ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ମିଳିବ ସହାୟତା

0

କଟକ : ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲା ସଡକ ସୁରକ୍ଷା ସମିତି ବୈଠକ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଡକ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ପୁଲିସ ଓ ପରିବହନ ବିଭାଗ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସଡକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ରାସ୍ତାଘାଟରୁ ଉଦ୍ଧାରକରି ଡାକ୍ତରଖାନାରେ ପହଞ୍ଚାଇଲେ ସମ୍ପୃକ୍ତ ଉଦ୍ଧାରକାରୀକୁ ୨ହଜାର ଟଙ୍କା, ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ମୃତକଙ୍କର ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଏବଂ ଆହତ ହେଲେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବୈଠକରୁ ଜଣାପଡିଛି।
ନଭେମ୍ବରରେ ବିନା ହେଲମେଟରେ ୯୮୮ଟି, ବିନା ସିଟବେଲ୍ଟରେ ୪୩ଟି, ବେପରୁଆ ଗାଡିଚାଳନାରେ ୩୨୫ଟି, ଅଧିକ ମାଲ ପରିବହନ କରି ଗାଡିଚାଳନା କରୁଥିବା ୧୩ଟି, ଗାଡିଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ୮୯ ଟି, ମଦପାନ କରି ଗାଡିଚଳାଉଥିବା ୩୮ଟି, ଟ୍ରାଫିକ ଛକରେ ଲାଲବତି ଜଳୁଥିବା ସମୟରେ ଗାଡିଚାଳନା କରିବା ଘଟଣାରେ ୨୫ ଟି, ମାଲ ଗାଡିରେ ଯାତ୍ରୀ ପରିବହନ ଘଟଣାରେ ୨୪ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୪୨୪ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାପାଇଁ ସୁପାରିସ କରାଯାଇଛି। ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୧୨ଟି, ଜିଲା ଗ୍ରାମାଞ୍ଚଳ ଏସପିଙ୍କ ପକ୍ଷରୁ ୪ଟି ଓ କଟକ ଡି.ସି.ପିଙ୍କ ପକ୍ଷରୁ ୧୦୮ଟି ମାମଲାରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ସୁପାରିସ କରାଯାଇଥିବା ଜଣାପଡିଛି। ସେହିପରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବେନିୟମ ଭାବେ ରହିଥିବା ହମ୍ପ୍ସକୁ ଉଚ୍ଛେଦ କରିବା, ଦୁର୍ଘଟଣା ସମ୍ଭାବନା ସ୍ଥାନମାନଙ୍କରେ ସିକ୍ୟୁରିଟି ମୁତୟନ କରିବା ଉପରେ ବିଶଦ୍ ଆଲୋଚନା କରାଯାଇଥିଲା। ସିଡିଏଠାରେ ଟ୍ରକ୍ ଟର୍ମିନାଲ ନିର୍ମାଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ବୈଠକରେ କଟକ ଗ୍ରାମାଞ୍ଚଳ ଏସପି ମାଧବଚନ୍ଦ୍ର ସାହୁ, କଟକ ସଦର ଉପଜିଲାପାଳ ସୁକାନ୍ତ ପ୍ରଧାନ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀପ୍ତିରଞ୍ଜନ ପାତ୍ର,ଜାତୀୟ ରାଜପଥ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭୟକୁମାର ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଟ୍ରାଫିକ ଏସିପି ପି.କେ.ଦଳେଇ, ଏମ୍.ଭି.ଆଇ. ରଶ୍ମିରଞ୍ଜନ ଦଳବେହେରା, ସି.ଏମ୍.ସିର ସଚିବ ନମିତା ବିଶ୍ୱାଳ,ରାଜ୍ୟ ଟ୍ରକ୍ ମାଲିକ ମହାସଙ୍ଘର ସମ୍ପାଦକ ରବି ଶତପଥୀ, ସମ୍ପାଦକ ସୁପ୍ରତିଭା ବିକାଶ ମହାପାତ୍ର, ତ୍ରିଧାରାର ସମ୍ପାଦକ ରଞ୍ଜନ ମହାପାତ୍ର, ମହିଳା ଓ ଶିଶୁକଲ୍ୟାଣ ସୋସାଇଟିର ସମ୍ପାଦକ ମିନତୀ ବିନ୍ଧାଣି ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିଥିଲେ।

Leave A Reply