ଡିଫେଣ୍ଡିଂ ଚମ୍ପିଆନ ଷ୍ଟିଫେନ୍‍ସ ପରାସ୍ତ, ନାଦାଲ ବର୍ତ୍ତିଲେ; ସେମିରେ ସେରେନା

0

ନ୍ୟୁୟର୍କ: ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ଅଳ୍ପକେ ପରାଜୟରୁ ବର୍ତ୍ତିଯାଇଛନ୍ତି। ମଙ୍ଗଳବାର ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ନାଦାଲ ସଂଘର୍ଷପୂର୍ଣ୍ଣ ପାଞ୍ଚଟିକିଆ ସେଟ୍‍ରେ ଅଷ୍ଟ୍ରିଆର ଡୋମିନିକ୍‍ ଥିଏମଙ୍କୁ ପରାସ୍ତ କରିଛନ୍ତି। ତେବେ ମହିଳା ସିଙ୍ଗଲ୍‍ସରେ ଡିଫେଣ୍ଡିଂ ଚମ୍ପିଆନ ସ୍ଲୋଏନ ଷ୍ଟିଫେନ୍‍ସଙ୍କୁ କ୍ୱାର୍ଟର ଫାଇନାଲରେ ନିରାଶ ହେବାକୁ ପଡିଛି। ଅପରପକ୍ଷରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋ, ସେରେନା ୱିଲିୟମ୍‍ସ ଓ ଆନାସ୍ତାସିଆ ସେବାସ୍ତୋଭା ପ୍ରମୁଖ ସେମିଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି।
ମଙ୍ଗଳବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚମ୍ପିଆନ ସ୍ପେନର ରାଫେଲ ନାଦାଲ ୦-୬, ୬-୪, ୭-୫, ୬-୭, ୭-୬ ସେଟ୍‍ରେ ୯ମ ସିଡ୍‍ ଅଷ୍ଟ୍ରିଆର ଡୋମିନିକ୍‍ ଥିଏମଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା। କ୍ୟାରିୟରରେ ୧୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଦାଲ ଏହି ମୁକାବିଲାର ପ୍ରଥମ ସେଟ୍‍କୁ ୦-୬ରେ ହାରିଥିଲେ। ୨୮୨ଟି ଗ୍ରାଣ୍ଡସ୍ଲାମ ମ୍ୟାଚ ଖେଳିସାରିଥିବା ନାଦାଲ ଏଥରକୁ ମିଶାଇ ୪ର୍ଥ ଥର ପାଇଁ କୌଣସି ସେଟ୍‍ରେ ଗୋଟିଏ ହେଲେ ଗେମ ଜିତିପାରିନାହାନ୍ତି। ଏହାସତ୍ତ୍ବେ ଦ୍ୱିତୀୟ ଓ ତୃତୀୟ ଗେମରେ ବିଜୟୀ ହୋଇ ନାଦାଲ ପୁଣି ମ୍ୟାଚକୁ ଫେରିଥିଲେ। ଚତୁର୍ଥ ସେଟ୍‍ ଟାଇବ୍ରେକର ଜରିଆରେ ଫଇସଲା ହୋଇଥିବାବେଳେ ଥିଏମ ଏହାକୁ ୭-୬ରେ ଜିତି ମ୍ୟାଚକୁ ୨-୨ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ପଞ୍ଚମ ସେଟ୍‍ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ଉଭୟ ଖେଳାଳି ୬ଟି ଲେଖାଏଁ ଗେମ ଜିତିବାରୁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ନାଦାଲ ଏହାକୁ ୭-୬ରେ ଜିତି ବିଜୟୀ ହେବାସହିତ ସେମିରେ ସ୍ଥାନ ପକ୍କା କରିପାରିଛନ୍ତି।
ସେମିଫାଇନାଲରେ ନାଦାଲ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ଭେଟିବେ। କ୍ୱାର୍ଟର ଫାଇନାଲରେ ଡେଲ ପୋଟ୍ରୋ ୬-୭, ୬-୩, ୭-୬, ୬-୨ ସେଟ୍‍ରେ ୧୧ଶ ସିଡ୍‍ ଆମେରିକାର ଜନ ଇସ୍‍ନରଙ୍କୁ ପରାସ୍ତ କରିଛନ୍ତି। ୨୦୦୯ରେ ଏଠାରେ ଚମ୍ପିଆନ ହୋଇଥିବା ଡେଲ ପୋଟ୍ରୋ ଏଥର ପୁଣି ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷରେ ଇସ୍‍ନରଙ୍କ ପ୍ରସ୍ଥାନ ସହ ଚଳିତ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ଇଭେଣ୍ଟରେ ଆମେରିକୀୟ ଅଭିଯାନ ଶେଷ ହୋଇଛି।
ମହିଳା ସିଙ୍ଗଲ୍‍ସରେ ପୂର୍ବତନ ୧ ନମ୍ବର ଖେଳାଳି ଆମେରିକାର ସେରେନା ୱିଲିୟମ୍‍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ୧୭ଶ ସିଡ୍‍ ସେରେନା ୬-୪, ୬-୩ ସେଟ୍‍ରେ ୮ମ ସିଡ୍‍ ଚେକ୍‍ ରିପବ୍ଲିକ୍‍ର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ୬ଟି ୟୁଏସ ଓପନ ସହ ମୋଟ ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଦୁଇବର୍ଷର ବ୍ୟବଧାନ ପରେ ସେରେନା ପୁଣିଥରେ ୟୁଏସ ଓପନ ସେମିକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୧୯ଶ ସିଡ୍‍ ଲାଟ୍‍ଭିଆର ଆସାସ୍ତାସିଆ ସେବାସ୍ତୋଭାଙ୍କୁ ଭେଟିବେ। କ୍ୱାର୍ଟର ଫାଇନାଲରେ ସେବାସ୍ତୋଭା ୬-୨, ୬-୩ ସେଟ୍‍ରେ ୩ୟ ସିଡ୍‍ ତଥା ଡିଫେଣ୍ଡିଂ ଚମ୍ପିଆନ ସ୍ଲୋଏନ ଷ୍ଟିଫେନ୍‍ସଙ୍କୁ ପରାସ୍ତ କରିଛନ୍ତି। ୨୮ ବର୍ଷୀୟା ସେବାସ୍ତୋଭା କ୍ୟାରିୟରରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲକୁ ଉନ୍ନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Leave A Reply