ରୋହିଙ୍ଗ୍ୟାଙ୍କ ପ୍ରସଙ୍ଗରେ କେନ୍ଦ୍ରର ଦୋମୁହାଁ ନୀତି

ବାସସ୍ଥାନ ପ୍ରଦାନ ନେଇ ଦୁଇ ମନ୍ତ୍ରଣାଳୟର ଭିନ୍ନ ମତ, କେନ୍ଦ୍ରର ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହେବାକୁ ଦିଆଯିବନି : ଆପ୍‌

ନୂଆଦିଲ୍ଲୀ : ବେଆଇନ ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ଦୋମୁହଁା ନୀତି ଆପଣାଇଛନ୍ତି। ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶକୁ ବିରୋଧ କରିଆସୁଥିବା କେନ୍ଦ୍ର ସରକାର ଏବେ ସେମାନଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ବିଶେଷ କରି ଦିଲ୍ଲୀରେ ରହୁଥିବା ରୋହିଙ୍ଗ୍ୟାଙ୍କୁ ବାସସ୍ଥାନ ଯୋଗାଇ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗୁପ୍ତ ଯୋଜନାକୁ ନେଇ ବିରୋଧାଭାଷ ଦେଖାଯାଇଛି। ଏପରିକି ଗୃହ ମନ୍ତ୍ରଣାଳୟର ଏପରି ଯୋଜନା ବିରୋଧରେ କେନ୍ଦ୍ର ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ମୁହଁ ଖୋଲିଛନ୍ତି। ଆଉ ମଧ୍ୟ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍‌) ସରକାର ମଧ୍ୟ ଏହାକୁ ବିରୋଧ କରିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ କେନ୍ଦ୍ରର ଏପରି ହୀନ ଷଡଯନ୍ତ୍ରକୁ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ।
ଦିଲ୍ଲୀରେ ବାସ କରୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ସରକାରୀ ବାସସ୍ଥାନ ସୁବିଧା ପ୍ରଦାନ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରଣାଳୟ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ରୋହିଙ୍ଗ୍ୟା ମୁସଲମାନଙ୍କୁ କେନ୍ଦ୍ର ସରକାର ମାଗଣାରେ ଘର ଯୋଗାଇ ଦେଇଥିବା ନେଇ କେନ୍ଦ୍ର ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅଭିଯୋଗ କରିଛନ୍ତି। ଆର୍ଥିକ ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ୍‌) ଶ୍ରେଣୀରେ ରୋହିଙ୍ଗ୍ୟାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ତାଙ୍କ ପାଇଁ ଘର ତିଆରି କରାଯାଇଛି। ଦିଲ୍ଲୀର ଟିକ୍ରି ସୀମା ନିକଟ ବକରୱାଲାରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍ (ଏନଡିଏମସି) ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କରିଛି। ଏନଡିଏମସି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି। ପୁରୀ ଟୁଇଟ୍ କରିଛନ୍ତି ଯେ ଭାରତ ସରକାର ଶରଣାର୍ଥୀଙ୍କୁ ଆଶ୍ରୟ ଦେବାରେ ସର୍ବଦା ଆଗ୍ରହ ପ୍ରକାଶ କରିଥାନ୍ତି। ଏହି କ୍ରମରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ଜାତିସଂଘ ମାନବାଧିକାର ଆୟୋଗ (ୟୁଏନଏଚସିଆର)ଙ୍କ ନିୟମ ଆଧାରରେ ଶରଣାର୍ଥୀଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।
ଅନ୍ୟପଟେ ହରଦୀପଙ୍କ ଏପରି ଦାବିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖଣ୍ଡନ କରିଛି। ବୁଧବାର ଗୃହ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ରୋହିଙ୍ଗ୍ୟାଙ୍କୁ ଶରଣାର୍ଥୀ ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ଭାବେ ବିବେଚନା କରାଯାଉଛି। ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟର୍ପଣ କରିବା ଦିଗରେ ସରକାର ଉଦ୍ୟମ ଚଳାଇଛନ୍ତି। ବେଆଇନ ଅନୁପ୍ରବେଶକାରୀ ଭାବେ ରୋହିଙ୍ଗ୍ୟାଙ୍କୁ ଏବେ ଅଟକ କେନ୍ଦ୍ରରେ ରଖାଯିବ। ରୋହିଙ୍ଗ୍ୟାଙ୍କୁ ବକରୱାଲା ଅଞ୍ଚଳରେ ସରକାରୀ ଘର ଯୋଗାଇ ଦେବାକୁ କୌଣସି ନିର୍ଦେଶ ଦିଆଯାଇ ନାହିଁ। ସେମାନଙ୍କୁ ଯେଉଁ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଛି ତାକୁ ଅଟକ କେନ୍ଦ୍ର ଭାବେ ଘୋଷଣା କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ବିଭିନ୍ନ ରାଜ୍ୟରେ ଏବେ ପ୍ରାୟ ୪୦ହଜାର ରୋହିଙ୍ଗ୍ୟା ବାସ କରୁଛନ୍ତି। ସେମାନେ ବେଆଇନ ଭାବେ ମ୍ୟାଁମାରରୁ ଆସିଛନ୍ତି। ସେମାନଙ୍କୁ ଅନୁପ୍ରବେଶକାରୀ ବିବେଚନା କରାଯାଉଛି। ଅନୁପ୍ରବେଶକାରୀ ବିବେଚନା କରିଆସୁଥିବା ଏହି ରୋହିଙ୍ଗ୍ୟାଙ୍କୁ ସରକାର ଘର ଯୋଗାଇ ଦେବା ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ବିଜେପିକୁ ନିଶାଣ କରିଛନ୍ତି। ରୋହିଙ୍ଗ୍ୟାଙ୍କୁ ଘର ଯୋଗାଇ ଦେବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯିବା ପରେ ଏହା ଏବେ ଦିଲ୍ଲୀ ସରକାରଙ୍କ ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି। ରୋହିଙ୍ଗ୍ୟାଙ୍କୁ କେନ୍ଦ୍ର ସରକାର ଦିଲ୍ଲୀରେ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବାର ଗୁପ୍ତ ଯୋଜନା କରିଛନ୍ତି। କେନ୍ଦ୍ରର ପ୍ରରୋଚନାରେ ଉପରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିଆଯାଇ ନାହିଁ। ମାତ୍ର ରୋହିଙ୍ଗ୍ୟାଙ୍କୁ ବେଆଇନ ଭାବେ ଦିଲ୍ଲୀରେ ବସତିସ୍ଥାପନ କରିବା ଦିଗରେ କେନ୍ଦ୍ର ଯୋଜନାକୁ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ ବୋଲି ସିସୋଦିଆ କହିଛନ୍ତି। ଆପ୍ ନେତା ସୌରଭ ଭରଦ୍ବାଜ କହିଛନ୍ତି ଯେ ରୋହିଙ୍ଗ୍ୟାଙ୍କୁ ଦିଲ୍ଲୀରେ ରଖିବାକୁ ବିଜେପି ଷଡଯନ୍ତ୍ର କରିଛି। ଏହା ଦେଶ ପାଇଁ ବିପଦ।
ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରୋହିଙ୍ଗ୍ୟାଙ୍କୁ ବାସସ୍ଥାନ ସୁବିଧା ଯୋଗାଇ ଦିଆଯିବା ଯୋଜନା ଅରବିନ୍ଦ କେଜରିୱାଲ ସରକାରଙ୍କ ତୁଷ୍ଟିକରଣ ରାଜନୀତିର ଅଂଶବିଶେଷ। କେନ୍ଦ୍ର ସରକାର ଦେଶର ଜାତୀୟ ସୁରକ୍ଷା ପ୍ରତି କୌଣସି ସାଲିସ କରିବେ ନାହିଁ। ରୋହିଙ୍ଗ୍ୟାଙ୍କୁ ଆଇନ ଅନୁଯାୟୀ ସ୍ବଦେଶ ପ୍ରତ୍ୟର୍ପଣ କରାଯିବ। ଜୁଲାଇ ୨୯ରେ ହୋଇଥିବା ବୈଠକରେ ଦିଲ୍ଲୀ ମୁଖ୍ୟ ସଚିବ ରୋହିଙ୍ଗ୍ୟାଙ୍କୁ ଇଡବ୍ଲ୍ୟଏସ୍ ଫ୍ଲାଟ୍‌କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଖବର ଗଣମାଧ୍ୟମକୁ ଆସିବା ପରେ ଦିଲ୍ଲୀ ସରକାର ମତ ପରିବର୍ତ୍ତନ କରୁଛନ୍ତି।
ରୋହିଙ୍ଗ୍ୟାଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବାକୁ ନେଇ ପୂର୍ବରୁ ମେଘାଳୟ ଓ ତ୍ରିପୁରାର ପୂର୍ବତନ ରାଜ୍ୟପାଳ ତଥାଗତ ରାୟ ସମାଲୋଚନା କରିଥିଲେ। ଶ୍ରୀ ରାୟ କହିଥିଲେ ମୁସଲମାନ ରାଷ୍ଟ୍ରଗୁଡିକ ରୋହିଙ୍ଗ୍ୟାଙ୍କୁ ନିଜ ଦେଶରେ ଆଶ୍ରୟ ଦେଉ ନଥିବାବେଳେ ଭାରତ ସରକାର ସେମାନଙ୍କୁ ଶରଣ ଦେଇ ଆତ୍ମଘାତୀ ପଦକ୍ଷେପ ନେଉଛନ୍ତି। ଚଳଚ୍ଚିତ୍ର ଅଭିନେତା ଅଶୋକ ପଣ୍ଡିତ ରୋହିଙ୍ଗ୍ୟାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନୁକମ୍ପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନେ ଦେଶରେ ଶରଣାର୍ଥୀ ଭାବେ ରହୁଥିବାବେଳେ ସରକାର ରୋହିଙ୍ଗ୍ୟାଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ସୁବିଧା ଯୋଗାଇ ଦେଉଛନ୍ତି।

Comments are closed.