ଦୁର୍ନୀତି ରୋକିବାକୁ ଭାରତର ସହାୟତା ମାଗିଲେ ରଣତୁଙ୍ଗା

0

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ଇତିମଧ୍ୟରେ ଅର୍ଥ ଆତ୍ମସାତ୍‍ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡର ମୁଖ୍ୟ ଅର୍ଥନୈତିକ ଅଧିକାରୀ ପିଆଲ୍‍ ନନ୍ଦନାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଲଙ୍କା ପୁଲିସର ମୁଖପାତ୍ର ରୁୱାନ୍‍ ଗୁଣଶେଖର କହିଛନ୍ତି ନନ୍ଦନାଙ୍କ ବିରୋଧରେ ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡ ତରଫରୁ ଅଭିଯୋଗ ହୋଇଥିଲା। ପୁଲିସ ଏହି ଅଭିଯୋଗର ତଦନ୍ତ କରି ନନ୍ଦନା ବିପୁଳ ପରିମାଣର ଅର୍ଥ ଆତ୍ମସାତ୍‍ କରିଥିବା ଜାଣିବା ପରେ ତାଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା କ୍ରିକେଟ୍‍ ସିରିଜ୍‍ର ପ୍ରସାରଣ ଅଧିକାର ପ୍ରଦାନ କ୍ଷେତ୍ରରେ ନନ୍ଦନା ନିୟମ ବହିର୍ଭୁତ କାର୍ଯ୍ୟ କରି ଅର୍ଥ ଆତ୍ମସାତ୍‍ କରିଥିବା ଅଭିଯୋଗ ଆସିଛି।
ଅନ୍ୟ ଏକ ଘଟଣାକ୍ରମରେ ଶ୍ରୀଲଙ୍କାର ପେଟ୍ରୋଲିୟମ୍‍ ମନ୍ତ୍ରୀ ତଥା କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଶ୍ରୀଲଙ୍କା କ୍ରିକେଟ୍‍ରୁ ଦୁର୍ନୀତି ହଟାଇବାକୁ ଭାରତକୁ ସହାୟତା ମାଗିଥିବା ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରଣତୁଙ୍ଗା କହିଛନ୍ତି ଶ୍ରୀଲଙ୍କା କ୍ରିକେଟ୍‍ରେ ଦୁର୍ନୀତିର ଚେର ବହୁ ଗଭୀରକୁ ଯାଇଛି। ଭାରତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦୁର୍ନୀତି ରୋକିବାକୁ ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡକୁ ଉପଯୁକ୍ତ ପରାମର୍ଶ ଓ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିପାରିବ। ମ୍ୟାଚ୍‍ ଫିକ୍ସିଂକୁ କିପରି ରୋକା ଯାଇପାରିବ ସେ ସଂପର୍କରେ ସିବିଆଇ ଅଧିକାରୀଙ୍କ ବହୁତ ଜ୍ଞାନ ରହିଛି। ଏହାକୁ ଦୃଷ୍ଟିରେ ରଖି ସେ ଭାରତ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମାଗିଥିଲେ। ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡକୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କ୍ରିକେଟ୍‍ରୁ ଦୁର୍ନୀତି ହଟାଇବାକୁ ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡ ନିକଟରେ ଉପଯୁକ୍ତ ଜ୍ଞାନର ଅଭାବ ଥିବା ସହ ଦେଶର ନ୍ୟାୟବ୍ୟବସ୍ଥାରେ ମ୍ୟାଚ୍‍ ଫିକ୍ସିଂ ଭଳି ଦୋଷୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ ନ ଥିବା ରଣତୁଙ୍ଗା ସ୍ୱୀକାର କରିଛନ୍ତି।

Leave A Reply