ନବୀନ ଯିବେ ସୁରତ, ଭୁବନେଶ୍ବର ଆସିବେ ରୁପାଣୀ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସୁରତ ଗସ୍ତରେ ଯାଉଥିବାବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିପକ୍ଷ ରାଜ୍ୟ ଗସ୍ତରେ ଯିବା ବିଷୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସୁରଟ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସେଠାରେ ଓଡ଼ିଶା ମହୋତ୍ସବରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଓଡ଼ିଶା ଆସୁଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ ଡିଲ ଉପରେ ତଥ୍ୟ ରଖିବେ ଏବଂ କଂଗ୍ରେସ ଲୋକଙ୍କ ଭିତରେ ସୃଷ୍ଟି କରିଥିବା ବିଭ୍ରାନ୍ତି ଦୂର କରିବାକୁ ଉଦ୍ୟମ କରିବେ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବିଜେପି କଂଗ୍ରେସ ବିରୋଧରେ ଯୁଦ୍ଧଂ ଦେହୀ ଡ଼କରା ଦେଇଛି। ବିଜେପି ପ୍ରତି କଂଗ୍ରେସର ଅପପ୍ରଚାର ରୋକିବା ସହିତ ବିଜେପି ପ୍ରତି ଲୋକଙ୍କ ଆସ୍ଥା କିପରି ବଢ଼ିବ ସେ ନେଇ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲୋକଙ୍କୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯୋଜନା ହୋଇଛି। ଆସନ୍ତାକାଲି ଦେଶର ୭୦ଟି ସ୍ଥାନରେ ବିଜେପି ସାମ୍ବାଦିକ ସମ୍ମିଳନୀ ଡ଼ାକିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ଓଡ଼ିଶାରେ ସାମ୍ବଦିକ ସମ୍ମିଳନୀ କରି ରାଫେଲ ସମ୍ପର୍କରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାୟିତ୍ବ ଦିଆଯାଇଛି। ରୂପାଣୀ ଓଡ଼ିଶାବାସୀଙ୍କ ଆଗରେ ରାଫେଲ କିଣାକୁ ନେଇ କଂଗ୍ରେସ ମହାମିଛର ଖୁଲାସା କରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ରୂପାଣୀ ଭୁବନେଶ୍ବର ଆସୁଥିବାବେଳେ ନବୀନଙ୍କ ସୁରଟ ଗସ୍ତ ଏବେ ରାଜନୀତି ଚର୍ଚ୍ଚାକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଟ ଗସ୍ତରେ ଯିବା ପୂର୍ବରୁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖି ସିଧାସଳଖ ସୁରଟରୁ ବ୍ରହ୍ମପୁରକୁ ଟ୍ରେନ ଓ ଭୁବନେଶ୍ବରକୁ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି। ସେହିପରି ସୁରଟରେ ଓଡ଼ିଆ ଲୋକଙ୍କ ପାଇଁ ଏକ କମୁନିଟି ସେଣ୍ଟର ଲାଗି ଜମି ଯୋଗାଇଦେବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ଓ ଚିଠି ଲେଖା ଘଟଣାକୁ ବି​‌େ​‌ରାଧୀ ସମାଲୋଚନା କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା ଓ ନିବାଚନୀ ଚାଲ ବୋଲି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହିତ ୧୯ବର୍ଷ ଧରି ଶାସନରେ ଥିବାବେଳେ ପ୍ରବାସୀ ଓଡ଼ିଆଙ୍କ କଥା କିପରି ହଠାତ ମନେପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୁରଟରେ ରହୁଥିବା ଓଡ଼ିଶାର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ସ୍ବାଗତ କରିଥିଲେ ହେଁ ନିର୍ବାଚନ ଆଗକୁ ଥିବାବେଳେ ଏ ସମୟରେ ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ତେବେ ବିରୋଧୀଙ୍କ ସମାଲୋଚନାରେ ପ୍ରତିକ୍ରିୟା ରଖି ବିଜେଡ଼ି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ତିନିଟି ରାଜ୍ୟର ଫଳାଫଳ ପରେ ବିଜେପି ଆତଙ୍କିତ ହୋଇପଡ଼ିଛି।
ଓଡ଼ିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲପା’ନ୍ତି ଓ ସେମାନେ ରହୁଥିବା ସ୍ଥାନରେ ସୁବିଧାସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଚିଠି ଲେଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନକାରାତ୍ମକ ଢ଼ଙ୍ଗରେ ଦେଖିବା ବା ରାଜନୈତିିକ ଉଦ୍ଦେଶ୍ୟ କହିବା ସମୀଚୀନ ନୁହେଁ।

ପ୍ରବାସୀ ଓଡ଼ିଆଙ୍କୁ ‘ଆୟୁଷ୍ମାନ୍‌’ରେ ସାମିଲ କର : ଧର୍ମେନ୍ଦ୍ର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ଏକ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁରଟରେ ଶ୍ରମଜୀବୀମାନଙ୍କ ସ୍ୱାର୍ଥ କିଭଳି ସୁରକ୍ଷା ରହିବ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ। ପ୍ରବାସୀ ଓଡ଼ିଆଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟ ସରକାର ସାମିଲ କଲେ ଏବଂ ସେମାନେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟସେବା ପାଇପାରିଲେ ତାହା ହିଁ ଓଡ଼ିଆଙ୍କ ପାଇଁ ଠିକ୍ ହେବ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲା ଗଞ୍ଜାମରୁ ସବୁଠୁ ଅଧିକ ଲୋକ ସେଠାରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅହଂକାର ଛାଡି ସୁରଟ ସମେତ ଦେଶ ତମାମ କାମ କରୁଥିବା ଶ୍ରମଜୀବୀ ଓଡିଆଙ୍କ ମାଗଣା ସ୍ୱାସ୍ଥ୍ୟସେବା କଥା ଚିନ୍ତା କରନ୍ତୁ । ଭୋଟ ଲାଳସା ଛାଡି ସୁରଟ ତଥା ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଦେଖନ୍ତୁ ବୋଲି ସେ କହିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ମଡ଼େଲକୁ ମଧ୍ୟ ବୁଝନ୍ତୁ। ରାଜ୍ୟରେ ଯୁବପିଢିଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଲାଗି ସରକାରଙ୍କ ପକ୍ଷରୁ କାହିଁକି ଠୋସ୍ ବ୍ୟବସ୍ଥା ହୋଇପାରିନି ତାହାର ଆକଳନ କରନ୍ତୁ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ ସୁରଟ ସହ ଟ୍ରେନ୍ ତଥା ବିମାନ ଯୋଗାଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଛନ୍ତି। ସୁରଟରେ ଥିବା ଓଡ଼ିଆମାନଙ୍କ ପାଇଁ ଯାତାୟାତର ସୁବିଧା ତିଆରି କରିବା ଲାଗି ସେ ଆଗ୍ରହୀ ଥିବା ଏହି ପତ୍ର ମାଧ୍ୟମରେ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଓଡ଼ିଶା ଓ ଗଞ୍ଜାମ ଜିଲାରେ ଅପାର ଅର୍ଥନୈତିକ ସମ୍ଭାବନା ସହ ଦେଶର ସବୁଠୁ ପରିଶ୍ରମୀ ମାନବ ସମ୍ବଳ ରହିଛି। ତେବେ ସୁରଟ ସମେତ ବାହାର ରାଜ୍ୟରେ ଜୀବନ ଜୀବିକା ପାଇଁ ଓଡ଼ିଶା ଛାଡ଼ୁଥିବା ଏହି ଲୋକମାନଙ୍କ ନିମନ୍ତେ ରୋଜଗାର ସୃଷ୍ଟି କରିବା ଲାଗି କାହିଁକି ସରକାର ବିଫଳ ତାହାର ଉତ୍ତର ରାଜ୍ୟବାସୀଙ୍କୁ ସରକାର ଦେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଓଡ଼ିଆ ଯୁବପିଢି ପାଇଁ ପେଟ୍ରୋକେମିକାଲ୍ ଶିଳ୍ପର ପେଣ୍ଠସ୍ଥଳୀ ଆମ ରାଜ୍ୟକୁ କରିବା ପାଇଁ ନିଷ୍ଠାପର ଉଦ୍ୟମରେ ମୁଖ୍ୟମନ୍ତ୍ରୀ କାହିଁକି ସହଯୋଗୀ ହେଉ ନାହାନ୍ତି? ରାଜ୍ୟରେ ବ୍ୟବସାୟିକ ବାତାବରଣ ଯେତେ ଭଲ ହେବ ଲୋକମାନଙ୍କ ପାଇଁ ରୋଜଗାର ସୁଯୋଗ ସେତେ ବଢିବ। ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତାର ସହ ହାତ ବଢ଼ାଇବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply