ତୁଳସୀର ମହକ

0

ଆମେରିକାର ଚର୍ଚ୍ଚିତ ରାଷ୍ଟ୍ରନାୟକମାନଙ୍କ ମଧ୍ୟରୁ ଅନ୍ୟତମ ଆବ୍ରାହମ ଲିଙ୍କନ ଅତି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟାବସ୍ଥାରୁ ହିଁ ଅଭାବଅନଟନ, ଦାରିଦ୍ର୍ୟସହ ନିରନ୍ତର ସଂଗ୍ରାମ କରି ଆଗକୁ ବଢ଼ିବାକୁ ହୋଇଥିଲା। ହେଲେ କେବେ ବି ସେ ନିରାଶାରେ ଭାଙ୍ଗି ପଡ଼ି ନଥିଲେ କି ଦୁଃଖକଷ୍ଟରେ ଅଗ୍ନିଦାହ ଭିତରେ ସେ ନିଜ ମଣିଷପଣିଆକୁ କେବେ ବି ବଳି ଦେଇ ନଥିଲେ। ଜୀବନ ସଂଗ୍ରାମର ଆହ୍ବାନକୁ ଗ୍ରହଣ କରି ଆଗକୁ ଆଗେଇ ଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଅତି ପିଲାଟି ବେଳୁ ହିଁ ତାଙ୍କ ଭିତରେ ସୁପ୍ତ ଥିବା ମଣିଷପଣିଆ ପ୍ରତିଭାତ ହୋଇଥିଲା। ତାଙ୍କର ବାଲ୍ୟାବସ୍ଥାର ଏହି ଘଟଣା।
ସେଦିନ ବନ୍‌ସି ଧରି ନଦୀକୁ ମାଛ ମାରିବା ପାଇଁ ଯାଇଥାନ୍ତି। ବନସି ପକାଇ ମାଛର ପ୍ରତୀକ୍ଷାରେ ଦୀର୍ଘସମୟ ରହିଥିଲେ। ହେଲେ ଦୁ​‌େ​‌ର୍ଯାଗବଶତଃ ସେଦିନ ଗୋଟିଏ ମାତ୍ର ମାଛ ଧରିବାକୁ ସକ୍ଷମ ହୋଇଥିଲେ। ସନ୍ଧ୍ୟା ହୋଇ ଆସିବାରୁ ସେହି ମାଛଟିକୁ ଧରି ଅତି ତରବରରେ ଘରକୁ ଫେରୁଥାନ୍ତି। ଘର ଅଳ୍ପବାଟ ଅଛି। ବାଟରେ ଦେଖା ହୋଇଗଲା ତାଙ୍କରି ଦେଶର ଜଣେ ଯୁଦ୍ଧ ଫେରନ୍ତା ସୈନିକଙ୍କ ସହ। ସୈନିକ ଜଣଙ୍କୁ ଦେଖିଲା ମାତ୍ରେ ସଲାମ ଜଣାଇଥିଲେ। ସୈନିକ ପ୍ରତି ନମସ୍କାର କରି ପଚାରିଲେ- ବାଳକ! ଏ ମାଛଟି କେଉଁଠୁ ଆଣିଲ। ବାଳକ ନମ୍ର ଭାବରେ ଉତ୍ତର ଦେଇଥିଲା- ନଦୀରୁ ଏଇ ଗୋଟିଏ ମାଛ ହିଁ ଧରିଛି। ଆଜି ଅଧିକ ମାଛ ବନସିରେ ପଡ଼ିଲେନି। ଦୀର୍ଘ ଦିନ ହେଲା ଯୁଦ୍ଧ କ୍ଷେତ୍ରରେ ରହି ମାଛ ଖାଇ ପାରିନି। ମାଛ ଖାଇବା ନିମନ୍ତେ ଭାରି ମନ ହେଉଛି। ଯଦି କିଛି ନ ଭାବ ମୋତେ ଏଇ ମାଛଟି ଦେଇ ପାରିବ କି- କହିଥିଲେ ସୈନିକ ଜଣକ।
ମୁହୂର୍ତ୍ତକ ପାଇଁ ଦ୍ବିଧାରେ ପଡ଼ିଗଲା ବାଳକଟି। ଏକ ପକ୍ଷରେ ଘରେ ପରିବାରର ସଦସ୍ୟ ଯେଉଁମାନେ କ୍ଷୁଧା ଜ୍ବାଳା ଭୋଗ କରୁଛନ୍ତି। ଅନ୍ୟ ପକ୍ଷରେ ଦେଶ ପାଇଁ ଜୀବନ ଦେବାକୁ ପ୍ରତିଜ୍ଞାବଦ୍ଧ ଜଣେ ସୈନିକର ଆବେଦନ ଯିଏ କି ଯୁଦ୍ଧ କ୍ଷେତ୍ରରେ ରହି ବହୁଦିନ ହେଲା ଭଲରେ ଗଣ୍ଡେ ଖାଇ ପାରି ନାହାନ୍ତି। ଦ୍ବିଧାର ସମାପ୍ତି ହୋଇଗଲା। ସୈନିକଙ୍କ ଦେଶପ୍ରେମ କଥା ଭାବି ଅତି ପ୍ରସନ୍ନ ଚିତ୍ତରେ ତାଙ୍କ ହାତକୁ ମାଛଟି ବଢ଼ାଇ ଦେଇ କହିଥିଲେ ନିଅନ୍ତୁ, ଏଇ ମାଛଟି। ଆପଣ ମୋର ଦେଶର ରକ୍ଷାକର୍ତ୍ତା। ମାଛ କ’ଣ, ଆବଶ୍ୟକ ପଡ଼ିଲେ ଆପଣଙ୍କ ପାଇଁ ଜୀବନ ମଧ୍ୟ ଦେଇପାରେ। ମାଛଟା ଅତି ଛାର।
ସୈନିକ ଅବାକ୍‌ ହୋଇ ଚାହିଁ ରହିଥିଲେ ବାଳକଠାରେ ଏତାଦୃଶ ମହନୀୟତା, ଉଦାରଭାବ, ସର୍ବୋପରି ଦେଶପ୍ରେମ ଲକ୍ଷ୍ୟ କରି। ଘରକୁ ଫେରି ଲିଙ୍କନ ମାଆଙ୍କୁ ସକଳ ବୃତ୍ତାନ୍ତ କହିଥିଲେ। ରିକ୍ତ ହସ୍ତରେ ଫେରିଛି ବୋଲି ମନ ଦୁଃଖ କରିବା ପରିବର୍ତ୍ତେ ମାଆ ପୁଅର ଉଦାର ଭାବନାରେ ଖୁସିହୋଇ ତାକୁ ଆଲିଙ୍ଗନ ପୂର୍ବକ କହିଥିଲେ- ପୁଅ ଭାବରେ ତୁ ଆଜି ମୋର ଜୀବନକୁ ଧନ୍ୟ କରିଦେଇଛୁ। ଦେଶର ସେବାକାରୀ ଜଣେ ସିପାହି ପ୍ରତି ତୁ ତୋର କର୍ତ୍ତବ୍ୟ ସଂପାଦନ କରିଛୁ ଠିକ୍‌ ଭାବରେ। ମୋର ଆଶା ଅଛି ଭବିଷ୍ୟତରେ ସବୁ ସମୟରେ ତୁ ଏହିଭଳି ତୋର କର୍ତ୍ତବ୍ୟ ସଠିକ ଭାବରେ ସଂପାଦନ କରିବୁ।
ପରବର୍ତ୍ତୀ ସମୟରେ ସେ ଦେଶର ରାଷ୍ଟ୍ରପତି ପଦରେ ଆସୀନ ହୋଇ ନିଜର କର୍ତ୍ତବ୍ୟ ତୁଲାଇବା ଭିତରେ ସର୍ବଦା ସମ୍ମୁଖରେ ଥିଲା ମାଆଙ୍କ ଆଦର୍ଶବାଦୀ ଚିନ୍ତାଧାରା, ସୁଚାରୁରୂପେ କର୍ତ୍ତବ୍ୟ ସଂପାଦନ କରି ଅଗଣିତ ଦେଶବାସୀଙ୍କର ଅତିପ୍ରିୟ ବ୍ୟକ୍ତିଭାବରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ।

Leave A Reply