ଦ୍ରୁତ ଅଭିବୃଦ୍ଧି ବାଟରେ ଓଡ଼ିଶା

0

ଭୁବନେଶ୍ବର: ଜାତୀୟ ତଥା ବିଶ୍ବସ୍ତରୀୟ ବେଞ୍ଚମାର୍କ ପ୍ରତିଷ୍ଠା ସହିତ ଓଡ଼ିଶା ଏବେ ଦ୍ରୁତ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି। ଓଡ଼ିଶାର ଅର୍ଥନୀତି କ୍ରମାଗତ ଅଭିବୃଦ୍ଧି ବାଟରେ ଆଗଉଛି। ଏହା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଗତ ଦଶନ୍ଧି ଭତିରେ କୃଷକଙ୍କ ଆୟ ଦ୍ବିଗୁଣିତ ହୋଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏ ରାଜ୍ୟର ପ୍ରମୁଖ ଅଂଶ ରହିଛି। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ଅଭିନବ ଯୋଜନା। ଏହା ଜରିଆରେ ୩.୫କୋଟି ଲୋକଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କୃଷକଙ୍କ ପାଇଁ ଆମେ ଆରମ୍ଭ କରିଥିବା ‘କାଳିଆ’ ଦେଶରେ ପ୍ରଶଂସାର ପାତ୍ର ହୋଇଛି ଏବଂ କେନ୍ଦ୍ର ସରକାର ଏ ସ୍କିମକୁ ଗ୍ରହଣ
କରିଛନ୍ତି। ମାତ୍ର କେନ୍ଦ୍ର ସରକାର ଭାଗ ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଏଥିରୁ ବାଦ ଦେଇଛନ୍ତି। କାଳିଆ ଯୋଜନାରେ ୯୨ଭାଗ ଚାଷୀ ଉଭୟ ଋଣଗ୍ରସ୍ତ ଓ ଅଣ ଋଣୀ ଚାଷୀ, ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକକୁ ସାମିଲ କରାଯାଇଛି। ଆମେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଦେଇଥିବା ପ୍ରତିଶ୍ରୁତି ୨୦୧୯ ଏପ୍ରିଲ ସୁଦ୍ଧା ପୂରଣ କରିବୁ।
ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୨୩ଲକ୍ଷ ହିତାଧିକାରୀ ଉପକୃତ ହୋଇଥିବାବେଳେ ଆମ ଗଁା ଆମ ବିକାଶ ୩୧୪ ବ୍ଲକରେ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୧୫୫୪କୋଟି ଟଙ୍କାର ୬୨,୮୫୭ପ୍ରକଳ୍ପ ମଞ୍ଜୁର ହୋଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କ୍ୁ ଅବଗତ କରିବା ପାଇଁ ପିଠା ପ୍ରଚଳନ କରାଯାଇଛି। ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ସମସ୍ତ ପଞ୍ଚାୟତରେ ପିଠା ଶିବିର କରାଯାଉଛି।
ମିଶନ ଶକ୍ତି ଆନ୍ଦୋଳନରେ ୩ଲକ୍ଷ ନୂଆ ଗ୍ରୁପକୁ ସାମିଲ ସହ ଏହାଦ୍ବାରା ୭୦ଲକ୍ଷ ମହିଳାଙ୍କୁ ଦକ୍ଷ କରାଯାଇପାରିଛି। ମଧୁବାବୁ ପେନସନ ଯୋଜନାରେ ୫ଲକ୍ଷ ନୂଆ ହିତାଧିକାରୀ ସାମିଲ ଦ୍ବାରା ଏବେ ୪୮ଲକ୍ଷ ବ୍ୟକ୍ତିଙ୍କୁ ପେନସନ ଦିଆଯାଉଛି। ମାସିକ ପେନସନ ରାଶିରେ ୨ଶହ ଟଙ୍କା ବୃଦ୍ଧି କରାଯାଇଛି। ମେକ ଇନ ଓଡ଼ିଶାକୁ ବିରାଟ ସଫଳତା ମିଳିଥିବାବେଳେ ଏଥିରେ ୪.୨୦ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ ପ୍ରସ୍ତାବ ଆସିଛି। ଏହାଦ୍ବାରା ୫.୯୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଷ୍ଟାର୍ଟ ଅପ କ୍ଷେତ୍ରରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟର ମାନ୍ୟତା ପାଇଛି। ସିଙ୍ଗାପୁରସ୍ଥିତ ଆଇଟିଇଇଏସ ସହଯୋଗରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଅବଢ଼ା ଭଳି ବିଭିନ୍ନ ଯୋଜନା ପ୍ରଚଳନ ସହିତ ରାଜ୍ୟ ସରକାର ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ସର୍ବାଙ୍ଗୀଣ ବିକାଶ ନିମନ୍ତେ ପ୍ରତିବଦ୍ଧତା ରଖିଛନ୍ତି।
ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ ସହିତ ଓଡ଼ିଶା ଏବେ ପ୍ରମୁଖ କ୍ରୀଡ଼ାକେନ୍ଦ୍ର ପାଲଟିଛି। ଓଡ଼ିଶା ହକି ପୁରୁଷ ବିଶ୍ବ କପ ଆୟୋଜନ ୨୦୧୮ ଆୟୋଜନ କରି ରାଜ୍ୟ ସରକାରର ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଆଥଲେଟିକ୍ସ, ସନ୍ତରଣ, ସୁଟିଂ, ଫୁଟବଲ, ହକି, ବାଡ଼ମିଣ୍ଟନ ଏବଂ ୱେଟ ଲିଫ୍ଟିଂ ଭଳି କ୍ରୀଡ଼ାରେ ଉଚ୍ଚତର ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ଲକ୍ଷ୍ୟ ରଖିଛି।
ଆମ ଶାସନରେ ସ୍ପଚ୍ଛତା ଆମ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ଦାୟିତ୍ବଶୀଳ କରିଛି। ରାଜ୍ୟର ବିକାଶରେ ଲୋକଙ୍କ ଯୋଗଦାନ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଛି। ଆମେ ସାମଗ୍ରିକ ବିକାଶ ବାଟରେ ଦୃଢ଼ତାର ସହିତ ଚାଲିଛୁ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତ ରହିଛୁ। ରାଜ୍ୟର ସବୁ ଶ୍ରେଣୀର ଲୋକଙ୍କୁ ସଶକ୍ତ କରିବା ପାଇଁ ଆମେ ଆମର ଚେଷ୍ଟା ଜାରି ରଖିବୁ ବୋଲି ସେ ଦୃଢ଼ୋକ୍ତି କରିଥିଲେ।
ଧନ୍ୟବାଦ ପ୍ରସ୍ତାବ ଉପରେ ପୂର୍ବରୁ ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ, ଶାସକ ଦଳର ସଭ୍ୟ ମହେଶ ସାହୁ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଭାଗ ନେଇଥିଲେ। ତେବେ ବିରୋଧୀ ଦଳର କୌଣସି ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରି ନଥିଲେ।

Leave A Reply