ତିତ୍‍ଲି କ୍ଷୟକ୍ଷତି ରିପୋର୍ଟ: ମୃତ୍ୟୁ ସଂଖ୍ୟା ୭୭

0

ଭୁବନେଶ୍ୱର: ତିତ୍‍ଲି ବାତ୍ୟାରେ ୭୭ଜଣଙ୍କ ପ୍ରାଣହାନି ହୋଇଛି ବୋଲି ଆଜି ସରକାରୀ ଭାବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନ ଦିଆଯାଇଛି। ଗଜପତିରେ ସର୍ବାଧିକ ୫୨ଜଣ, ଗଞ୍ଜାମରେ ୧୯, କନ୍ଧମାଳରେ ୨, କେନ୍ଦୁଝର, ନୟାଗଡ଼, ଅନୁଗୋଳ,କଟକରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା କୁହାଯାଇଛି।
ତିତ୍‍ଲି କ୍ଷୟକ୍ଷତି ନେଇ ସରକାରଙ୍କ ପକ୍ଷରୁ ଆକଳନ ଚାଲିଛି। ଏ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଆଧାରରେ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବିପର୍ଯ୍ୟୟ ପ୍ରଭାବରେ ରାଜ୍ୟର ୧୭ଟି ଜିଲାର ୧୨୮ଟି ବ୍ଲକ ଅନ୍ତର୍ଗତ ୮୬୯୧ଟି ଗ୍ରାମର ୬୯.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୩୭୮୫୯୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ବିପର୍ଯ୍ୟୟରେ ୭୫୯୦୯୯ ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବାବେଳେ ୪୮୪୦୫ ସଂଖ୍ୟକ ପଶୁପକ୍ଷୀଙ୍କ ପ୍ରାଣହାନି ଘଟିଛି। ତେବେ ତୁରନ୍ତ ରିଲିଫ ଓ ଥଇଥାନ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପ୍ରଭାବିତ ଜିଲା ଓ ବିଭିନ୍ନ ବିଭାଗକୁ ୧୨୯୫୫୪.୮୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନୁକମ୍ପାମୂଳକ ରିଲିଫ ବାବଦରେ ୨୮୮.୬୭କୋଟି ଟଙ୍କା ପ୍ରଦାନ କରାଯାଇଛି। ଗଜପତି ପାଇଁ ୪୭.୬୭କୋଟି, ଗଞ୍ଜାମ ପାଇଁ ୨୩୯.୬୦କୋଟି ଏବଂ ରାୟଗଡ଼ା ପାଇଁ ୧.୪୦କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଗଞ୍ଜାମରେ ୧୬୧୧୭୯ପରିବାରକୁ ୩୯.୫୧କୋଟି, ଗଜପତିରେ ୧,୪୪,୪୬୦ ପରିବାରକୁ ୧୩.୯୦କୋଟି ନଗଦ ଅର୍ଥ ଆକାରରେ ଏବଂ ୧୩୮୭୫ ପରିବାରକୁ ୩.୧୫ କୋଟି ଟଙ୍କା ବ୍ୟାଙ୍କ ଜରିଆରେ ହସ୍ତାନ୍ତର କରାଯାଇଛି। ପ୍ରଭାବିତ ଜିଲାରେ ୫୪ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୭୦ଟି ମେଡ଼ିକାଲ ରିଲିଫ କେନ୍ଦ୍ର ଖୋଲିଛି। ୮୩ଟି ଭ୍ରାମ୍ୟମାଣ ଟିମ ନିୟୋଜିତ ଅଛନ୍ତି।
ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ ଓ କନ୍ଧମାଳରେ ମୋଟ ୫୪ଟି ର‍୍ୟାପିଡ଼ ରେସପନ୍ସ ଟିମ୍‍ ଗଠନ କରାଯାଇଛି। ବନ୍ୟା ପ୍ରଭାବିତ ଜିଲାକୁ ୭୧୧ଟନ୍‍ ଗୋଖାଦ୍ୟ ଯୋଗାଇଦିଆଯାଇଛି। ଗଞ୍ଜାମ, ରାୟଗଡ଼ା, ଗଜପତି, କଟକ, ପୁରୀ ଓ କନ୍ଧମାଳ ଜିଲାରେ ସମସ୍ତ ୬୭ଟି ଘାଇ ମରାମତି ହୋଇଛି। ଗଞ୍ଜାମ ଗଜପତିରେ ଜାତୀୟ ରାଜପଥରେ ସମସ୍ତ ୬ଟି ଘାଇ ମରାମତି ସହ ଯାତାୟାତ ସ୍ୱାଭାବିକ ହୋଇଛି। ଗଜଲବାଡ଼ିରୁ ଦାରିଙ୍ଗବାଡ଼ି ମଧ୍ୟରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ଥିବାବେଳେ ଏଠାରେ ଯୁଦ୍ଧକାଳୀନଭିତ୍ତିରେ କାମ ଚାଲିଛି।
ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଜିଲାରେ ପ୍ରଭାବିତ ୫୭୦ ରାସ୍ତା ମଧ୍ୟରୁ ୫୬୪ଟିରେ ଯାତାୟାତ ସ୍ୱାଭାବିକ ହୋଇଛି। ନଦୀବନ୍ଧରେ ୧୨୫ଟି ଘାଇ ମଧ୍ୟରୁ ୪୭ଟି ସାମୟିକ ଭାବେ ମରାମତି ହୋଇଛି। ୪୯ଟିରେ କାମ ଚାଲିଛି ଓ ୨୯ଟି କାମ ହାତକୁ ନିଆଯିବ। କେନାଲରେ ହୋଇଥିବା ୧୮୨ଘାଇରୁ ୧୭୮ଟି ସାମୟିକ ଭାବେ ମରାମତି ହୋଇଥିବାବେଳେ ୪ଟିର କାମ ଚାଲିଛି। ବାତ୍ୟାରେ ପ୍ରଭାବିତ ସମସ୍ତ ୮୯ଟି ଅର୍ବାନ ଲୋକାଲ ବଡ଼ିରେ ଜଳଯୋଗାଣ ସ୍ୱାଭାବିକ ହୋଇଛି। ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାର ପ୍ରଭାବିତ ସମସ୍ତ ୮୨୦୬୫୧ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ପୁନଃସଂଯୋଗ ଦିଆଯାଇଛି। ଗଜପତିରେ ପ୍ରଭାବିତ ୧,୧୮,୮୪୨ ଉପଭୋକ୍ତାଙ୍କ ମଧ୍ୟରୁ ୭୫,୦୬୦ ଜଣଙ୍କୁ ବିଦ୍ୟୁତ୍‍ ସଂଯୋଗ ଯୋଗାଇଦିଆଯାଇଛି। ସମସ୍ତ ୭ଟି ବ୍ଲକ ମୁଖ୍ୟାଳୟକୁ ବିଦ୍ୟୁତ ପୁନଃସଂଯୋଗ ସହିତ ୧୪୯ରୁ ୧୩୬ଟି ପଞ୍ଚାୟତକୁ ପୁନଃସଂଯୋଗ ହୋଇଛି। ଗଜପତିରେ ବିଦ୍ୟୁତ୍‍ ଥଇଥାନ ୮୦ଟି ଟିମରେ ୯୧୦ଜଣ ନିୟୋଜିତ ଅଛନ୍ତି। ୭ଟି ବିଭାଗକୁ ମୋଟ ୭୮୬୬୯.୬୫କୋଟି ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ବିଭାଗକୁ ସର୍ବାଧିକ ୬୨୪୨୮.୩୩କୋଟି ମଞ୍ଜୁର କରାଯାଇଥିବାବେଳେ ବିଭିନ୍ନ ଜିଲାକୁ ୫୦୮୮୫.୨୧ କୋଟି ଦିଆଯାଇଛି।

ତିତ୍‍ଲି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ ଗଠନ

ଭୁବନେଶ୍ୱର: ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଦ୍ୱାରା ଘଟିଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଛନ୍ତି। ୧୯୯୧ ବ୍ୟାଚ ଆଇପିଏସ ପ୍ରବୀଣ ବଶିଷ୍ଠ ଉକ୍ତ ଟିମର ନେତୃତ୍ୱ ନେବେ। ଶ୍ରୀ ବଶିଷ୍ଠ ଏବେ ଗୃହ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଥିବାବେଳେ ସେ ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣକୁ ଆଣିବା ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି। ଶ୍ରୀ ବଶିଷ୍ଠଙ୍କ ନେତୃତ୍ୱରେ ଗଠିତ ଆନ୍ତଃ ମନ୍ତ୍ରାଳୟ ଟିମରେ ୬ଜଣ ସଦସ୍ୟ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନରେ ଆସିବେ। ଆସନ୍ତାକାଲି ସୁଦ୍ଧା ଟିମର ସଦସ୍ୟ ମନୋନୟନ କାର୍ଯ୍ୟ ଶେଷ ହେବା ପରେ ଟିମ୍‍ ଓଡ଼ିଶା ଗସ୍ତରେ ଆସି ବାତ୍ୟାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୮୭,୫୩୬ ଘର ଭାଙ୍ଗିଥିବାବେଳେ ୩୭୫୩୯୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ବିପର୍ଯ୍ୟୟରେ ୬୦.୧୧ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

Leave A Reply