ଦିନ ଦିପ୍ରହରେ ଯୁବତୀଙ୍କଠାରୁ ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

0

ବାହାନଗା: ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗିଲିଦା ଛକଠାରେ ଅନ୍ନପୂର୍ଣ୍ଣା ଗ୍ରୁପ ଫାଇନାନ୍ସର ଜଣେ ଯୁବତୀଙ୍କ ଠାରୁ ଦୁର୍ବୃତ୍ତମାନେ ୧ ଲକ୍ଷ ୩ ହଜାର ୯୮୭ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ବରିପଦା ଓ ଆରୁହାବାଡ଼ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଅର୍ଥ ଆଦାୟ କରି ବାଇକ ଯୋଗେ ସୋରକୁ ଫେରୁଥିଲେ। ଏହି ସମୟରେ ଏକ କଳା ପଲସର ଓ ଅନ୍ୟ ଏକ ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ।
ସୂଚନା ଅନୁସାରେ, ଅନ୍ନପୂର୍ଣ୍ଣା ଗ୍ରୁପ ଫାଇନାନ୍ସର ପୂଜା ପାଇକରାୟ(୨୪) ସ୍କୁଟି ଯୋଗେ ବରିପଦା ଓ ଆରୁହାବାଡ଼ ପଞ୍ଚାୟତର ବିଭିନ୍ନ ଗାଁରେ ଅର୍ଥ ଆଦାୟ କରି ଏକ ବ୍ୟାଗରେ ନେଇ ସୋରକୁ ଯାଉଥିଲେ। ଖେରଙ୍ଗ-ଯାଗେଶ୍ୱରପଦା ଗ୍ରାମ୍ୟ ଉନ୍ନୟନ ରାସ୍ତା ଗିଲିଦା ଛକ ନିକଟରେ ଏକ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଓ ଅନ୍ୟ ଏକ ଗାଡ଼ିରେ ଜଣେ ଦୁର୍ବୃତ୍ତ ଆସି ଯୁବତୀଙ୍କ ମୁହଁକୁ ମାଡ଼ ମାରିଥିଲେ। ଫଳରେ ପୂଜା ତଳେ ପଡ଼ିଯିବାରୁ ତାଙ୍କ ପାଖରେ ଥିବା ଟଙ୍କା, ମୋବାଇଲ, ରସିଦ ବହି ଛଡ଼ାଇ ନେଇ ସେମାନେ ଫେରାର ହୋଇଯାଇଥିଲେ। ଏ ନେଇ ପୂଜା ଓ ଅନ୍ନପୂର୍ଣ୍ଣା ଗ୍ରୁପ ଫାଇନାନ୍ସର ଶାଖା ପରିଚାଳକ ଜ୍ୟୋତିରଞ୍ଜନ ଦାସ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରି ରଖିଛି। ଲୁଟ ଅର୍ଥ ଓ ଅଭିଯୁକ୍ତଙ୍କ ବାବଦରେ ପୁଲିସ ଟେର ପାଇନଥିବା ଜଣାପଡ଼ିିଛି।
ଅନ୍ୟପକ୍ଷରେ ଛିନତାଇକୁ ପ୍ରତିହତ କରିବା ପାଇଁ ଗତ କିଛି ଦିନ ଧରି ଖନ୍ତାପଡ଼ା ଆଇଆଇସି ବଲ୍ଲଭ ସାହୁଙ୍କ ନିର୍ଦ୍ଦେଶରେ ନିମିକ ରାସ୍ତାରେ ଦିନରେ ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀ ବାଇକ ପାଟ୍ରୋଲିଂ କରୁଥିଲେ ମଧ୍ୟ ଦିନ ଦିପ୍ରହରରେ ଯୁବତୀ ଠାରୁ ଟଙ୍କା ଲୁଟ ନେଇ ସାଧାରଣରେ ପୁଲିସ ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ ହୋଇଛି। କିଛି ଦିନ ପୂର୍ବରୁ ଲକ୍ଷାଧିକ ଟଙ୍କା ବନ୍ଧନ ବ୍ୟାଙ୍କର କର୍ମଚାରୀଙ୍କ ଠାରୁ ରାସ୍ତାରେ ଟଙ୍କା ଲୁଟ ହୋଇଥିବାବେଳେ ଅନ୍ୟସ୍ଥାନରେ ମଧ୍ୟ ରାସ୍ତାରେ ବାରମ୍ବାର ଛିନତାଇ ହେଉଛି।

Leave A Reply