଏବେ ସେ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି। ଏହା ପୂର୍ବରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ନୀରବ ମୋଦୀଙ୍କ କ୍ରମାଗତ ୩ଟି ଜାମିନ ଆବେଦନ ଖାରଜ ହୋଇଥିଲା। ଅଦାଲତରେ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି। ଲଣ୍ଡନ କୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଋଣ ଅର୍ଥ ପରିଶୋଧ ନେଇ ନୀରବଙ୍କ କଥା ଉପରେ ଭରସା କରିହେବ ନାହିଁ। ତେଣୁ ତାଙ୍କୁ ଜାମିନ ଦେଇ ହେବନି। ନୀରବଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ଜାମିନ ପାଇବା ପରେ ନୀରବ ନିଜ ପାଖରେ ଟ୍ରାକିଂ ଡିଭାଇସ ଓ ଟ୍ରାକିଂ କରିହେଉଥିବା ମୋବାଇଲ ରଖିବେ। ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲୁଥିବାରୁ ସେ କେଉଁଆଡେ ଖସି ଯାଇପାରିବେ ନାହିଁ। ତାଙ୍କ ପୁଅ ଓ ଝିଅ ମଧ୍ୟ ଲଣ୍ଡନରେ ଅଛନ୍ତି ଓ ଏବେ ସେମାନେ କଲେଜରେ ନାମ ଲେଖାଇଛନ୍ତି।
ତେବେ ଭାରତର ପକ୍ଷ ରଖୁଥିବା କ୍ରାଉନ ପ୍ରସିକ୍ୟୁଶନ କହିଥିଲେ ଯେ ଜାମିନ ମିଳିଲେ ନୀରବ ପ୍ରମାଣ ନଷ୍ଟ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Comments are closed.