ଡ. ଶତ୍ରୁଘ୍ନ ପାଣ୍ଡବ ପାଇଲେ ୩୯ତମ ସାରଳା ପୁରସ୍କାର

0

ଭୁବନେଶ୍ୱର: ୩୯ ତମ ଶାରଳା ପୁରସ୍କାର ଉତ୍ସବ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ କବି ଡ଼ଃ ଶତ୍ରୁଘ୍ନ ପାଣ୍ଡବଙ୍କୁ ଚଳିତ ବର୍ଷର ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ୍‍ ମେଟାଲା ପବ୍ଲିକ୍‍ ଚ୍ୟାରିଟେବଲ୍‍ ଟ୍ରଷ୍ଟ (ଇମପାକ୍ଟ) ପକ୍ଷରୁ ଆୟୋଜିତ ଉତ୍ସବରେ ଡ଼ଃ ପାଣ୍ଡବଙ୍କୁ ମାନପତ୍ର ସହ ନଗଦ ୫ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇ ଥିଲା। ସେହିପରି ସୁନାମଧନ୍ୟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ଚଳିତ ବର୍ଷର ଇଲା ପଣ୍ଡା ସଂଗୀତ ସମ୍ମାନ ଓ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁରସ୍କାର ବାବଦ ମାନପତ୍ର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଖ୍ୟାତନାମା ହିନ୍ଦୀ ଓøପନାସିକ ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ସମୟକ୍ରମେ ସାହିତ୍ୟର ପରିଭାଷା ବଦଳିବାରେ ଲାଗିଛି। ସାହିତ୍ୟ ଏବଂ ଉପନ୍ୟାସରେ ଯେଉଁ ମାଧୁର୍ଯ୍ୟ ଥିଲା, ଏବେ ତାହାର ଅସ୍ତିତ୍ୱ ଲୋପ ପାଇବାରେ ଲାଗିଛି। ସାହିତ୍ୟ ଭିତରେ ଅନ୍ତର୍ନିହିତ ଆବେଗ, ଭାବପ୍ରବଣତା ଖୁବ୍‍ କମ୍‍ ଦେଖିବାକୁ ମିଳୁଛି। ଏବେ ଚଟାପଟ୍‍ ସାହିତ୍ୟ ଓ ଉପନ୍ୟାସ ରଚନା କରାଯାଉଛି। ପାଠକର ମନର ଗଭୀତାକୁ ଛୁଇଁ ପାରୁଥିବା ସଂରଚନାର ଅଭାବ ପରଲକ୍ଷିତ ହେଉଛି, ଯାହା ଆଦୌ ଶୁଭଙ୍କର ନୁହେଁ। ସାହିତ୍ୟ ରଚନା ଏପରି ଏକ କ୍ଷେତ୍ର ଯାହା ବାସ୍ତବତା ଓ ପରିକଳ୍ପନାର ସମାହାରକୁ ନେଇ ଆତ୍ମପ୍ରକାଶ କରିଥାଏ। ସାମ୍ପ୍ରତିକ ଭାବଧାରା ସାହିତ୍ୟ ଓ ସାହିତ୍ୟିକ ମଧ୍ୟରେ ନିବିଡ଼ତାକୁ ନଷ୍ଟ କରିବା ପାଇଁ ଅନେକାଂଶରେ ଦାୟୀ। ଅପରପକ୍ଷେ ସମାଜରେ ଦେଖା ଦେଉଥିବା ଅସହିଷ୍ଣୁତା, କ୍ରୂରତା ଏକ ନୂଆ ଅଧ୍ୟାୟକୁ ଜନ୍ମ ଦେଉଛି। ଏହା କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ବାସ୍ତବତା। ଗଣତନ୍ତ୍ର ପଛରେ ସ୍ୱେଚ୍ଛାଚାରିତା ସ୍ପଷ୍ଟ ବାରିହୋଇ ପଡୁଛି। ବିଶ୍ୱର କୋଣ ଅନୁକୋଣରେ ଆୟୋଜିତ ହେଉଥିବା ସାହିତ୍ୟ ଉତ୍ସବରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କିନ୍ତୁ ପ୍ରକୃତ ସାହିତ୍ୟିକର ସୃଜନଶୀଳତାକୁ ଏହା କଦାପି ପ୍ରଭାବିତ କରି ପାରିବ ନାହିଁ। ଯେପରି କୌଣସି ବିଷୟବସ୍ତୁକୁ ସୀମାବଦ୍ଧ କରିବା ସମ୍ଭବ ନୁହେଁ, ଠିକ୍‍ ସେହିପରି ସାହିତ୍ୟର ପରିଭାଷାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ଅବସରରେ ଗୋବିନ୍ଦ ମିଶ୍ର, ପାରମିତା ଶତପଥୀ, ମାଳବିକା ରାୟ ଓ ଡ଼ଃ ଶତ୍ରୁଘ୍ନ ପାଣ୍ଡବଙ୍କୁ ନେଇ ସାହିତ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଉତ୍ସବରେ ବହୁ ମାନ୍ୟଗଣ୍ୟ କବି, ଲେଖକ, ସାହିତ୍ୟିକ, ଓøପନାସିକ ଏବଂ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply