ନିବେଶକଙ୍କୁ ନବୀନ ଦେଲେ ସବୁ ସହଯୋଗର ଭରସା

0

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଇସ୍ପାତ କ୍ଷେତ୍ରରେ ପୁଞ୍ଜି ସାମଗ୍ରୀ:ଭାରତରେ ବିନିର୍ମାଣ ସମ୍ମିଳନୀ’। ଏଥିରେ ପୁଞ୍ଜି ସମାଗ୍ରୀ କ୍ଷେତ୍ରରେ ଇସ୍ପାତକୁ ଉପଯୋଗ କରି କିଭଳି ଭାବେ ଏକ ଇସ୍ପାତ ଆଧାରିତ ଭିତ୍ତିଭୂମି ସୃଷ୍ଟିି କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ଏକ ମେସିନ୍‍ ଟୁଲ୍‍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ସମ୍ମିଳନୀରେ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ସବୁ ପ୍ରକାର ସହଯୋଗର ଭରସା ଦେଇଛନ୍ତି। ଅନ୍ୟପକ୍ଷରେ ଦେଶର ଇସ୍ପାତ ଆଧାରିତ ଭିତ୍ତିଭୂମିରେ ୮୦,୦୦୦ କୋଟି ଡଲାର ବ୍ୟୟ ହେବାକୁ ଯାଉଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ତଥ୍ୟ ରଖିଛନ୍ତି। ପାରାଦ୍ୱୀପ-କଳିଙ୍ଗନଗର ରାଜପଥକୁ ୮ ଲେନ୍‍ କରାଯିବା ନେଇ ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମଙ୍ଗଳବାର ସ୍ଥାନୀୟ ହୋଟେଲ୍‍ ମେ ଫେୟାରଠାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ କହିଲେ, ଏକ ଖଣିଜ ସମ୍ପଦରେ ଭରପୂର ରାଜ୍ୟ ଭାବେ ଓଡିିଶାର ବଳ ଖଣିଜ ସାମଗ୍ରୀରେ ରହିଛି। ଦେଶର ମୋଟ ଖଣିଜ ଉତ୍ପାଦ କ୍ଷେତ୍ରକୁ ରାଜ୍ୟର ଯୋଗଦାନ ପାଖାପାଖି ୧୪% ରହିଛି। ୧୯୯୯-୨୦୦୦ରେ ରାଜ୍ୟର ଅଶୋଧିତ ତୈଳ ଉତ୍ପାଦନ କ୍ଷମତା ବାର୍ଷିକ ୪ ନିୟୁତ ଟନ୍‍ ରହିଥିବାବେଳେ ବର୍ତ୍ତମାନ ଏହା ୩୩ ନିୟୁତ ଟନ୍‍କୁ ବୃଦ୍ଧି ଘଟିଛି। ଦେଶରେ ସମ୍ପ୍ରତି ଓଡ଼ିଶା ଏକ ଇସ୍ପାତ ହବ୍‍ରେ ପରିଣତ ହୋଇଛି। ଯାହା ପାଇଁ ଧାତବ କ୍ଷେତ୍ରରେ ନିବେଶକଙ୍କ ଲାଗି ଓଡ଼ିଶା ସବୁବେଳେ ଆଜି ଏକ ପସନଯୋଗ୍ୟ କ୍ଷେତ୍ର ଭାବେ ବିବେଚନା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଇସ୍ପାତ କ୍ଷେତ୍ରର ଭିତ୍ତିଭୂମିକୁ ତ୍ୱରିତ ଏବଂ ସୁଦୃଢ କରିବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଚଳିତବର୍ଷ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ଯୋଗଦେବାକୁ ନିବେଶକଙ୍କୁ ଆମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାର ଇସ୍ପାତ କ୍ଷେତ୍ରରେ ଅପୂର୍ବ ସୁଯୋଗ ରହିଛି। ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଥିବା ନିବେଶକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି।
ଭାରତ ଏବେ ବିଶ୍ୱର ଦ୍ରୁତ ଗତିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଅନ୍ୟତମ। ଦେଶରେ ଇସ୍ପାତ ଆଧାରିତ ଭିତ୍ତିିଭୂମିର ବିକାଶ ଲାଗି ଆଗାମୀ ଦିନରେ ୮୦,୦୦୦ କୋଟି ଡଲାରରୁ ଅଧିକ ପୁଞ୍ଜି ବିନିଯୋଗର ଯୋଜନା ରହିଥିବା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ କହିଛନ୍ତି। ବିଶେଷ କରି ସଡକ, ରାଜପଥ, ସେତୁ, ବିମାନବନ୍ଦର, ପୋତାଶ୍ରୟ, ଅନ୍ତର୍ଦେଶୀୟ ଜଳପଥ ଓ ନଦୀ ପରିବହନ ପ୍ରଣାଳୀ, ରେଳପଥ ଏବଂ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ କାର୍ଯ୍ୟ ଏଥିରେ ରହିଛି। ଘରୋଇ ଓ ବାହ୍ୟକ୍ଷେତ୍ରର ଆବଶ୍ୟକତା ପୂରଣ ଲାଗି ଜାତୀୟ ଇସ୍ପାତ ନୀତି-୨୦୧୭ ପ୍ରସ୍ତୁତ କରାଯାଇଛି। ଏହି ନୀତି ଅନୁଯାୟୀ ୨୦୩୦-୩୧ ସୁଦ୍ଧା ଦେଶରେ ୩୦ କୋଟି ଟନ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ସୃଷ୍ଟି କରାଯିବ। ଯାହାଫଳରେ ମୁଣ୍ଡ ପିଛା ଇସ୍ପାତ ଉପଯୋଗ ୧୬୦ କେଜିରେ ପହଞ୍ଚିବ। ଆଗାମୀ ୧୦ରୁ୧୨ ବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ଇସ୍ପାତ ଉତ୍ପାଦନର କ୍ଷମତା ସୃଷ୍ଟି କରିବା ଲାଗି ୧୨,୮୦୦ କୋଟି ଡଲାରର ପୁଞ୍ଜି ନିବେଶ ମଧ୍ୟ ହେବ। ଏଥିଲାଗି ଭାରତକୁ ପ୍ରାୟ ୨୫ ବିଲିୟନ ଡଲାରର କାରଖାନା ସାମଗ୍ରୀ ଓ ସରଞ୍ଜାମ ଆମଦାନୀ କରିବାକୁ ପଡିବ ବୋଲି ଶ୍ରୀ ସିଂ କହିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଶାର ଇସ୍ପାତ କ୍ଷେତ୍ରରେ ପୁଞ୍ଜି ସାମଗ୍ରୀ ବିନିର୍ମାଣ ଲାଗି ବ୍ୟାପକ ସୁଯୋଗ ରହିଛି। ବିଶେଷ କରି ଇସ୍ପାତ ଓ ଖଣିଜ କ୍ଷେତ୍ରରେ ଅପାର ସମ୍ଭାବନାକୁ ଘରୋଇ ଓ ବିଦେଶୀ ଟେକ୍ନୋଲଜି ସଂସ୍ଥାମାନେ ସୁଯୋଗରେ ପରିଣତ କରିବାକୁ ପଡିବ। ରାଜ୍ୟରେ ଲୁହା ପଥର ଉତ୍ପାଦନ କ୍ଷମତା ୫୦ ନିୟୁତ ମେଟ୍ରିକ ଟନରୁ ୧୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି କରାଯିବ। ଓଡ଼ିଶାରେ ୫୦୦୦ କି.ମି.ର ଜାତୀୟ ରାଜପଥ ରହିଥିବାବେଳେ ଆଉ ୫୦୦୦ କି.ମି.ର ଜାତୀୟ ରାଜପଥ ନିର୍ମାଣ କରାଯିବ। ପାରାଦ୍ୱୀପରୁ କଳିଙ୍ଗନଗରକୁ ୧୦୦ କି.ମି.ର ଦୀର୍ଘ ଉତ୍ସର୍ଗୀକୃତ ରାଜପଥକୁ ୮-ଲେନ ରାସ୍ତା ନିର୍ମାଣ ଲାଗି ବ୍ୟାପକ ଯୋଜନା ହୋଇଛି। ଏଡାଛଡା ସେଠାରେ ଆଗାମୀ ଦିନରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ଯୋଜନା କରାଯାଉଛି। ପାରାଦ୍ୱୀପରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସର ପରିସର ବୃଦ୍ଧି କରାଯାଉଛି। ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କମ୍ପେ୍ଲକ୍ସରେ ଆନୁଷଙ୍ଗିକ ଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା କରିବା ଲାଗି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଥିଲେ। ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ଦେଶରେ ୧୨ଟି ଜୈବ ଇନ୍ଧନ ବିଶୋଧନାଗାର ନିର୍ମାଣ କରାଯାଉଛି। ସେଥିରେ ଓଡ଼ିଶାରେ ଗୋଟିଏ ଜୈବ ଇନ୍ଧନ ବିଶୋଧନାଗାର ରହିଥିବା ସେ କହିଛନ୍ତି। କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚିଠି ନ ଦେଇଥିଲେ ମଧ୍ୟ ଭାରତ ସରକାରଙ୍କ ତରଫରୁ ଓଡିଶାରେ ପୁଞ୍ଜିସାମଗ୍ରୀର ଏକ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ତେଣୁ ରାଜ୍ୟ ସରକାର ଏ କ୍ଷେତ୍ରରେ ରହିଥିବା ନିଜର ଦାୟିତ୍ୱକୁ ନିଶ୍ଚିତ ଭାବେ ପାଳନ କରି କାମକୁ ଆଗେଇ ନେବେ ବୋଲି ଶ୍ରୀ ପ୍ରଧାନ ଆଶାପୋଷଣ କରିିଛନ୍ତି।
ସମ୍ମିଳନୀରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଗୀତେ କହିଲେ, କେନ୍ଦ୍ର ସରକାର ଯନ୍ତ୍ରାଂଶ ଓ ଉପକରଣ ପାର୍କ ନିର୍ମାଣ ଲାଗି ଏକ ନୂଆ ସ୍କିମ ଆରମ୍ଭ କରିଛନ୍ତି। ଏହି ସ୍କିମ ଆଧାରରେ କର୍ଣ୍ଣାଟକର ଟମକୁରଠାରେ ଏକ ମେସିନ ଟୁଲ ପାର୍କ ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶାରେ ଖଣିଜ ସମ୍ପଦ ଓ ଇସ୍ପାତ ଶିଳ୍ପ ଲାଗି ବ୍ୟାପକ ସୁଯୋଗ ରହିଥିବାରୁ ଏଠାରେ ଟମକୁର ଭଳି ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଇପାରିବ। ଓଡ଼ିଶା ସରକାର ସହଯୋଗ କଲେ ରାଜ୍ୟରେ ଏକ ମେସିନ ଟୁଲ ଶିଳ୍ପ ପାର୍କ ନିର୍ମାଣ କରାଯାଇପାରିବ ବୋଲି ସେ କହିଥିଲେ। ଶ୍ରୀ ଗୀତେ କହିଥିଲେ ଯେ, ମୋଦୀ ସରକାରଙ୍କ ଅମଳରେ ଦେଶରେ ପ୍ରଥମ ଥର ପାଇଁ ପୁଞ୍ଜି ସାମଗ୍ରୀ କ୍ଷେତ୍ର ଲାଗି ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ସଚିବ ବିନୟ କୁମାର ଏବଂ ପୂର୍ବତନ ସଚିବ ଡ. ଅରୁଣା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply