ଡ଼ାକ୍ତରରୁ ଆଇଏଏସ୍: ‘ତୁମେ କଣ କଲେକ୍ଟର‘ ଆକ୍ଷେପ ବଦଳାଇଦେଲା ଜୀବନ

କରୋନା ସାରା ବିଶ୍ବକୁ ବିବ୍ରତ କରି ରଖିଛି । ଏପରି ସଙ୍କଟ ସମୟରେ ଦେଶ ତଥା ବିଶ୍ବକୁ ବଞ୍ଚାଇବା ପାଇଁ କରୋନା ଯୋଦ୍ଧାମାନେ ଦିନରାତି କାମରେ ଲାଗିଛନ୍ତି । ଡ଼ାକ୍ତରଖାନାରେ ଡ଼ାକ୍ତର, ରାସ୍ତାରେ ପୁଲିସ ଆଉ ପ୍ରଶାସନିକ ଅଧିକାରୀ । ଏପରି କ୍ଷେତ୍ରରେ ମହିଳା ଅଧିକାରୀମାନେ ମଧ୍ୟ ପଛରେ ନାହାନ୍ତି । ଛତିଶଗଡ଼ରେ ଏପରି ଜଣେ ମହିଳା ଅଧିକାରୀଙ୍କର ଦେଶବ୍ୟାପୀ ଚର୍ଚା । ସୋସିଆଲ ମିଡ଼ିଆରେ ସର୍ବଦା ଚର୍ଚାରେ ଥିବା ଏହି ମହିଳାଙ୍କ ନାମ ହେଉଛି ପ୍ରିୟଙ୍କା ଶୁକ୍ଲା । ଯିଏ କି ଜଣେ ଡ଼ାକ୍ତର ଓ ପରବର୍ତୀ ସମୟରେ ଆଇଏଏସ୍ ପାଇ ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି ।

ଡ଼ାକ୍ତରରୁ ଆଇଏଏସ୍ ପର୍ଯ୍ୟନ୍ତ ଯାତ୍ରା 
ପ୍ରିୟଙ୍କା ଶୁକ୍ଳା ଏମବିବିଏସ୍ ପରେ ଡ଼ାକ୍ତରୀ ପେଶା ଆରମ୍ଭ କରିଥିଲେ । ନିଜ ବୃତ୍ତିରେ ବେଶ୍ ଖୁସି ଥିଲେ । ତାଙ୍କ ବାପା-ମା ତାଙ୍କୁ ଆଇଏଏସ୍ ଭାବରେ ଦେଖିବାକୁ ଚାହୁଁଥିଲେ, ହେଲେ ପ୍ରିୟଙ୍କାଙ୍କ ପସନ୍ଦ ଥିଲା ଡ଼ାକ୍ତରୀ ପେଶା । ମାତ୍ର ଗୋଟିଏ ଘଟଣା ତାଙ୍କର ଜୀବନର ଗତିପଥ ବଦଳାଇ ଦେଇଥିଲା । ଲକ୍ଷ୍ନୌ କିଗ୍ସ ଜର୍ଜ ମେଡ଼ିକାଲ କଲେଜରେ ସେ ଶିକ୍ଷା ଶେଷ ପରେ ଇଣ୍ଟର୍ଣ୍ଣସିପ୍ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ଗ୍ରାମାଞ୍ଚଳକୁ ରୋଗୀଙ୍କ ଚିକିତ୍ସା କରିବାକୁ ଯିବାକୁ ପଡ଼ୁଥିଲା ।

ତମେ କଣ କଲେକ୍ଟର କି ? 

ଦିନେ ପ୍ରିୟଙ୍କା ଏକ ବସ୍ତିକୁ ଚିକିତ୍ସା କରିବାକୁ ଯାଇଥିଲେ । ଏହି ସମୟରେ ଜଣେ ମହିଳା ଅପରିଷ୍କାର ପାଣି ପିଉଥିବା ଓ ନିଜ ପିଲାକୁ ପିଇବାକୁ ଦେଉଥିବା ସେ ଦେଖିଥିଲେ । ​ ସେ ସମ୍ପୃକ୍ତ ମହିଳାଙ୍କୁ ଅପରିଷ୍କାର ପାଣି ନ ପିଇବାକୁ ବାରଣ କରିଥିଲେ । ମାତ୍ର ମହିଳାଜଣକ ଏଥିରେ ଚିହିଁକି ଉଠିଥିଲେ । ପଚାରିଥିଲେ – ତୁମେ କଣ କଲେକ୍ଟର ? ତୁମ କଥା ମାନିବୁ ?? ବାସ୍ ଏହି ଦୁଇଟି ବାକ୍ୟ ହିଁ ପ୍ରିୟଙ୍କାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ସେ କଲେକ୍ଟର ହେବାକୁ ଆରମ୍ଭ କରିଥିଲେ ଆଇଏଏସ୍ ପ୍ରସ୍ତୁତି ।

୨୦୦୯ ମସିହା କ୍ୟାଡ଼ର ଆଇଏଏସ୍ ପ୍ରିୟଙ୍କା

ପ୍ରିୟଙ୍କା ୟୁପିଏସସି ପ୍ରସ୍ତୁତି ଆରମ୍ଭ କଲେ । ୨୦୦୮ରେ ପରୀକ୍ଷା ଦେଇଥିଲେ ହେଁ ସଫଳ ହୋଇ ନ ଥିଲେ । ହେଲେ ଦ୍ବିିତୀୟ ପ୍ରୟାସରେ ସେ ଆଇଏଏସ୍ ୨୦୦୯ରେ ପାଇଥିଲେ । ବାସ୍ତବରେ ପ୍ରିୟଙ୍କା ପିଲାଦିନୁ ବେଶ୍ ଦୟାଳୁ ଓ ପରୋପକାରୀ ଥିଲେ । ଲୋକଙ୍କ ସେବା କରିବାକୁ ତାଙ୍କ ଘରେ ପହଞ୍ଚି ଯାଉଥିଲେ । ଆଉ ତାହା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା ଓ ସେହି ଗରିବଙ୍କ ସେବା ମନୋଭାବରୁ ତାଙ୍କୁ ଆଇଏଏସ୍ ହେବାକୁ ପ୍ରେରଣା ମିଳିଥିଲା ।

୧୦ ବର୍ଷରେ ମିଳିଛି ୨ଥର ରାଷ୍ଟ୍ରପତି ପୁରସ୍କାର

ମାତ୍ର ୧୦ ବର୍ଷର ଆଇଏଏସ୍ ଜୀବନ ମଧ୍ୟରେ ପ୍ରିୟଙ୍କାଙ୍କୁ ୨ ଥର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଛି । ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୨୦୧୧ରେ ପ୍ରିୟଙ୍କାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସେନ୍ସର ସିଲଭର ମେଡ଼ାଲ୍ ପ୍ରଦାନ କରିଥିଲେ । ସେହିପରି ସାକ୍ଷରତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଆଉଥରେ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । (ସୌଜନ୍ୟ: ଅ.ଉ)

Comments are closed.