ଦାଦନଙ୍କ ଆଙ୍ଗୁଠି କଟା ଓ ଏସିଡ଼ ମାଡ଼ ପ୍ରସଙ୍ଗରେ ଜିଲାପାଳଙ୍କ ତତ୍ପରତା

0
  • ସୁନ୍ଦରଗଡ଼ : ହେମଗିର ବ୍ଲକ ଅନ୍ତର୍ଗତ କନିକା ପଞ୍ଚାୟତର ବୁରତା ଗ୍ରାମରୁ ୧୨ଜଣ ଗତ ଅକ୍ଟୋବର ମାସରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଥିବା ଇଟାଭାଟିକୁ ଯାଇଥିଲେ। ମାତ୍ର ଇଟାଭାଟି ମାଲିକଙ୍କୁ ନିଜ ପାଉଣା ମାଗିବାରୁ ଇଟାଭାଟି ମାଲିକ ପାଉଣା ଦେବା ପରିବର୍ତ୍ତେ ସେମାନଙ୍କୁ ଏସିଡ଼ ମାଡ଼ କରିବା ସହ ଆଙ୍ଗୁଳି କାଟିବା ଘଟଣା  ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏସିଡ଼ ମାଡ଼ରେ ଆହତ ଦାଦନ ଜୟଦେନ ଚାନ୍ଦନିଆ(୪୦) ଓ ଅନ୍ୟ ୫ଜଣ କୌଣସି ମତେ ହେମଗିର ପହଞ୍ଚିବା ପରେ ଘଟଣା ପଦାକୁ ଆସିଥିଲା। ମଙ୍ଗଳବାର ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ନିଦ୍ଦେର୍ଶ କ୍ରମେ ଶ୍ରମ ବିଭାଗ ଓ ପୁଲିସ ଅଧିକାରୀମାନେ ବୁରତା ଗ୍ରାମକୁ ଯାଇ ଦାଦନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଅର୍ଥାଭାବରୁ ଚିକିତ୍ସା ନ ହୋଇ ରହିଥିବା ଜୟଦେବ ଚାନ୍ଦନିଆକୁ ସୁନ୍ଦରଗଡ଼ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବା ସହ ତାଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୨୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇ ଆଗାମୀ ଦିନରେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର  ଏ ଘଟଣା ସମ୍ପର୍କରେ ଶ୍ରମ ବିଭାଗ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟ ଶ୍ରମ ଆୟୁକ୍ତଙ୍କୁ ବିଭାଗ ପକ୍ଷରୁ ଏକ ସବିଶେଷ ରିପୋର୍ଟ ପଠାଯାଇଥିବାର ଜଣାପଡ଼ିଛି। ହେଲେ ଏ ଘଟଣା ସହ ସଂପୃକ୍ତ ଦଲାଲ ଠିକାଦାରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେବା ପରେ ଜିଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର ସଂପୃକ୍ତ ଦଲାଲ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦାଦନଙ୍କ ବକେୟା ରାଶି ଆଦାୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡ଼ିଛି। ଗଠିତ ହୋଇଥିବା ଟିମରେ ସୁନ୍ଦରଗଡ଼ ସହକାରୀ ଶ୍ରମ ଅଧିକାରୀ, ଶ୍ରମ ନିରୀକ୍ଷକ, ଜଣେ ଡ଼ି.ଏସ.ପି ଓ ଇନ୍ସିପେକ୍ଟର ସାମିଲ ଥିବାର ଜଣାପଡ଼ିଛି। ଏହି ସ୍କ୍ୱାର୍ଡ଼ ଆସନ୍ତା କାଲି ବିଜୟନଗରମ ଯାଇ ଅଟକ ଥିବା ଦାଦନଙ୍କୁ ଉଦ୍ଧାର କରିବା ସହ ଇଟାଭାଟି ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଆହତ ଦାଦନ ଜୟଦେବଙ୍କୁ ଡ଼ାକ୍ତରୀ ଦଳ ଚିକିତ୍ସା କରିବା ସହ ବୁର୍ଲା ନେବା ପାଇଁ ପରାମର୍ଶ ଦେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଛି। ଏସିଡ ନୁହେଁ, ଏସିଡ଼ ଭଳି ଏକ ତରଳ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ବୋଲି ଡ଼ାକ୍ତର ରିପୋର୍ଟ ଦେଇଥିଲେ ହିଁ ବୁର୍ଲା ପ୍ରଫେସରଙ୍କ ଅଧିକ ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ହେଲେ ଦାଦନଙ୍କ ଏଭଳି ଅବସ୍ଥାରେ ସମଗ୍ର ବୁରତା ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି।
Leave A Reply